ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଦଳ ରାଜତନ୍ତ୍ର କିମ୍ବା ପରିବାର ଶାସନ ପାଇଁ ରାଜନୀତିକୁ ଆସିନାହିଁ, ବରଂ ଜନସେବା ପାଇଁ ଆସିଛି । ଧାରାପୁରମ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରି ବିଜୟ କହିଛନ୍ତି ଯେ ୨୦୨୬ ବିଧାନସଭା ନିର୍ବାଚନରେ ଜନତା TVKକୁ ଶାସନର ଦାୟିତ୍ୱ ଦେଇଛନ୍ତି । ଲୋକଙ୍କ ଏହି ଭରସାକୁ ଦଳ ବଜାୟ ରଖିବ ।

ବିଜୟ କହିଛନ୍ତି, କିଛି ଲୋକ ଭାବୁଛନ୍ତି ଯେ TVK ୨୦୨୬ରେ ଜନତା ଦେଇଥିବା ଜନାଦେଶକୁ ଭୁଲିଯାଇଛି। କିନ୍ତୁ ତାଙ୍କ ଦଳ ଲୋକଙ୍କ ଭରସା ଓ ଦାୟିତ୍ୱକୁ ଭୁଲିନାହିଁ। ସେ କହିଛନ୍ତି, ସରକାର ଗଠନର ଅଳ୍ପ ସମୟ ମଧ୍ୟରେ ଲୋକଙ୍କୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଉପରେ କାମ ଆରମ୍ଭ ହୋଇଛି। ଦୁର୍ନୀତି ଓ ଲାଞ୍ଚମୁକ୍ତ ପ୍ରଶାସନ ଦେବା ପାଇଁ ସରକାର ପ୍ରତିବଦ୍ଧ । ସ୍କୁଲ ଓ ଧାର୍ମିକ ସ୍ଥଳ ନିକଟରେ ଥିବା ୭୧୭ଟି TASMAC ମଦ ଦୋକାନ ବନ୍ଦ କରାଯାଇଥିବା ସେ ଦାବି କରିଛନ୍ତି।

ମହିଳାଙ୍କ ସୁରକ୍ଷା ପାଇଁ ‘ସିଙ୍ଗାପେନ୍’ ନାମରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଥିବା ଏବଂ ଏଥିପାଇଁ ୨,୫୪୬ଟି ନୂଆ ପଦବୀ ସୃଷ୍ଟି ହୋଇଥିବା ବିଜୟ କହିଛନ୍ତି । ନିଶା କାରବାର ରୋକିବା ପାଇଁ ୩୭ଟି ଜିଲ୍ଲା ଓ ୯ଟି ମହାନଗର ନିଗମରେ ସ୍ୱତନ୍ତ୍ର ୟୁନିଟ୍‌ ଗଠନ କରାଯାଇଛି । ରାଜ୍ୟରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦିଆଯାଉଛି। ଏହା ସହ ‘ଭେତ୍ରି ପୟଣମ୍’ ଯୋଜନା ଅଧୀନରେ ମହିଳାଙ୍କୁ ବସ୍‌ରେ ମାଗଣା ଯାତ୍ରା ସୁବିଧା ଦେବାକୁ କୁହାଯାଇଛି। ଅକ୍ଟୋବର ୨ରୁ ଏହି ଯୋଜନା ସମଗ୍ର ରାଜ୍ୟରେ ଲାଗୁ ହେବ ବୋଲି ସେ କହିଛନ୍ତି।

ଚାଷୀଙ୍କଠାରୁ କିଣାଯାଉଥିବା କ୍ଷୀରର ମୂଲ୍ୟ ଲିଟର ପିଛା ୬ ଟଙ୍କା ବଢ଼ାଯାଇଥିବା ବିଜୟ କହିଛନ୍ତି । ଏହା ସହ ‘ଥାଇମାମନ ଥଙ୍ଗା ମୋଧିରମ’ ଯୋଜନା ସେପ୍ଟେମ୍ବର ୨୮ରୁ ଲାଗୁ ହୋଇଛି ।ଧାରାପୁରମ ବିଧାନସଭା ଆସନ ପାଇଁ ଅକ୍ଟୋବର ୬ରେ ଭୋଟ୍‌ ଗ୍ରହଣ ହେବ ଏବଂ ଅକ୍ଟୋବର ୯ରେ ଭୋଟ୍‌ ଗଣତି କରାଯିବ। TVK ପ୍ରାର୍ଥୀଙ୍କ ସମର୍ଥନରେ ବିଜୟଙ୍କ ଏହି ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା।

 

Dharitri – Odisha’s No.1 Odia Daily

Share