ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ ବିଜୟ ପରେ ପାକିସ୍ତାନୀ କୋଚ୍ ତଥା ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଭାରତୀୟ ଖେଳାଳିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସରଫରାଜ ଭାରତୀୟ ଦଳର ଆଚରଣକୁ “ଅନୈତିକ” ଏବଂ “କ୍ରୀଡ଼ା ମନୋଭାବ ବିହୀନ” ବୋଲି କହିଛନ୍ତି।
ମ୍ୟାଚ୍ ଚାଲିଥିବା ସମୟରେ ପାକିସ୍ତାନୀ ଡଗ୍ଆଉଟ୍ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସରଫରାଜ ନିଜ ଖେଳାଳିଙ୍କୁ ସଂଯମତା ରକ୍ଷା କରିବାକୁ ପରାମର୍ଶ ଦେଉଥିବା ଦେଖାଯାଇଥିଲା। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହାକୁ ସ୍ପଷ୍ଟ କରି କହିଥିଲେ ଯେ, “ଆମେ ପୂର୍ବରୁ ଅନେକ ଭାରତୀୟ ଦଳ ସହ ଖେଳିଛୁ ଯେଉଁମାନେ କ୍ରିକେଟକୁ ସମ୍ମାନ ଦିଅନ୍ତି। କିନ୍ତୁ ଏହି ଯୁବ ଖେଳାଳିଙ୍କ ବ୍ୟବହାର କ୍ରୀଡ଼ା ପ୍ରତି ଅସମ୍ମାନଜନକ ଥିଲା।”
ସରଫରାଜ ଆହୁରି ମଧ୍ୟ କହିଛନ୍ତି, “ଭାରତୀୟ ଦଳର ଆଚରଣ ଅନୈତିକ ଥିଲା, କିନ୍ତୁ ମୁଁ ମୋ ଖେଳାଳିଙ୍କୁ କହିଥିଲି ଯେ ସେମାନେ ଯାହା କରୁଛନ୍ତି କରିବାକୁ ଦିଅ, ତୁମେମାନେ କେବଳ ନିଜ ଖେଳ ଉପରେ ଧ୍ୟାନ ଦିଅ। ଆମେ ବିଜୟକୁ ଉଚିତ୍ କ୍ରୀଡ଼ା ମନୋଭାବ ସହ ପାଳନ କରିଛୁ।”


