ଜଳବାୟୁ ପରିବର୍ତ୍ତନ ଓ ଚାରାରୋପଣ

ଡ. ସଞ୍ଜୟ କୁମାର ସାମନ୍ତରାୟ

ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଏହା ମାନବ ସମାଜ ଓ ସମ୍ପୂର୍ଣ୍ଣ ଜୀବଜଗତ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଆମର ଅଦୂରଦର୍ଶିତା କାର୍ଯ୍ୟଧାରା ପୃଥିବୀର ବାୟୁମଣ୍ଡଳ ପ୍ରଦୂଷଣ କରିବା ସହ ତାପମାତ୍ରାରେ ଅସ୍ବାଭାବିକ ବୃଦ୍ଧି ଘଟାଉଛି। ଏହି ସମସ୍ୟାର ମୁକାବିଲା ପାଇଁ ସାରା ବିଶ୍ୱରେ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ମାଧ୍ୟମରେ ପ୍ରଚେଷ୍ଟା ଜାରି ରହିଛି।
ପରିବର୍ତ୍ତିତ ଜଳବାୟୁରେ ଜନସଂଖ୍ୟା ବୃଦ୍ଧି ହେତୁ କୃଷି, ଶିଳ୍ପ, ପରିବହନ, ଜଳଭଣ୍ଡାର ଓ ରାସ୍ତାଘାଟ ନିର୍ମାଣ ଆଦି କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ଜଙ୍ଗଲ ଧ୍ୱଂସ ହେବା ସହିତ ଜଳ ଓ ଶକ୍ତିର ଚାହିଦା ବୃଦ୍ଧି ପାଇଛି। ଫଳରେ ବିଭିନ୍ନ ଉତ୍ସରୁ ଅନେକ ପରିମାଣର ସବୁଜ ଗୃହ ବାଷ୍ପ ନିର୍ଗତ ହୋଇ ବାୟୁମଣ୍ଡଳରେ ଅବିଚାରିତ ଭାବରେ ମିଶୁଛି। ବିଗତ କିଛି ବର୍ଷ ଧରି ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପର ମାତ୍ରା ଅତି ଦ୍ରୁତ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଶିଳ୍ପ ବିପ୍ଳବ ପରେ ବାୟୁମଣ୍ଡଳରେ ଦୁଇ ପ୍ରମୁଖ ସବୁଜ ଗୃହ ବାଷ୍ପ ଅଙ୍ଗାରକାମ୍ଳ ଓ ମିଥେନର ଘନତା ଯଥାକ୍ରମେ ୩୬ ଓ ୧୪୮ ଭାଗ ବୃଦ୍ଧି ପାଇଛି। ୧୭୫୦ରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଘନତା ୨୮୦ ପିପିଏମ୍‌ (ପାଟର୍‌ସ ପର୍‌ ମିଲିୟନ) ରହିଥିବାବେଳେ ଏବେ ତାହା ୩୮୭ ପିପିଏମ୍‌ରେ ପହଞ୍ଚିଛି। ଏହା ମଧ୍ୟରେ ବାୟୁମଣ୍ଡଳର ମିଥେନର ଘନତା ୭୦୦ ପିପିବି (ପାଟର୍‌ସ ପର୍‌ ବିଲିୟନ)ରୁ ୧୭୪୫ ପିପିବି, ନାଇଟ୍ରସ୍‌ ଅକ୍ସାଇଡର ଘନତା ୨୭୦ ପିପିବିରୁ ୩୧୪ ପିପିବି, କ୍ଲୋରୋଫ୍ଲୁରୋ କାର୍ବନର ଘନତା ଶୂନ୍ୟରୁ ୫୩୩ ପିପିଟି (ପାଟର୍‌ସ ପର୍‌ ଟ୍ରିଲିୟନ)କୁ ବୃଦ୍ଧି ପାଇବାରେ ଲାଗିଛି।
ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡୁଛି ଜୈବବିବିଧତା ଉପରେ। ଏଥିଯୋଗୁ କୃଷି ଓ ପରିବେଶ ଗୁରୁତର ଭାବେ ପ୍ରଭାବିତ ହେଉଛି। ୧୯୯୧ରେ ହୋଇଥିବା ସିହ୍ନା ଓ ସ୍ବାମୀନାଥନ ଅଧ୍ୟୟନ ଅନୁଯାୟୀ ବାୟୁମଣ୍ଡଳରେ ୨ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ବୃଦ୍ଧିରେ ଧାନ ଉତ୍ପାଦନ ହେକ୍ଟର ପିଛା ୦.୭୫ ଟନ୍‌ ହ୍ରାସ ପାଇଛି। ସେହିପରି ଶୀତଦିନେ ଗହମ ଉତ୍ପାଦନ ହେକ୍ଟର ପିଛା ୦.୪୫ ଟନ୍‌ ହ୍ରାସ ଘଟିଛି। ଶୀତଦିନର ଅବଧି କମ୍‌ ରହିବା ହେତୁ ତଥା ବଡ଼ ବାତ୍ୟା ଯୋଗୁ ଶୀତଦିନିଆ ଫସଲ ରୋଗାକ୍ରାନ୍ତ ହୋଇ ଉତ୍ପାଦନ କିଛିବର୍ଷ ଧରି ହ୍ରାସ ପାଇବାରେ ଲାଗିଛି। ତାପମାତ୍ରା ବୃଦ୍ଧି ତଥା ଭୂନିମ୍ନସ୍ଥ ଜଳର ବହୁଳ ବ୍ୟବହାର ଯୋଗୁ ମାଟିର ଜଳଧାରଣ ଶକ୍ତି ହ୍ରାସ ପାଇ ମାଟିତଳର ଜଳସ୍ତର ଦିନକୁ ଦିନ କମି କମି ଯାଉଛି। ଏହା କୃଷି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ବଣଜଙ୍ଗଲ ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି। ଏଥିରେ ଥିବା କୋଟି କୋଟି ଜୀବଜନ୍ତୁ ବୃକ୍ଷଲତା, ମୂଲ୍ୟବାନ ଔଷଧୀୟ ବୃକ୍ଷ, ବହୁ ପ୍ରଜାତିର ଜୀବଜନ୍ତୁ ଓ ବୃକ୍ଷଲତାର ବଂଶ ବିଲୋପ ପାଇବାରେ ଲାଗିଛି। ଅଧିକନ୍ତୁ ମାଛଚାଷ, ଗୋପାଳନ, କୁକୁଡା ଓ ମହୁଚାଷ ମଧ୍ୟ ବହୁଳ ଭାବେ ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନ, ଦୂଷିତ ପରିବେଶ ଓ ତାପମାତ୍ରା ବୃଦ୍ଧି ଯୋଗୁ ମନୁଷ୍ୟ, ଗୋରୁ, ଛେଳି, ମେଣ୍ଢା, ମାଛ, କୁକୁଡ଼ା, ସରୀସୃପ, ବୃକ୍ଷଲତା, ବନ୍ୟଜନ୍ତୁ ନୂଆ ନୂଆ ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁବରଣ କରୁଛନ୍ତି।
ଆମ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଜୈବବିବିଧତା ସଂରକ୍ଷଣ ଅତ୍ୟନ୍ତ ଜରୁରୀ। ଏଥିପାଇଁ ବର୍ତ୍ତମାନ ବିଦ୍ୟମାନ ଥିବା ବଣଜଙ୍ଗଲର ସଂରକ୍ଷଣ, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଗ୍ରାମ୍ୟ ଜଙ୍ଗଲ, ପଥପାର୍ଶ୍ୱ ବନୀକରଣ, ପାକଶାଳ ବଗିଚା ନୂତନ ଭାବେ ସୃଷ୍ଟି କରିବାର ସମୟ ଉପନୀତ। ଚାରା ରୋପଣର ଆବଶ୍ୟକତା ରହିଛି। ବାସ୍ତବରେ ବୃକ୍ଷ ଆମମାନଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଜୀବନ ରକ୍ଷାକାରୀ ଔଷଧ ଏବଂ ଅମ୍ଳଜାନ ଅନବରତ ଯୋଗାଇଥାଏ। ଏହା ଆମ ଜୀବନ ଓ ଜୀବିକାର ଅବିଚ୍ଛେଦ୍ୟ ଅଙ୍ଗ। ଚାରା ଲଗାଇବାର ବୈଜ୍ଞାନିକ ପ୍ରଣାଳୀ, ଏ ଅବସରରେ ଉପସ୍ଥାପନା କରିବାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। ଚାରା ଲଗାଇବା ପୂର୍ବରୁ ଜମି ପ୍ରସ୍ତୁତି (ଗାତ ଖୋଳିବା) ଆବଶ୍ୟକ। ବିଭିନ୍ନ ଚାରା ପାଇଁ ବିଭିନ୍ନ ସାଇଜର ଗାତ ଖୋଳାଯାଏ। ଆମ୍ବ, ପଣସ, ନଡ଼ିଆ, ଲିଚୁ, ଜାମୁକୋଳି, ବେଲ ଇତ୍ୟାଦି ବଡ଼ବଡ଼ ବୃକ୍ଷ ପାଇଁ ଗାତର ସାଇଜ ଲମ୍ବ ୩ ଫୁଟ୍‌, ପ୍ରସ୍ଥ ୩ ଫୁଟ୍‌ ଓ ଉଚ୍ଚତା ୩ ଫୁଟ୍‌ ହିସାବରେ ଖୋଳାଯାଏ। ୨୦ରୁ ୩୦ ଦିନ ପରେ ଗାତଟି ଭଲଭାବେ ଖରାରେ ଶୁଖିଯାଏ। ତା’ପରେ ଗାତ ମଧ୍ୟରେ ଶୁଖିଲା ଡାଳପତ୍ର ପୂରାଇ ନିଆଁ ଲଗାଇ ପୋଡ଼ି ଦିଆଯାଏ। ଫଳରେ ଗାତ ମଧ୍ୟରେ ଥିବା ଉଇ ଓ ଅନିଷ୍ଟକାରୀ କୀଟ ମରିଯାଏ। ଖୋଳାହୋଇଥିବା ଅର୍ଦ୍ଧେକ ତଳ ମାଟିରେ ୨ଝୁଡ଼ି ଶୁଖିଲା ଗୋବର ଖତ, କମ୍ପୋଷ୍ଟ କିମ୍ବା ଜିଆଖତ ସହ ୧୦ରୁ ୨୦ ଗ୍ରାମ୍‌ ଗାମାକ୍ସିନ (ଦିଆସିଲି ଖୋଳରେ ୧ରୁ ୨ ଡବା) ଭଲଭାବେ ମିଶାଇ ଦିଆଯାଏ। ଗଛ ଲଗାଇବା ପୂର୍ବରୁ ଉପର ଅର୍ଦ୍ଧେକ ମାଟିକୁ ଗାତର ଅଧା ପର୍ଯ୍ୟନ୍ତ ଅର୍ଥାତ୍‌ ୧.୫ଫୁଟ ପର୍ଯ୍ୟନ୍ତ ଗାତ ତଳେ ଭର୍ତ୍ତି କରିଦିଆଯାଏ। ତଳ ଅର୍ଦ୍ଧକ ମାଟିରେ ମିଶିଥିବା ଖତ ଓ ଗାମାକ୍ସିନ ଗାତର ଉପର ଅର୍ଦ୍ଧେକ (୧.୫ ଫୁଟ୍‌)ରେ ପୂରାଇ ଗାତଟିକୁ ସମ୍ପୂର୍ଣ୍ଣ ଭାବେ ଭରି ଦିଆଯାଏ। ଏସବୁ କାମ କରିବା ପରେ ଗାତଟି ଗଛ ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ।
ବର୍ଷାଦିନେ ଅର୍ଥାତ୍‌ ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସରେ ପ୍ରସ୍ତୁତ ହୋଇଥିବା ଗାତରେ ଚାରା ରୋପଣ କରିବାର ପ୍ରକୃଷ୍ଟ ସମୟ। ପିଜୁଳି, କମଳା, କାଗିଜି ଲେମ୍ବୁ, କଦଳୀ, ଅମୃତଭଣ୍ଡା, ସଜନା, ନିମ୍ବ ଓ ବାତାପି ବୃକ୍ଷ ପାଇଁ ଗାତର ସାଇଜ ଲମ୍ବ ୨ ଫୁଟ୍‌, ପ୍ରସ୍ଥ ୨ ଫୁଟ୍‌ ଓ ଉଚ୍ଚତା ୨ ଫୁଟ୍‌ ହେବା ଆବଶ୍ୟକ। ଫୁଲ ଓ ଛୋଟ ଗଛ ପାଇଁ ଗାତର ସାଇଜ ଲମ୍ବ ୧ ଫୁଟ୍‌, ପ୍ରସ୍ଥ ୧ଫୁଟ୍‌ ଓ ଉଚ୍ଚତା ୧ ଫୁଟ୍‌ ଦରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅଧିକ ଅମଳକ୍ଷମ ଓ ସୁସ୍ଥ ଚାରା ରୋପଣ କରିବା।
କରୋନା ରୋଗୀମାନେ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁସବୁ ବୃକ୍ଷ ବାୟୁମଣ୍ଡଳକୁ ଅଧିକ ଅମ୍ଳଜାନ ଛାଡ଼ୁଥିବ, ସେସବୁ ବୃକ୍ଷର ଚାରାରୋପଣ କରିବା ଆବଶ୍ୟକ। ସେମାନଙ୍କ ସୁସ୍ଥ ଜୀବନ ପାଇଁ ଯେଉଁ ଫଳରେ ଅଧିକ ପି.ଏଚ., ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ଓ ମିନେରାଲ୍ସ ଥିବ ସେସବୁ ବୃକ୍ଷର ଚାରାଗୁଡ଼ିକୁ ଲଗାଇବା ଅତ୍ୟନ୍ତ ଜରୁରୀ। ବୈଜ୍ଞାନିକମାନଙ୍କ ମତରେ ଅଧିକ ଅମ୍ଳଜାନ ଦେଉଥିବା ବୃକ୍ଷଗୁଡ଼ିକ ମଧ୍ୟରେ ଅଶ୍ୱତ୍ଥ, କରଞ୍ଜ, ବରଗଛ, ନିମ୍ବ ଓ ତୁଳସୀ ମୁଖ୍ୟତଃ ପ୍ରଧାନ। ଫଳଗଛଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା: ପିଜୁଳି, ଆମ୍ବ, କମଳା, କାଗିଜି ଲେମ୍ବୁ, ବାତାପି, ବେଲ ଓ ଜାମୁକୋଳି ଇତ୍ୟାଦି। ଯେଉଁ ଲୋକଙ୍କର ଜମିବାଡ଼ି ଓ ବଗିଚା ନ ଥିବ ସେମାନେ ଘରର ଛାତ ଉପରେ, ପୋଟିକ ଉପରେ, ବାଲ୍‌କୋନିରେ ଓ ଘର ଭିତରେ ବିଭିନ୍ନ ପ୍ରକାର ଚାରା ରୋପଣ କରିପାରିବେ। ଚାରା ରୋପଣ ପାଇଁ ମାଟି ଓ ପାଣି ନିତାନ୍ତ ଆବଶ୍ୟକ। ଓଡ଼ିଶାର ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୦୦ ମିଲିମିଟର। ଆମ ରାଜ୍ୟର ୩୦ଟି ଜିଲାର ମାଟି ଓ ଜଳବାୟୁ ଚାରା ରୋପଣ ପାଇଁ ଯଥେଷ୍ଟ ଅନୁକୂଳ ରହିଛି। ଏହା ଆମ ପାଇଁ ପ୍ରକୃତିର ଏକ ବରଦାନ।
ଜଳବାୟୁ ପରିବର୍ତ୍ତନକୁ ରୋକିବା, ପ୍ରଗତି ନାମରେ ପରିବେଶକୁ ଧ୍ୱଂସ ନ କରିବା, ଅଧିକ ସଂଖ୍ୟକ ଚାରା ରୋପଣ କରିବା ଆବଶ୍ୟକ। ପରିବେଶର ଭାରସାମ୍ୟ ଓ ଜୈବବିବିଧତାର ସଂରକ୍ଷଣ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ, ପ୍ରାକୃତିକ ସମ୍ପଦର ସୀମିତ ବ୍ୟବହାର, ସାମାଜିକ ତଥା ପଥପ୍ରାନ୍ତ ବନୀକରଣ, ବନ ମହୋତ୍ସବ ପାଳନ ଉପରେ ଗୁରୁତ୍ୱ ଦେବା ଦରକାର। ଅଭୟାରଣ୍ୟ ସଂରକ୍ଷଣ, ବିଦ୍ୟୁତ୍‌ ଶକ୍ତିର ସୀମିତ ବ୍ୟବହାର, ସୂର୍ଯ୍ୟ ଓ ପବନ ଶକ୍ତିର ବହୁଳ ବ୍ୟବହାର, ଜୈବିକ ସାରର ଅଧିକ ଉତ୍ପାଦନ ଓ ଚାଷ କ୍ଷେତ୍ରରେ ବ୍ୟବହାର କରିବାକୁ ପଡ଼ିବ। ବାଡ଼ିବଗିଚା ଓ ଛାତ ଉପରେ ପାକଶାଳ ବଗିଚା ଏବଂ କମ୍ପୋଷ୍ଟ ପ୍ରସ୍ତୁତ କରିବା, ତ୍ରିତଳ ଚାଷ ପଦ୍ଧତିର ବହୁଳ ବ୍ୟବହାର, ଶ୍ରୀ ପ୍ରଣାଳୀରେ ଧାନଚାଷ, ଜଳ ସଂରକ୍ଷଣ, ମୋଟର ଗାଡ଼ିର ସୀମିତ ବ୍ୟବହାର ଓ ସର୍ବୋପରି ଜନସଚେତନ ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ।
ପ୍ରତିଷ୍ଠାତା ସଭାପତି, ଭାରତୀୟ ଜଳବାୟୁ କଂଗ୍ରେସ ଓ ପ୍ରାକ୍ତନ ଅଧ୍ୟକ୍ଷ ଓୟୁଏଟି, ଭୁବନେଶ୍ୱର, ମୋ: ୯୪୩୮୧୨୬୯୯୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri