ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ

ପୁରୁଷୋତ୍ତମପୁର,୧୮।୫(ଡି.ଏନ୍‌.ଏ.) : ମା’ ତାରାତାରିଣୀଙ୍କ  ପୀଠ ଚଳଚଞ୍ଚଳ ହୋଇଉଠିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନ ଉଦ୍‌ଘାଟନ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ମା’ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମଙ୍ଗଳକାମନା କରିଛନ୍ତି। ମା’ ତାରାତାରିଣୀଙ୍କ ମନ୍ଦିରର ନୂଆ ରୂପକୁ ଓ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗରମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯେବେ ବି ମା’ଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ। ମା’ତାରାତାରିଣୀ ଆମ ଗଞ୍ଜାମର ଇଷ୍ଟ ଦେବୀ। ଦେଶବାସୀ ଏବଂ ଗଞ୍ଜାମବାସୀଙ୍କ ମଙ୍ଗଳ ପାଇଁ ମା’ଙ୍କ ପାଖରେ ପ୍ରାର୍ଥନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।