ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ଜିଲାବାସୀଙ୍କୁ ଭେଟିଦେଲେ ୪ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗୀର ଜିଲାର ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲା ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ ।

ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଟିଖାଲି ଡ୍ୟାମ ନିକଟରେ ପହଞ୍ଚି ସେହିଠାରେ ହିଁ ସେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ନବୀନ ନୂଆପଡ଼ା ଗସ୍ତ ଅବସରରେ ନୂଆପଡ଼ା ଓ ବଲାଙ୍ଗୀରକୁ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି ଦେବେ ।

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ୭୫୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋୟର ଇନ୍ଦ୍ର ପ୍ରକଳ୍ପରୁ ନୂଆପଡ଼ା ଜିଲାର ଖଡ଼ିଆଳ ଓ ବୋଡେନ ବ୍ଲକରେ ୧୦ହଜାର ୯ଶହ ଓ ବଲାଙ୍ଗୀର ଜିଲାର ଟିଟିଲାଗଡ଼ ବଙ୍ଗୋମୁଣ୍ଡା, ତୁରକେଲା, ମୁରିବାହାଲ ବ୍ଲକର ୧୯ ହଜାର ହେକ୍ଟର ଜମି ଜଳସେଚିତ ହେବ। ଏଥିରେ ଖଡ଼ିଆଳ ଓ ବୋଡେନ ବ୍ଲକର ୨୩ଟି ପଞ୍ଚାୟତର ୭୯ ଗାଁର ୧୯ହଜାର ୭୧୬ ଚାଷୀ ପରିବାର ଉପକୃତ ହୋଇପାରିବେ।