ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ସେ ପୂର୍ବାହ୍ନ ୧୦ଟା ବେଳେ ଚାନ୍ଦିପୁର ହେଲିପ୍ୟାଡ୍‌ରେ ଅବତରଣ କରି ସମୁଦ୍ର ଉପକୂଳବର୍ତ୍ତୀ ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ, ସାର୍ଥା ପଞ୍ଚାୟତର ସାର୍ଥାମୁହାଣ ଓ ବୁଧିଆମାରି ଅଞ୍ଚଳ ବୁଲି ଦେଖିଥିଲେ। ସେ କେତେକ ଅଞ୍ଚଳକୁ ବାଇକ୍‌ରେ ବସିଯିବା ସହ ପାଣିଘେରରେ ଥିବା ଗାଁଗୁଡ଼ିକୁ ଚାଲି ଚାଲି ଯାଇ ସେଠାରେ ବିପନ୍ନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗ କିପରି ରହିଥିଲା ସେ ସମ୍ପର୍କରେ ବିପନ୍ନଙ୍କୁ ପଚାରି ବୁଝିଥିଲେ।
ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ବାତ୍ୟାରେ ବୁଢ଼ାବଳଙ୍ଗ କୂଳରେ ଘାଇ ହୋଇ ଲୁଣାପାଣି ମାଡ଼ିଯାଇ ଅନେକ ଚାଷ ନଷ୍ଟ ହୋଇଛି। ବାତ୍ୟାରେ ବହୁ ଚିଙ୍ଗୁଡ଼ିଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ଆକାଶମାର୍ଗରୁ ବାଲେଶ୍ୱର ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ସ୍ଥାୟୀ ଭାବେ ଉପକୂଳ ଅଞ୍ଚଳକୁ କିପରି ସୁରକ୍ଷିତ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ ଭାବେ ପରିବେଶକୁ ଧ୍ୟାନରେ ରଖି ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଉପକୂଳ ଅଞ୍ଚଳର ଜନବସତି ଏବଂ ଜୀବନଜୀବିକାର ସୁରକ୍ଷା କିପରି ହୋଇପାରିବ ସେନେଇ ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଏଥିରେ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି। ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ।