ପୁଣି ଫେରିପାରନ୍ତି ପ୍ରବାସୀ, ଲଢ଼ିବା ପାଇଁ ପ୍ରସ୍ତୁତ ହୁଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ପୁଣି ଘରମୁହାଁ ପ୍ରବାସୀ। କରୋନାର ଦ୍ୱିତୀୟ ଲହରର ବିସ୍ଫୋରକ ସ୍ଥିତି ଉପୁଜିବା ପରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କରାଯାଉଛି। ହେଲେ ଏଥିରେ ଭୟଭୀତ ହୋଇ ପ୍ରବାସୀମାନେ ଘରକୁ ଫେରିବାକୁ ଚେଷ୍ଟା କରୁଥିବା ଖବର ଆସୁଛି। ଓଡ଼ିଶାକୁ ମଧ୍ୟ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀଙ୍କ ଫେରିବାର ସମ୍ଭାବନା ଥିବାରୁ ମଙ୍ଗଳବାର ଜିଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କୋଭିଡ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେଲାଣି, ପ୍ରବାସୀ ଫେରିପାରନ୍ତି। ଡାଟାବେସ୍‌ ସହ ପୂର୍ବ ପ୍ରୋଟୋକଲ ଲାଗୁ କରିବାକୁ ହେବ। ଫେରନ୍ତା ସମସ୍ତ ପ୍ରବାସୀଙ୍କ କ୍ୱାରାଣ୍ଟାଇନ୍‌ ଓ ଟେଷ୍ଟିଂ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ଅକ୍ସିଜେନ୍‌ ବ୍ୟବସ୍ଥା କରାଯିବ। କୋଭିଡ୍‌ ହସ୍ପିଟାଲ ଓ ସିସିସିରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ସେ କହିଛନ୍ତି।

ଆମ ପ୍ରସ୍ତୁତି ଅତି ଖରାପ ପରିସ୍ଥିତି ପର୍ଯ୍ୟନ୍ତ ହେବା ଆବଶ୍ୟକ। ସବୁ ଆକ୍ରାନ୍ତ ଯେଭଳି ଚିକିତ୍ସା ସୁବିଧା ପାଇପାରିବେ। ଏବେ ଯଥେଷ୍ଟ ଔଷଧ ଥିଲେ ବି ଭବିଷ୍ୟତ ପାଇଁ ପର୍ଯ୍ୟାପ୍ତ ମହଜୁଦ ରଖ ବୋଲି ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ରାଜ୍ୟ ସ୍ବାର୍ଥ ପାଇଁ ବିନା ଲକ୍‌ଡାଉନ୍‌ରେ କରୋନା ଟାଳିବା ଲାଗି ଲୋକମାନଙ୍କ ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।