ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ‘ସିଏମ୍ କିଷାନ ଯୋଜନା’ର ରବି ୨୦୨୬-୨୭ ଋତୁ ପାଇଁ ସହାୟତା ରାଶି ବଣ୍ଟନ କରାଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ଚାଷୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଯୋଜନା ଅଧୀନରେ ବରଗଡ଼ ଜିଲାର ମୋଟ ୧ ଲକ୍ଷ ୭୪ ହଜାର ୭୯୮ ଜଣ ହିତାଧିକାରୀ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
ଏହି ପରିପ୍ରେକ୍ଷୀରେ ବରଗଡ଼ସ୍ଥିତ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା MP ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ସମୃଦ୍ଧି ଓ ରବି ଚାଷକୁ ଅଧିକ ଗତିଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଜିଲା ମୁଖ୍ୟ କୃଷି ଅଧିକାରୀ ମମତାରାଣୀ ତ୍ରିପାଠୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ନୃସିଂହ ଚରଣ ବାରିକ ଏବଂ ପଦ୍ମପୁର ମୁଖ୍ୟ କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଜିଲା କୃଷି ବିଭାଗର ସରକାରୀ ତଥ୍ୟାନୁସାରେ, ମୋଟ ୧,୭୪,୭୯୮ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧,୭୪,୪୪୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୩୫୫ ଜଣ ଭୂମିହୀନ କୃଷି ପରିବାର ଅଟନ୍ତି। ଏହି ସହାୟତା ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଉଛି। ଜିଲ୍ଲାର ସୋହେଲା ବ୍ଲକ୍ରେ ସର୍ବାଧିକ ୨୧,୨୭୪ ଜଣ ହିତାଧିକାରୀ ରହିଥିବା ବେଳେ ଗାଇସିଲେଟ୍ରେ ୧୮,୮୫୫, ବିଜେପୁରରେ ୧୬,୧୮୩, ପାଇକମାଳରେ ୧୫,୮୬୮, ପଦ୍ମପୁରରେ ୧୫,୫୦୫, ବରପାଲିରେ ୧୫,୩୦୬, ଭେଡେନ୍ରେ ୧୪,୧୫୮, ଭଟଲିରେ ୧୨,୯୬୨, ବରଗଡ଼ ବ୍ଲକ୍ରେ ୧୨,୮୦୨, ଝାରବନ୍ଧରେ ୧୨,୧୩୯, ଅତାବିରାରେ ୧୧,୨୨୫ ଏବଂ ଅମ୍ବାଭୋନାରେ ୭,୩୧୪ ଜଣ ଚାଷୀ ଏହି ଯୋଜନାରେ ସାମିଲ ଅଛନ୍ତି। ସେହିପରି ପୌରାଞ୍ଚଳଗୁଡ଼ିକ ମଧ୍ୟରେ ବିଜେପୁର NACରେ ୪୯୩, ଅତାବିରା NACରେ ୩୭୭, ବରପାଲି NACରେ ୧୪୭, ବରଗଡ଼ ମ୍ୟୁନିସିପାଲିଟିରେ ୯୬ ଏବଂ ପଦ୍ମପୁର NACରେ ୯୪ ଜଣ ହିତାଧିକାରୀ ରହିଛନ୍ତି।
ରବି ଋତୁରେ ବିହନ, ସାର, କୀଟନାଶକ ଓ ଜମି ପ୍ରସ୍ତୁତି ପାଇଁ ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇବାରେ ଏହି ସହାୟତା ବିଶେଷ ସହାୟକ ହେବ ବୋଲି ଅତିଥିବୃନ୍ଦ କହିଥିଲେ। ଏହାସହ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ବିଭାଗର ବିଶେଷଜ୍ଞମାନେ ଚାଷୀଙ୍କୁ ଆଧୁନିକ ଚାଷ ପ୍ରଣାଳୀ, ରବି ଫସଲ ପରିଚାଳନା ଓ ଉତ୍ପାଦନ ବୃଦ୍ଧି ନେଇ କାର୍ଯ୍ୟକ୍ରମରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।