Categories: ଜାତୀୟ

‘ଅନେକ ଥର ରାଜ୍ୟାଭିଷେକ ହେବା ପୂର୍ବରୁ ବନବାସରେ ଯିବାକୁ ପଡ଼ିଥାଏ’

ଭୋପାଳ,୩।୧: ମଧ୍ୟପ୍ରଦେଶ ନିର୍ବାଚନରେ ଭାଜପାର ବହୁମତ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ବଡ଼ ଭୂମିକା ରହିଥିଲା। ପୂର୍ବରୁ ସେ ୪ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଏଣୁ ତାଙ୍କର ପତିଆରା ଦେଖି ପୁଣିଥରେ ଦଳ ତାଙ୍କୁ ଏହି ଦାୟିତ୍ୱ ଦେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ନ ହେବାରୁ ଶିବରାଜଙ୍କ ପ୍ରଶଂସକ ନିରାଶ ହୋଇଥିଲେ। ଏବେ ସେ ନିଜେ ଏନେଇ ମୁହଁ ଖୋଲିଛନ୍ତି।

ରାଜଧାନୀ ଭୋପାଳରେ ଆୟୋଜିତ ଏକ ରାଲିରେ ଶିବରାଜ କହିଛନ୍ତି, ଅନେକ ଥର ରାଜ୍ୟାଭିଷେକ ହେବା ପୂର୍ବରୁ ବନବାସ ଯିବାକୁ ପଡ଼ିଥାଏ। ଏହା କିଛି ଉଦ୍ଦେଶ୍ୟ ପୂରଣ କରିବା ଲାଗି ହୋଇଥାଏ। ତାଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ପଛରେ କିଛି ବଡ଼ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ରହିଥିବ ବୋଲି ସେ କହିଛନ୍ତି।

ଏହାଛଡ଼ା ରାଜ୍ୟବାସୀଙ୍କ ସେବା ସର୍ବଦା କରିବେ ବୋଲି ଶିବରାଜ କହିବା ସହ କହିଛନ୍ତି, ବ୍ୟସ୍ତ ହୁଅ ନାହିଁ। ତାଙ୍କ ଜୀବନ ସର୍ବଦା ରାଜ୍ୟବାସୀଙ୍କ ଲାଗି। ଏବେ ବି ସେ ରାଜ୍ୟର ଜନତାଙ୍କ ଲାଗି କାମ କରିବେ। ଲୋକଙ୍କ ଜୀବନର ଦୁଃଖକୁ ଦୂର କରିବା ଲାଗି ପୃଥିବୀକୁ ଆସିଛନ୍ତି ବୋଲି ସେ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ରାଜ୍ୟର ମହିଳାଙ୍କ ସହ ଭାଇ ଭଳି ସମ୍ପର୍କ ରଖିଥିଲେ। ଏଣୁ ତାଙ୍କୁ ମାମୁଁ ବୋଲି କୁହାଯାଉଥିଲା। ଏବେ ସେ ନିଜର ନୂଆ ଠିକଣାକୁ ଏହି ନାମରେ ରଖିଛନ୍ତି। ବି-୮, ୭୪ ବଙ୍ଗଳା ହିଁ ‘ମାମୁଁ ଘର’ ଭାବେ ଜଣାଶୁଣା ରହିବ ବୋଲି ସେ କହିଛନ୍ତି।

କହିରଖୁଛୁ, ଶିବରାଜ ପ୍ରଥମ ଥର ଲାଗି ୨୦୦୫ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ ସେ ଲଗାତାର ୧୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନ କରିଆସୁଥିଲେ।

Share