ଉପକୂଳମୁହାଁ ବାତ୍ୟା ‘ଅକ୍ୱାନ’: ମହାକାଳପଡ଼ାରେ ହାଇଆଲର୍ଟ, ଫେରିଘାଟ ବନ୍ଦ ସହ ଯୁଦ୍ଧକାଳୀନ ଭିତ୍ତିରେ…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ଘନୀଭୂତ ବାତ୍ୟା ଅକ୍ୱାନ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇ ଆଗକୁ ବଢୁଛି ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିଛି । ବିଶେଷ କରି ବ୍ଲକ ଅଧୀନ ନଦୀ ନାଳ ଘେରା ବତୀଘର ପଞ୍ଚାୟତ, ଜମ୍ବୁ , ଖରିନାସି , ରାମନଗର, ସୁନୀତି, ନାଞ୍ଜୁରା, ଗଗୁଆ ସମେତ ଅନ୍ୟ ପଞ୍ଚାୟତରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ସମେତ ସ୍କୁଲ ଗୃହକୁ ଖାଲି କରିଛି। ତଳିଆ ଅଞ୍ଚଳ ଲୋକଙ୍କୁ ବୁଧବାର ସନ୍ଧ୍ୟାଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଥଇଥାନ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ଅପରପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ମହାନଦୀ ଘାଟ ସମେତ ଗୋବରୀ, ଲୁଣା ନଦୀରେ ଫେରିଘାଟ ଡଙ୍ଗା ଚଳାଚଳକୁ ଦୁଇ ଦିନ ପାଇଁ ବାତିଲ କରାଯାଇଛି। ଜରୁରୀ ଆଶଙ୍କାକୁ ନେଇ ଉପକୁଳ ଅଞ୍ଚଳରେ ଯୁଧ୍ୟ କାଳୀନ ଭିତ୍ତିରେ ଓଡ୍ରାଫ୍‌ ରେସ୍କ୍ୟୁ ଟିମକୁ ଜମ୍ବୁ ଓ ରାମନଗର, ସୁନୀତି ପଞ୍ଚାୟତରେ ଆଲର୍ଟ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଜିଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେଉରାଙ୍କୁ ମହାକାଳପଡ଼ା ବ୍ଲକ ନୋଡାଲ ଅଫିସର ଭାବେ ଦାୟିତ୍ୱରେ ଅଛନ୍ତି। ଦୁଇଦିନ ଧରି ଅଧିକାରୀମାନେ ବ୍ଲକ ମୁଖ୍ୟାଳୟ ଓ ସମୁଦ୍ର ତଟ ପଞ୍ଚାୟତରେ ପରିଦର୍ଶନ କରି ସରପଞ୍ଚ ଓ ନିର୍ବାହୀ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରି ପରିସ୍ଥିତି ମୁକାବିଲା ପାଇଁ ଆଲୋଚନା କରିଛନ୍ତି।

ବିଶେଷ କରି ପାନୀୟ ଜଳ, ଔଷଧ ଯୋଗାଇ ଦେବା ପାଇଁ କୁହାଯାଇଛି। ଗୁରୁତର ରୋଗୀ ଅସହାୟ ମହିଳା ଶିଶୁ ଗର୍ଭବତୀ ଭିନ୍ନକ୍ଷମମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ରେସ୍କ୍ୟୁ କରାଯାଉଛି। ସ୍ବାସ୍ଥ୍ୟ ଟିମ୍‌କୁ ଆଲର୍ଟ କରାଯାଇଛି। ବ୍ଲକ ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟୋଲ ରୁମ୍‌ ଖୋଲାଯାଇଛି। ଜିରୋ କାଜୁଆଲିଟିକୁ ପ୍ରଶାସନ ପକ୍ଷରୁ କଡାକଡି ନଜର ରଖିଛନ୍ତି ବୋଲି କୁହାଯାଉଛି।

ବାତ୍ୟା ଅକ୍ୱାନ ସମ୍ପର୍କରେ ବିଡିଓ ମନୋଜ କୁମାର ନାୟକଙ୍କ ମତାମତ ନେବାରୁ ବୁଧବାର ସନ୍ଧ୍ୟା ସୁଦ୍ଧା ୨ ହଜାରରୁ ଅଧିକ ତଳିଆ ଅଞ୍ଚଳ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ୨୦ ହଜାର ଲୋକଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି। ସମୁଦ୍ର କୁଳିଆ ବାସିନ୍ଦା ଆଶ୍ରୟସ୍ଥଳୀରେ ପହଞ୍ଚିଲେଣି। ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ା, ସୁନୀତିର ଅଠରବାଙ୍କୀ ଓ ପାଣିଖିଆ ଗ୍ରାମର ଜନଜାତିମାନଙ୍କୁ ରେସ୍କ୍ୟୁ କରାଯାଇ ନିକଟ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ସନ୍ଧ୍ୟାସୁଦ୍ଧା ସମସ୍ତ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋର୍‌ଦାର କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ସମ୍ବେଦନଶୀଳ ଅଞ୍ଚଳରେ ତଦାରଖ ପାଇଁ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

Dharitri – Odisha’s No.1 Odia Daily

Share