ଥଣ୍ଡା ପବନ, ବଢ଼ିବ ଶୀତ

ଭୁବନେଶ୍ୱର,୧୧।୧୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ସପ୍ତାହ ସାରା ପାଗ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ। ବିଶେଷକରି ଉପକୂଳରେ ତାପମାତ୍ରା ସ୍ବାଭାବିକ ରହିବା ସହ ପାହାଡ଼ ଓ ସମତଳ ଅଞ୍ଚଳରେ ୧୦ ଡିଗ୍ରୀ ତଳକୁ ଆସିବ। ପରବର୍ତ୍ତୀ ୫ ଦିନ ମଧ୍ୟରେ କୋରାପୁଟ, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ ଆଦି ଜିଲାରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧ୍ୟରେ କିମ୍ବା ୧୦ ଡିଗ୍ରୀଠାରୁ କମ୍‌ ରହିବ। ତେବେ ୧୧ ତାରିଖ ସୁଦ୍ଧା ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିବ। ୧୨ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ୧୧ରୁ ୧୨ ଡିଗ୍ରୀ ଏବଂ ୧୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଆଭ୍ୟନ୍ତରୀଣ ଜିଲାରେ ପାରଦ ୧୦ ଡିଗ୍ରୀଠାରୁ କମ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ଉତ୍ତରା ପବନ ସକ୍ରିୟ ରହିଥିଲା। ଫଳରେ ୧୦ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବାବେଳେ ୧୦.୬ ଡିଗ୍ରୀ ସହ କୋରାପୁଟର ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା। ଏହା ବ୍ୟତୀତ ସୁନ୍ଦରଗଡ଼ କିରେଇରେ ପାରଦ ୧୧ ଡିଗ୍ରୀ, କୋରାପୁଟରେ ୧୧.୩, କେନ୍ଦୁଝର ୧୧.୫, କନ୍ଧମାଳ ଜି ଉଦୟଗିରି ୧୧.୬, ଦାରିଙ୍ଗବାଡ଼ି ୧୨.୫, ଝାରସୁଗୁଡ଼ା ୧୩.୨, ସୁନ୍ଦରଗଡ଼ ରାଉରକେଲାରେ ୧୩.୩, କନ୍ଧମାଳର ଫୁଲବାଣୀରେ ୧୪ ଓ ସୁନ୍ଦରଗଡ଼ ରାତି ତାପମାତ୍ରା ୧୫ ଡିଗ୍ରୀ ରହିଥିଲା। ତେବେ ରାଉରକେଲା ଓ କୋରାପୁଟ ଜିଲାରେ କୁହୁଡ଼ି ନଜରକୁ ଆସିଥିଲା। ୨ଦିନ ଏବେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିବ। ଏହାପରେ ରାଜ୍ୟ ପାଣିପାଗ ପରିବର୍ତ୍ତନର କୌଣସି ବିଶେଷ ସମ୍ଭାବନା ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।