ପୂର୍ବ ଉପକୂଳରେ ସମରାଭ୍ୟାସ ‘ସି ଭିଜିଲ୍‌’

ପାରାଦୀପ,୧୩ା୧(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪୮୦ କିଲୋମିଟର ପୂର୍ବଉପକୂଳ ଓ ଦେଶର ସାମୁଦ୍ରିକ ସୀମାରେ ମଙ୍ଗଳବାର ୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାର ନାମ ‘ ସି ଭିଜିଲ୍‌ ୨୦୨୧’ ରଖାଯାଇଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, ଓଡ଼ିଶା ପୋଲିସ, ମତ୍ସ୍ୟ ବିଭାଗ, ବନ ବିଭାଗ, କଷ୍ଟମ୍ସ, ସିଆଇଏସ୍‌ଏଫ୍‌, ଇମିଗ୍ରେଶନ ଓ ପାରାଦୀପ ପୋର୍ଟ ସମେତ ଅନ୍ୟ ସୁରକ୍ଷା ବିଭାଗ ସାମିଲ ହୋଇଛନ୍ତି। ଆତଙ୍କବାଦୀ ଓ ବାହ୍ୟଶତ୍ରୁ ଆକ୍ରମଣର ମୁକାବିଲା ପାଇଁ ସମସ୍ତ ସୁରକ୍ଷା ବିଭାଗର ମିଳିତ ସମନ୍ବୟରେ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ଏହି ଅବସରରେ ସମୁଦ୍ରରେ ପାଟ୍ରୋଲିଂ କରାଯାଇ ବିଭିନ୍ନ ମାଛଧରା ବୋଟ ଓ ମତ୍ସ୍ୟଜୀବୀଙ୍କୁ ଯାଞ୍ଚ କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୬ ନଭେମ୍ବର ୨୦୦୮ରେ ପାକିସ୍ତାନ ଆତଙ୍କବାଦୀମାନେ ସମୁଦ୍ରପଥ ଦେଇ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ୨୦୦୯ ରୁ ପ୍ରତିବର୍ଷ ୨ ଥର ମିଳିତ ସମରାଭ୍ୟାସ କରାଯାଉଛି। ଗତ ୬୭ ଦିନ ତଳେ ଏଭଳି ସମରାଭ୍ୟାସ ଆୟୋଜନ କରାଯାଇଥିଲା।