କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ଲାଜମା ଚିକିତ୍ସା ନୂଆ ଆଶା ସଞ୍ଚାର କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ଜୁଲାଇ ୧୫ ତାରିଖରେ କଟକ ଏସ୍‌ସିବିରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇସାରିଛି। ତେବେ ବୁଧବାର ରାଉରକେଲା ଆଇଜିଏଚ୍‌ରେ ଏବଂ ପରେ ବ୍ରହ୍ମପୁର ଓ ବୁର୍ଲାରେ ମଧ୍ୟ ପ୍ଲାଜମା ବ୍ୟାଙ୍କର ଉଦ୍‌ଘାଟନ ହେବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଅବସରରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।