୨୮ରୁ ପଶ୍ଚିମ ଓଡ଼ିଶାରେ ଶୀତ ଲହରି, ଉପକୂଳ ଜିଲାରେ ଘନକୁହୁଡ଼ି

ଭୁବନେଶ୍ୱର,୨୫ା୧(ବ୍ୟୁରୋ)-ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ କୁହୁଡ଼ି ଓ ଶୀତୁଆ ପାଗ ରହିବ। ବୁଧବାର ଏବଂ ଗୁରୁବାର ଦୁଇଦିନ କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲାର କେତେକ ସ୍ଥାନରେ ଘନକୁହୁଡ଼ି ସମ୍ଭାବନା ରହିଛି। ୨୮ ତାରିଖରେ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର ଜିଲାର କେତେକ ସ୍ଥାନରେ ଏବଂ ୨୯ ତାରିଖରେ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୋଳ ଏବଂ ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲହରି ପ୍ରବାହିତ ହେବ। ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ। ଏ ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ରୁ ୨୧ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି।