କଳାହାଣ୍ଡିରେ ଶୀତର ଲହରୀ; ୧୫ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା, ଆଗକୁ….

ଭବାନୀପାଟଣା,୧୦।୧୧(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଶୀତର ଲହରୀ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ବିଶେଷ କରି ଜିଲାର ସଦର ମହକୁମା ଭବାନୀପାଟଣା ସହରରେ ପାରଦ ଖସିବା ସହ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାଫଳରେ ସମଗ୍ର ଅଞ୍ଚଳରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ଦିନରେ ଜିଲାର ପାର୍ବତ୍ୟ ଓ ଗ୍ରାମାଞ୍ଚଳ ଗୁଡ଼ିକରେ ତାପମାତ୍ରା ଆହୁରି ହ୍ରାସ ପାଇବା ସହିତ ଶୀତ ଅଧିକ ଘନୀଭୂତ ହେବ । ସକାଳ ସମୟରେ ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଥିବା ବେଳେ ସନ୍ଧ୍ୟା ହେଲେ ଥଣ୍ଡା ପବନ ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି। ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗରମ ପୋଷାକ ଏବଂ ନିଆଁ ପୋଇଁବାର ସହାରା ନେବା ଆରମ୍ଭ କଲେଣି।
ଆଗାମୀ ୪୮ ରୁ ୭୨ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଆଭ୍ୟନ୍ତରୀଣ ଜିଲାରେ ପାରଦ ଆହୁରି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ, ଯାହା କଳାହାଣ୍ଡିରେ ଶୀତର ପ୍ରକୋପକୁ ଆହୁରି ବଢ଼ାଇଦେବ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ବଦଳୁଥିବା ପାଣିପାଗରେ ବିଶେଷ କରି ଶିଶୁ ଏବଂ ବୃଦ୍ଧମାନଙ୍କର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share