ମହାକାଳପଡ଼ା,୨୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ ମହାବାତ୍ୟା କରାଳ ଦୃଶ୍ୟ ଏବେବି ଉପକୂଳ ଅଞ୍ଚଳ ଲୋକଙ୍କର ମନେ ପଡ଼ିଯାଏ। ବିଶେଷକରି ପୂର୍ବ ଉପକୂଳ ଜଗତସିଂହପୁର ଏରସମାରେ ବାତ୍ୟା ସିଧା ସଳଖ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ପଡ଼ୋଶୀ ଜିଲା କେନ୍ଦ୍ରାପଡ଼ା ବି ବର୍ତ୍ତି ପାରି ନ ଥିଲା। ସେ ସମୟରେ ଲୁଣା ହେନ୍ତାଳ ଜଙ୍ଗଲ ପରିମାଣ କମ୍ ଥିବାରୁ ପ୍ରଭାବିତ ହୋଇଥିଲା। ଆଜିକା ଦିନରେ କେନ୍ଦ୍ରାପଡ଼ା ଜିଲା ଉପକୂଳ ସମୁଦ୍ର ତଟ ଅଞ୍ଚଳରେ ପ୍ରଚୁର ପରିମାଣରେ ଲୁଣା ହେନ୍ତାଳ ଘଞ୍ଚ ଜଙ୍ଗଲ ସୁରକ୍ଷା ପାଚେରି ପାଲଟିଛି। ବିଶେଷ କରି ଭିତରକନିକା ସଂରକ୍ଷିତ ଜଙ୍ଗଲରେ ୭୭୨ ହେକ୍ଟର, ଗହୀର ମଥା ରେଞ୍ଜ ସଂରକ୍ଷିତ ଜଙ୍ଗଲ ରେ ୩୫ ହେକ୍ଟର ଓ ମହାକାଳପଡ଼ା ରେଞ୍ଜ ୧୨୪୦ ହେକ୍ଟର ରେ ପ୍ରଚୁର ପରିମାଣରେ ଲୁଣା ହେନ୍ତାଳ ଜଙ୍ଗଲରେ ଲକ୍ଷଲକ୍ଷ ଗଛ ରହିଛି। ସାମୁଦ୍ରିକ ବାତ୍ୟା ଆସିଲେ ପ୍ରଥମେ ଏହି ଘଞ୍ଚ ଜଙ୍ଗଲରେ ମାଡ଼ ନେବ। ଫଳରେ ବାତ୍ୟା ପବନର ଗତି ୩୦ ପ୍ରତିଶତ ହ୍ରାସ ପାଇବ ବୋଲି ଶିକ୍ଷାବିତ୍ ତଥା ପରିବେଶବିତ୍ ହେମନ୍ତ ରାଉତ ସୂଚନା ଦେଇଛନ୍ତି। ରାଉତ କହିବା କଥା ୧୯୭୧ରେ ବଡ଼ଧରଣର ସାମୁଦ୍ରିକ ବାତ୍ୟା ରାଜନଗର ପ୍ରହାରାଜପୁର ବିଜୁଳିଆ ଓ ପେଣ୍ଠ ଠାରେ ସିଧା ସଳଖ ମାଡ଼ ନେଇଥିଲା। ସେ ସମୟରେ ପେଣ୍ଠ ଜଙ୍ଗଲରେ ଲୁଣା ହେନ୍ତାଳ ଗଛ ୨୦/୨୫ ଫୁଟ ଉଚ୍ଚତା ଥିଲା। ଏହା ସତ୍ତ୍ୱେ ପବନ ସହିତ ସାମୁଦ୍ରିକ ଲୁଣା ଜୁଆର ରାଜନଗର ଅଞ୍ଚଳରେ ବିପୁଳ କ୍ଷତି ହୋଇଥିଲା । ଫଳରେ ରାଜନଗର ଓ ମହାକାଳପଡ଼ା ଅଞ୍ଚଳର ଦଶ ହଜାର ଲୋକଙ୍କ ଜୀବନ ଯାଇଥିଲା। ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ପ୍ରଭାତ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ମାଡ଼ ନେବ ବୋଲି ଆକଳନ କରିଛ। ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମୁଦ୍ର କୁଳିଆ ଅଞ୍ଚଳ ଲୋକମାନଙ୍କୁ କୌଣସି ଗୁଜବରେ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ କୁହାଯାଉଛି। ବ୍ଲକର ବତୀଘର, ଖରିନାସି, ରାମନଗର, ଜମ୍ବୁ, ସୁନୀତି, ନାରା ପଞ୍ଚାୟତ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରଭାବିତ ଆଶଙ୍କା ରହିଛି ବୋଲି କୁହାଯାଉଛି। ଚାଷଜମିରେ ଧାନ ଥୋଡ଼ ବାହାରିବା ସମୟ ହୋଇଥିବାରୁ ବାତ୍ୟାରେ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଚାଷୀମାନଙ୍କ ମଧ୍ୟରେ ହରି ଗୋଚ୍ଛାୟତ, ବିଶ୍ୱଜିତ୍ ମାଇତି , କ୍ଷିତୀଶ ମଣ୍ଡଳ, ସଦାଶିବ ରାଉତ, ବାବାଜି ରାଉତଙ୍କ ଅନେକ ଚାଷୀ କହିଛନ୍ତି। ଗଭୀର ସମୁଦ୍ରରେ ମାଛ ଧରାଳିମାନେ ତୁରନ୍ତ ଜେଠୀ ଘାଟକୁ ଫେରିବାକୁ କୁହାଯାଉଛି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାରଙ୍କ ମତାମତ ନେବାରେ ଶନିବାର ପୂର୍ବାହ୍ନରେ ଜରୁରୀ ବୈଠକ ରହିଛି। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି। ସମୁଦ୍ରରୁ ମାଛ ଧରାଳିମାନଙ୍କୁ ଫେରିବା ପାଇଁ ଆଲର୍ଟ କରାଯାଇଛି। ଜିଲା ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉପକୂଳ ଅଞ୍ଚଳ ବାସିନ୍ଦାମାନଙ୍କୁ ସ୍ବତନ୍ତ୍ର ଜନ ସଚେତନତା କରାଯାଉଛି ବୋଲି କହିଛନ୍ତି।