ନୂଆଦିଲ୍ଲୀ,୩୦।୧୦: ଏବେ କୌଣସି ଅଜଣା ନମ୍ୱରରୁ ଫୋନ କଲ ଆସିଲେ କିଏ କଲ କରୁଛି ତାହା ଜାଣିବା ପାଇଁ ଆପଣଙ୍କୁ ଆଉ ଚିନ୍ତା ହେବାକୁ ପଡ଼ିବ ନାହିଁ। ନଭେମ୍ୱର ୧ରୁ ମୋବାଇଲ ବ୍ୟବହାରକାରୀଙ୍କୁ ମିଳିବାକୁ ଯାଉଛି ଏକ ନୂଆ ସୁବିଧା। ଏହା ଅଧୀନରେ ଫୋନ ସ୍କ୍ରିନରେ କେବଳ ଅଜଣା ନମ୍ୱର ନୁହେଁ, ବରଂ ଯାହା ନାମରେ ସିମ କାର୍ଡ଼ ଜାରି ହୋଇଛି ସେହି ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ। ଦୂରସଞ୍ଚାର ବିଭାଗ (DoT) ଏ ସମ୍ପର୍କରେ ସମସ୍ତ ଟେଲିକମ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି। ଏହି ସୁବିଧାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫର୍ଜି ବା ଠକେଇ କଲ ଜରିଆରେ ହେଉଥିବା ଠକେଇ ଉପରେ ରୋକ ଲଗାଇବା।
DoT ସମସ୍ତ ଟେଲିକମ ସର୍ଭିସ ପ୍ରୋଭାଇଡର୍ସଙ୍କୁ ନଭେମ୍ୱର ୧ ତାରିଖରୁ ’କଲର୍ ନେମ ପ୍ରେଜେଣ୍ଟେସନ’ ବା CNAP ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ହେଉଛି ଭାରତର ଭେରିଫାଏଡ କଲର୍ ସିଷ୍ଟମ। ଏହାର ସହାୟତାରେ କଲ ଆସିବା ମାତ୍ରେ ମୋବାଇଲ ସ୍କ୍ରିନ୍ରେ ନମ୍ୱର ସହିତ କଲ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ।
ବର୍ତ୍ତମାନ ପର୍ଯ୍ୟନ୍ତ ଯଦି କୌଣସି ଅଜଣା ନମ୍ୱରରୁ କଲ ଆସେ ଏବଂ ତାହା ଆପଣଙ୍କ ଫୋନ୍ରେ ସେଭ ହୋଇ ନଥାଏ, ତେବେ ସ୍କ୍ରିନ୍ରେ କେବଳ ନମ୍ୱର ହିଁ ଦେଖାଯାଏ। କିନ୍ତୁ CNAP ସେବା ଆରମ୍ଭ ହେବା ପରେ ଏପରି ହେବ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କ ନମ୍ୱର ଆପଣଙ୍କ ଫୋନର କଣ୍ଟାକ୍ଟ ଲିଷ୍ଟରେ ସେଭ ହୋଇ ନାହିଁ, ତଥାପି କଲ ଆସିବା ବେଳେ ସେହି ବ୍ୟକ୍ତିଙ୍କ ନାମ ଦେଖାଯିବ। ଏହା ସେହି ନାମ ହେବ, ଯେଉଁ ନାମରେ ଟେଲିକମ କମ୍ପାନୀ ସିମ କାର୍ଡ଼ ଜାରି କରିଛି।
DoTର ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ୟୁଜର୍ସ 4G କିମ୍ୱା ତା’ଠାରୁ ନୂଆ ଜେନେରେସନ୍ର ଟେଲିକମ ସେବା ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଏହି CNAP ସେବା ସକ୍ରିୟ କରାଯିବ। ଅନ୍ୟପକ୍ଷରେ, 2G ଏବଂ 3G ନେଟୱର୍କ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏହି ସୁବିଧା କେବେ ଆରମ୍ଭ କରାଯିବ, ସେ ସମ୍ପର୍କରେ ପରେ ଅଲଗା ଭାବେ ସୂଚନା ଦିଆଯିବ।
CNAP ସେବା ଅଧୀନରେ ଯେତେବେଳେ ବି ଆପଣଙ୍କ ଫୋନ କାହାର କଲ ଆସିବ, ସ୍ମାର୍ଟଫୋନ ସ୍କ୍ରିନ୍ରେ କଲର୍ଙ୍କ ନମ୍ୱର ଦେଖାଯିବ। ତା’ର ତଳେ ଆପଣଙ୍କ ଫୋନ କଣ୍ଟାକ୍ଟ ଲିଷ୍ଟରେ ସେଭ ଥିବା ନାମ ନଜର ଆସିବ। ଯଦି ସେହି ନମ୍ୱର ଆପଣଙ୍କ ଫୋନ୍ରେ ସେଭ ନାହିଁ, ତେବେ ସ୍କ୍ରିନ୍ରେ ଟେଲିକମ କମ୍ପାନୀର ସର୍ଭରରେ ପଞ୍ଜୀକୃତ ଥିବା ନାମ ଦେଖାଯିବ। ଅର୍ଥାତ୍ ଏବେ ଅଜଣା ନମ୍ୱରରୁ ଆସୁଥିବା କଲ୍କୁ ଚିହ୍ନିବା ପୂର୍ୱ ଅପେକ୍ଷା ଆହୁରି ସହଜ ହୋଇଯିବ।
ଏହି ନୂତନ ସୁବିଧାରେ ଆନ୍ତର୍ଜାତୀୟ (International) କଲ ଚିହ୍ନଟ କରିବାର ବିକଳ୍ପ ମଧ୍ୟ ଉପଲବ୍ଧ ହେବ। ଯଦି କୌଣସି ବିଦେଶୀ ନମ୍ୱରରୁ କଲ ଆସେ, ତେବେ CNAP ଅଧୀନରେ ନମ୍ୱର ସହିତ “International Call” ମଧ୍ୟ ପ୍ରଦର୍ଶିତ ହେବ। ଏଥିପାଇଁ ସମସ୍ତ ଟେଲିକମ କମ୍ପାନୀଗୁଡ଼ିକୁ ସେମାନଙ୍କର ଆବଶ୍ୟକୀୟ ଡାଟାବେସ ପ୍ରସ୍ତୁତ କରିବାକୁ ପଡ଼ିବ। ବର୍ତ୍ତମାନ ଏହି ସେବାର ପରୀକ୍ଷଣ କରାଯାଉଥିଲା ଏବଂ ଏବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି।