ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଜୱାଦ’ ଗଭୀର ଅବପାତର ରୂପ ନେବା ପରେ ରବିବାର ଅପରାହ୍ଣରେ ଅବପାତରେ ପରିଣତ ହୋଇଥିଲା। ଆଉ ଏହି ଅବପାତ ଦୁର୍ବଳ ହୋଇଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ କରି ସୂଚନା ଦିଆଯାଇଛି।
ରାଜ୍ୟର ଉପକୂଳ ତଥା ତତ୍‌ ସଂଲଗ୍ନ ଜିଲା ଗୁଡିକରେ ପାଗ ମେଘୁଆ ରହିଛି। ଆଜି ଉତ୍ତର ଉପକୂଳ ଓ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଆଜି ଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ସ୍ବାଭାବିକ ଶୀତ ରହିବ।