ଶିକ୍ଷକଙ୍କ କ୍ୱାର୍ଟରରେ ପଶିଗଲା ନାଗ ସାପ, ସ୍ନେକ୍ ହେଲ୍‌ପଲାଇନ୍ ନ ଥାଇ ମଧ୍ୟ…

ବ୍ରାହ୍ମଣୀଗାଁ, ୨୮।୭(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଶିକ୍ଷକ କ୍ୱାର୍ଟରରୁ ଏକ ନାଗସାପ ଉଦ୍ଧାର କରାଯାଇଛି। ସ୍ଥାନୀୟ ଯୁବକଙ୍କ ସାହସିକତା ଯୋଗୁ ଏକ ବଡ଼ଧରଣର ଅଘଟଣରୁ ରକ୍ଷା ମିଳିପାରିଛି।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ନରୋତ୍ତମ ନାୟକ ଓ ମହେଶ୍ୱର ବେହେରା ପୁରୁଣା ଏସ.ଆଇ. କ୍ୱାର୍ଟରରେ ରୁହନ୍ତି। ଗତ ସୋମବାର ରାତ୍ରି ପ୍ରାୟ ୧୦ଟା ସମୟରେ ଖିଆପିଆ ସାରିବା ପରେ ମହେଶ୍ୱର ବାହାରେ ମୋବାଇଲ୍‌ରେ ବ୍ୟସ୍ତ ଥିବାବେଳେ ନରୋତ୍ତମ ଖଟରେ ବିଶ୍ରାମ ନେଉଥିଲେ। ସେହି ସମୟରେ କଡ଼ ଲେଉଟାଇବା ବେଳେ ରୁମ୍ ଭିତରେ ସାପଟିକୁ ଦେଖି ସେ ଭୟଭୀତ ହୋଇ ପଡ଼ିଥିଲେ ଏବଂ ମହେଶ୍ୱରଙ୍କୁ ଡାକ ପକାଇଥିଲେ। ଡାକ ଶୁଣି ସାପଟି ଖଟ ତଳେ ଥିବା ଇଟା କୋଣକୁ ଚାଲିଯାଇଥିଲା।

ଏହି ଅଞ୍ଚଳରେ ସ୍ନେକ୍ ହେଲ୍‌ପଲାଇନ୍ ନ ଥିବାରୁ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲା। ବନାଞ୍ଚଳ ଅଧିକାରୀଙ୍କ ପରାମର୍ଶ କ୍ରମେ ଝିଞ୍ଜୀରିଗୁଡ଼ାର ରୁନା ପ୍ରଧାନୀ ସେଠାରେ ପହଞ୍ଚିଥିଲେ। ରୁନା ଏକ ବାଉଁଶ ବାଡ଼ି ସାହାଯ୍ୟରେ ଅତି ସତର୍କତାର ସହ ନାଗସାପଟିକୁ କାବୁ କରି ଏକ ବ୍ୟାଗରେ ଭର୍ତ୍ତି କରିଥିଲେ। ପରେ ଗ୍ରାମରୁ ଦୂର ଜଙ୍ଗଲରେ ସାପଟିକୁ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ କୌଣସି ସରକାରୀ ସହାୟତା ବା ସ୍ନେକ୍ ହେଲ୍‌ପଲାଇନ୍ ନ ଥାଇ ମଧ୍ୟ ରୁନା ନିଜ ଜୀବନକୁ ବାଜି ଲଗାଇ ଏପରି ସାହସିକତାର ସହ ସାପ ଉଦ୍ଧାର କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Dharitri – Odisha’s No.1 Odia Daily

Share