ପୂର୍ବ ହିମାଳୟର ବିରଳ ତଥା ସଂକଟାପନ୍ନ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ଡ. ବରଖା ସୁବ୍ବା ଏକ ପରିଚିତ ନାମ। ଦାର୍ଜିଲିଂର ଚା’ ବଗିଚା ଏବଂ ଘଞ୍ଚ ଜଙ୍ଗଲ ମଧ୍ୟରେ ବଢ଼ିଥିବା ବରଖା ପିଲାଦିନର ପ୍ରକୃତି ପ୍ରେମ ଓ ବନ୍ୟପ୍ରାଣୀଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ପରବର୍ତ୍ତୀ ସମୟରେ ନିଜର ବୃତ୍ତି ଓ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଜଣେ ଅଗ୍ରଣୀ ସଂରକ୍ଷଣ ବୈଜ୍ଞାନିକ ଭାବେ ସେ ବର୍ତ୍ତମାନ ଦାର୍ଜିଲିଂସ୍ଥିତ ବେସରକାରୀ ସଂଗଠନ ‘ଫେଡେରେଶନ ଅଫ୍ ସୋସାଇଟିଜ୍ ଫର୍ ଏନଭାଇରନମେଣ୍ଟାଲ ପ୍ରୋଟେକ୍ସନ’ (ଏଫ୍ଓଏସ୍ଇପି)ରେ ମୁଖ୍ୟ ଗବେଷକ ଭାବେ କାର୍ଯ୍ୟରତ। ବେଙ୍ଗାଲୁରୁସ୍ଥିତ ‘ଆଟ୍ରି’ରୁ ‘କଞ୍ଜରଭେଶନ ସାଇନ୍ସ ଆଣ୍ଡ୍ ସଷ୍ଟେଇନ୍ବିଲିଟି ଷ୍ଟଡିଜ୍’ରେ ପିଏଚ୍.ଡି. ହାସଲ କରିଥିବା ବରଖାଙ୍କ ନିକଟରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଏକ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ପରିବେଶ ବିଜ୍ଞାନ ଏବଂ ଗୋଷ୍ଠୀଭିତ୍ତିକ ସଂରକ୍ଷଣକୁ ଏକାଠି କରି ସେ ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ଜଟିଳ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ପ୍ରାଗୈତିହାସିକ ତଥା ବିଲୁପ୍ତପ୍ରାୟ ‘ହିମାଳୟନ ସାଲାମାଣ୍ଡର’ ଏବଂ ଏହାର ଆର୍ଦ୍ରଭୂମିର ସୁରକ୍ଷା ପାଇଁ ଆରମ୍ଭ କରିଥିବା ତାଙ୍କର ବହୁଚର୍ଚ୍ଚିତ ପ୍ରକଳ୍ପ ‘ସର୍ଭାଇଭର୍ ଅଫ୍ ଏ ଲଷ୍ଟ ୱାଲର୍ଡ: ସେଭିଂ ଦି ହିମାଳୟନ ସାଲାମାଣ୍ଡର ଆଣ୍ଡ୍ ଇଟ୍ସ ୱେଟଲ୍ୟାଣ୍ଡସ’ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇଛି। ଏହି ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୨୬ରେ ବିଶ୍ୱପ୍ରସିଦ୍ଧ ‘ହୁଇଟଲେ ଆୱାର୍ଡ’ ଲାଭ କରିଛନ୍ତି, ଯାହା ପରିବେଶ କ୍ଷେତ୍ରରେ ‘ଗ୍ରୀନ୍ ଓସ୍କାର’ ଭାବେ ପରିଚିତ। ‘ହୁଇଟଲେ ଆୱାର୍ଡ’ ସହାୟତାରେ ସେ ୨୦୦ରୁ ଅଧିକ ଚା’ ବଗିଚା ଶ୍ରମିକ, ଯୁବପିଢ଼ି, ସ୍ଥାନୀୟ ନେତୃବୃନ୍ଦ ଏବଂ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଏହି ସଂରକ୍ଷଣ ଅଭିଯାନରେ ସାମିଲ କରୁଛନ୍ତି।
ଡ. ବରଖା ସୁବ୍ବା
ସଂରକ୍ଷଣ ଜୀବବିଜ୍ଞାନୀ ‘ଏଫ୍ଓଏସ୍ଇପି’
ପ୍ରଫେସର ବି.ସି. (ବିନୋଦ ଚନ୍ଦ୍ର) ଚୌଧୁରୀ ଜଣେ ବିଶିଷ୍ଟ ବନ୍ୟପ୍ରାଣୀ ଜୀବବିଜ୍ଞାନୀ, ପ୍ରଖ୍ୟାତ ଶିକ୍ଷକ, ସରୀସୃପ ବିଶେଷଜ୍ଞ ଏବଂ ଆର୍ଦ୍ରଭୂମି ସମ୍ବଳ ବିଶେଷଜ୍ଞ। ଦେଶରେ ବନ୍ୟପ୍ରାଣୀ ଅଧ୍ୟୟନ ଏକ ସ୍ବତନ୍ତ୍ର ବିଜ୍ଞାନ ଭାବେ ପ୍ରତିଷ୍ଠା ହେବା ସମୟରୁ ହିଁ ତାଙ୍କର ଏହି କ୍ଷେତ୍ରରେ ଯାତ୍ରା ଆରମ୍ଭ ହୋଇଥିଲା। ଡେରାଡୁନସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡବ୍ଲ୍ୟୁଆଇଆଇ)ରେ ପ୍ରାୟ ତିନି ଦଶନ୍ଧିର ଦୀର୍ଘ ସେବା ପରେ, ସେ ୨୦୧୨ରେ ବରିଷ୍ଠ ପ୍ରଫେସର ଏବଂ ବୈଜ୍ଞାନିକ ‘ଜି’ ଭାବେ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ୱାଇଲ୍ଡଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଟିଆଇ) ର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ତଥା ଜଳଜ ପ୍ରକଳ୍ପର ମୁଖ୍ୟ ଅନୁସନ୍ଧାନକାରୀ ଭାବେ କାର୍ଯ୍ୟ କରିବା ସହ ଡବ୍ଲ୍ୟୁଡବ୍ଲ୍ୟୁଏଫ୍-ଇଣ୍ଡିଆ ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାର ବରିଷ୍ଠ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସମ୍ବଳ ପରିଚାଳନା କ୍ଷେତ୍ରରେ ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ପ୍ରଫେସର ଚୌଧୁରୀ ୩୦ ବର୍ଷରୁ ଅଧିକ ସମୟ ଧରି ବନ୍ୟପ୍ରାଣୀ ପରିଚାଳକ, ଜୀବବିଜ୍ଞାନୀ ଏବଂ ସମାଜବିଜ୍ଞାନୀମାନଙ୍କୁ ତାଲିମ ଦେଇଆସୁଛନ୍ତି। ସେ ଭାରତ ଏବଂ ନେପାଳରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ବାସସ୍ଥାନ ପରିଚାଳନା ସମ୍ବନ୍ଧୀୟ ୫୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରକଳ୍ପର ପରିଚାଳନା ଓ ସମନ୍ବୟ କରିଛନ୍ତି। ବିଭିନ୍ନ ପ୍ରତିଷ୍ଠିତ ପତ୍ରିକା ଏବଂ ବୈଷୟିକ ରିପୋର୍ଟରେ ତାଙ୍କର ୧୦୦ରୁ ଅଧିକ ଗବେଷଣାତ୍ମକ ପ୍ରବନ୍ଧ ତଥା ବନ୍ୟପ୍ରାଣୀ ସଂରକ୍ଷଣ ପୁସ୍ତକରେ ଅସଂଖ୍ୟ ଅଧ୍ୟାୟ ପ୍ରକାଶିତ ହୋଇଛି।
ପ୍ରଫେସର ବି.ସି. ଚୌଧୁରୀ
ପରାମର୍ଶଦାତା, ଡବ୍ଲ୍ୟୁଟିଆଇ, ଡବ୍ଲ୍ୟୁଡବ୍ଲ୍ୟୁଏଫ୍-ଇଣ୍ଡିଆ
ହ୍ରଦ ଓ ଜଳାଶୟ ସଂରକ୍ଷଣର ଅନନ୍ୟ ଯୋଦ୍ଧା ଭାବେ ଏକ ପରିଚିତ ନାମ ହେଉଛି ଅରୁଣ କ୍ରିଷ୍ଣମୂର୍ତ୍ତି। ୧୯୮୬ରେ ଜନ୍ମ ଗ୍ରହଣ କରିଥିବା ଅରୁଣଙ୍କ ପିଲାଦିନ ଚେନ୍ନାଇ ମୁଦିଚର ଗ୍ରାମରେ କଟିଥିଲା। ଭାରତର ବିଭିନ୍ନ ହ୍ରଦ ଓ ଜଳାଶୟ ସଫେଇ ଅଭିଯାନରେ ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ତାଙ୍କର ନିଷ୍ଠାପର ଉଦ୍ୟମରେ ୨୦୦୭ରେ ପ୍ରତିଷ୍ଠା ହୋଇଛି ଅନ୍ତର୍ଜାତୀୟସ୍ତରୀୟ ସ୍ବୀକୃତିପ୍ରାପ୍ତ ସଙ୍ଗଠନ ‘ଏନ୍ଭାଇରନମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ’ ବା ଇଏଫ୍ଆଇ। ୨୦୧୨ରେ ଏହା ଏକ ଟ୍ରଷ୍ଟ ଭାବେ ପଞ୍ଜୀକୃତ ହୋଇଛି। ଅରୁଣ ଏବଂ ତାଙ୍କ ସଂସ୍ଥା ମିଶି ଅଦ୍ୟାବଧି ଶତାଧିକ ହ୍ରଦ, ଜଳାଶୟ ସଫା କରିବାରେ ସଫଳ ହୋଇଛନ୍ତି। ଚେନ୍ନାଇକୁ ମୁଖ୍ୟ କାର୍ଯ୍ୟାଳୟ କରି ଏହି ସଂଗଠନ ଦେଶର ୧୫ଟି ରାଜ୍ୟରେ ପରିବେଶ ସୁରକ୍ଷା କାର୍ଯ୍ୟ ଜାରି ରଖିଛି। ମାଡ୍ରାସ ଖ୍ରୀଷ୍ଟିଆନ୍ କଲେଜରୁ ମାଇକ୍ରୋବାୟୋଲୋଜିରେ ସ୍ନାତକ ଶିକ୍ଷା ଶେଷ କରିଛନ୍ତି। ଅରୁଣ ପରିବେଶ ସମ୍ବନ୍ଧୀୟ ଡକ୍ୟୁମେଣ୍ଟାରି ଫିଲ୍ମର ନିର୍ଦ୍ଦେଶନା ପାଇଁ ମଧ୍ୟ ଜଣାଶୁଣା। ତାଙ୍କ ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ଟେଲିଭିଜନରେ ପ୍ରସାରିତ ହୋଇଛି। ତାମିଲନାଡୁର ନଦୀଗୁଡ଼ିକ ଉପରେ ସେ କରିଥିବା ଟ୍ରାଭେଲ ଡକ୍ୟୁମେଣ୍ଟାରି ଫିଲ୍ମ ବେଶ ଲୋକାଦୃତି ହୋଇଛି।
ଅରୁଣ କ୍ରିଷ୍ଣମୂର୍ତ୍ତି
ଇଏଫ୍ଆଇ ପ୍ରତିଷ୍ଠାତା
ଆର ଡ. ଆରୋନ ସାଭିଓ ଲୋବୋ ଜଣେ ବିଶିଷ୍ଟ ସାମୁଦ୍ରିକ ସଂରକ୍ଷଣ ବୈଜ୍ଞାନିକ ଓ ପ୍ରକୃତିପ୍ରେମୀ। ସୋସିଆଲ ମିଡିଆରେ ‘@meenscientist’ ଭାବେ ପରିଚିତ ଡ, ଲୋବୋ ପୃଥିବୀକୁ ଦୁଇଟି ଦୃଷ୍ଟିକୋଣରୁ ଦେଖିଥାନ୍ତି, ତାହା ହେଉଛି ପ୍ରକୃତି ଏବଂ ଖାଦ୍ୟ। ଆମେ କ’ଣ ଖାଉଛେ, ତାହା କେଉଁଠୁ ଆସୁଛି, କିଏ ଏବଂ କେଉଁ ମୂଲ୍ୟରେ ତାହା ଉତ୍ପାଦନ କରୁଛି ଏବଂ ସର୍ବୋପରି କିପରି ନିରନ୍ତର ଉପାୟରେ ସମଗ୍ର ବିଶ୍ୱର ଖାଦ୍ୟ ଆବଶ୍ୟକତା ପୂରଣ କରାଯାଇପାରିବ, ତାହା ହିଁ ତାଙ୍କ ଗବେଷଣା ଓ ଚିନ୍ତନର ମୁଖ୍ୟ କେନ୍ଦ୍ରବିନ୍ଦୁ। ପୃଥିବୀର ୭୦%ରୁ ଅଧିକ ଭାଗ ସମୁଦ୍ର ଦ୍ୱାରା ଆବୃତ ହୋଇଥିବାରୁ ସେ ସାମୁଦ୍ରିକ ପରିବେଶ ଓ ମତ୍ସ୍ୟ ସମ୍ପଦର ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି। ତାଙ୍କ ପ୍ରମୁଖ କାର୍ଯ୍ୟକ୍ଷେତ୍ର ମଧ୍ୟରେ କ୍ରାନ୍ତୀୟ (ଟ୍ରପିକାଲ୍) ମତ୍ସ୍ୟଚାଷ ଦ୍ୱାରା ପରିସଂସ୍ଥାନ ଏବଂ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପଡ଼ୁଥିବା ପ୍ରଭାବର ଅନୁଧ୍ୟାନ କରିବା ସହ ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳର ସୁପରିଚାଳନା ପାଇଁ ଜନଭାଗୀଦାରି ମଡେଲ ପ୍ରସ୍ତୁତ କରିବା ଅନ୍ୟତମ। ଏହାବ୍ୟତୀତ ସେ କ୍ଷୁଦ୍ର ମତ୍ସ୍ୟଚାଷର ତଦାରଖ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏବଂ ଦୀର୍ଘସ୍ଥାୟୀ ସାମୁଦ୍ରିକ ଖାଦ୍ୟ ଅଭ୍ୟାସ ନିମନ୍ତେ ‘ସି-ଫୁଡ୍ ଆଡଭାଇଜରି ସର୍ଭିସେସ୍’ ପ୍ରତିଷ୍ଠା କରିବା ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ଉପକୂଳବର୍ତ୍ତୀ ସହରଗୁଡ଼ିକ ପାଇଁ ଦୀର୍ଘସ୍ଥାୟୀ ସମାଧାନ ବିକଶିତ କରିବା ନିମନ୍ତେ ସେ ନଗର ଯୋଜନାକାରୀ, ସ୍ଥପତି ଏବଂ ସିଟି ପ୍ଲାନର୍ଙ୍କ ସହ କାର୍ଯ୍ୟ କରିଛନ୍ତି। ଏଥିସହ ସାମୁଦ୍ରିକ ପରିବେଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ଡିଜାଇନରମାନଙ୍କ ସହଯୋଗ ନେଇଛନ୍ତି।
ଡ. ଆରୋନ ସାଭିଓ ଲୋବୋ
ସାମୁଦ୍ରିକ ସଂରକ୍ଷଣ ବିଜ୍ଞାନିକ
ମାଡ୍ରାସରେ ଜନ୍ମିତ ଡ. କାର୍ତ୍ତିକ ଶଙ୍କର ଭାରତର ଜଣେ ବିଶିଷ୍ଟ ପରିବେଶବିତ୍, ଗବେଷକ ଏବଂ ସାମୁଦ୍ରିକ ସଂରକ୍ଷଣ କ୍ଷେତ୍ରର ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ। ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ୍ସି)ର ‘ସେଣ୍ଟର ଫର୍ ଇକୋଲୋଜିକାଲ ସାଇନ୍ସେସ’ (ସିଇଏସ୍) ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ଏହା ସହିତ ସେ ‘ଦକ୍ଷିଣ ଫାଉଣ୍ଡେଶନ’ର ପ୍ରତିଷ୍ଠାତା ଟ୍ରଷ୍ଟି (୨୦୦୮ରୁ) ତଥା ‘ଦକ୍ଷିଣ ଏଣ୍ଡେଭର୍ସ ଆସୋସିଏଶନ’ର ପ୍ରତିଷ୍ଠାତା। ଭାରତୀୟ ବିଜ୍ଞାନ ସଂସ୍ଥାନର ସେଣ୍ଟର ଫର୍ ଇକୋଲୋଜିକାଲ ସାଇନ୍ସେସ୍ରୁ ପିଏଚ୍.ଡି. ହାସଲ କରିଥିବା ଡ. ଶଙ୍କରଙ୍କର ପାର୍ବତ୍ୟ ଏବଂ ସାମୁଦ୍ରିକ ଇକୋସିଷ୍ଟମ୍ ଉପରେ ଗଭୀର ରୁଚି ରହିଛି। ଗତ ୨ ଦଶନ୍ଧି ଧରି ସାମୁଦ୍ରିକ କଇଁଛଙ୍କ ଉପରେ ତାଙ୍କର ଗବେଷଣା ତାଙ୍କୁ ଉପକୂଳବର୍ତ୍ତୀ ଏବଂ ସାମୁଦ୍ରିକ ସଂରକ୍ଷଣ ଦିଗରେ ବ୍ୟାପକ ଭାବେ କାର୍ଯ୍ୟ କରିବାକୁ ପ୍ରେରିତ କରିଛି। ଡ. ଶଙ୍କରଙ୍କ ମତରେ, ଯେକୌଣସି ସଂରକ୍ଷଣ କାର୍ଯ୍ୟକ୍ରମର ସଫଳତା ମୁଖ୍ୟତଃ ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ପରିପ୍ରେକ୍ଷୀ ଉପରେ ନିର୍ଭର କରିଥାଏ। ବିଜ୍ଞାନକୁ ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ ସେ ‘କରେଣ୍ଟ କଞ୍ଜରଭେଶନ’ ନାମକ ଏକ ପତ୍ରିକା ପ୍ରତିଷ୍ଠା କରିଛନ୍ତି, ଯାହା ବିଶ୍ୱର ବିଭିନ୍ନ ପ୍ରାନ୍ତର ଗବେଷକ, ଲେଖକ ଏବଂ କଳାକାରଙ୍କୁ ଏକାଠି କରି କଳା ମାଧ୍ୟମରେ ପରିବେଶ ସଂରକ୍ଷଣର ବାର୍ତ୍ତା ପ୍ରଚାର କରୁଛି। ଡ. ଶଙ୍କରଙ୍କ ଚର୍ଚ୍ଚିତ ପୁସ୍ତକ ‘ଫ୍ରମ୍ ସୁପ୍ ଟୁ ସୁପରଷ୍ଟାର୍’ ଭାରତରେ ସାମୁଦ୍ରିକ ସଂରକ୍ଷଣର ବ୍ୟାପକ ବିବରଣୀ ପ୍ରଦାନ କରେ। ଏହି ପୁସ୍ତକରେ ସାମୁଦ୍ରିକ କଇଁଛଙ୍କ ଯାତ୍ରାକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି।
ଡ. କାର୍ତ୍ତିକ ଶଙ୍କର
‘ଦକ୍ଷିଣ ଫାଉଣ୍ଡେଶନ’ର
ପ୍ରତିଷ୍ଠାତା ଟ୍ରଷ୍ଟ
ଶୁଭାଙ୍ଗୀ ରଥ ଓଡ଼ିଶାର ଜଣେ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ, ଗବେଷକ। ବର୍ତ୍ତମାନ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଅର୍ଥନୀତି ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ। ତାଙ୍କର ଅନେକ ଗବେଷଣାତ୍ମକ ପ୍ରବନ୍ଧ, ପୁସ୍ତକ ଅଧ୍ୟାୟ, ତାଲିମ ପୁସ୍ତିକା ଏବଂ ରିପୋର୍ଟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇଛି। ଏଥିସହ ସେ ବହୁ ପ୍ରତିଷ୍ଠିତ ଗବେଷଣା ପତ୍ରିକାର ସମୀକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଶୁଭାଙ୍ଗୀ ନିଜ ଶିକ୍ଷା ଓ ଗବେଷଣା ପାଇଁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନର ଅଧିକାରିଣୀ ହୋଇଛନ୍ତି। ସେ ଦୁଇଥର‘କୁଳାଧିପତି ପୁରସ୍କାର’ ପାଇବା ସହ ଚେନ୍ନାଇଠାରେ ଅନୁଷ୍ଠିତ ସର୍ବଭାରତୀୟ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶିକ୍ଷାଦାନ ଓ ଗବେଷଣା ବ୍ୟତୀତ ଶୁଭାଙ୍ଗୀ ଜଣେ ପ୍ରେରଣାଦାୟୀ ବକ୍ତା ଭାବେ ପରିଚିତ।
ଡ. ଶୁଭାଙ୍ଗୀ ରଥ
ଆସିଷ୍ଟାଣ୍ଟ ପ୍ରଫେସର, କୃଷି ଅର୍ଥନୀତି, ଓୟୁଏଟି
ଚିଲିକା ହ୍ରଦର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ମଙ୍ଗଳାଯୋଡ଼ିର ଜଣେ ବିଶିଷ୍ଟ ପରିବେଶ ସଂରକ୍ଷଣବିତ୍ ହେଉଛନ୍ତି ନନ୍ଦକିଶୋର ଭୁଜବଳ। ପକ୍ଷୀ ଶିକାର ଭଳି ଏକ ଅନ୍ଧକାର ପଥରୁ ଫେରି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ଭୁଜବଳ ଆଜି ସମଗ୍ର ବିଶ୍ୱ ପାଇଁ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ। ତାଙ୍କର ଏହି ଅଭିନବ ପ୍ରୟାସ ମଙ୍ଗଳାଯୋଡ଼ିରେ ଏକ ଅଦ୍ଭୁତପୂର୍ବ ଜନ-କୈନ୍ଦ୍ରିକ ସଂରକ୍ଷଣ ଆନ୍ଦୋଳନର ସୂତ୍ରପାତ କରିଛି। ସ୍ଥାନୀୟ ଶିକାରୀମାନଙ୍କୁ ପକ୍ଷୀ ଶିକାର ଛାଡ଼ି ସେମାନଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ବୁଝାଇବାରେ ଭୁଜବଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ‘ୱାଇଲ୍ଡ ଓଡ଼ିଶା’ ସହ ଜଡ଼ିତ ରହି ସେ ‘ଶ୍ରୀ ଶ୍ରୀ ମହାବୀର ପକ୍ଷୀ ସୁରକ୍ଷା ସମିତି’ ମାଧ୍ୟମରେ ଗ୍ରାମବାସୀଙ୍କୁ ଏକଜୁଟ କରିଥିଲେ ଏବଂ ଆର୍ଦ୍ରଭୂମି ତଥା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ। ୨୦୦୨ରେ ଏହି ଅଭିଯାନ ଏକ ଐତିହାସିକ ମୋଡ଼ ନେଇଥିଲା, ଯେତେବେଳେ ସେ ଏବଂ ତାଙ୍କ ସାଥୀ ଗ୍ରାମବାସୀମାନେ ମା’ କାଳୀଜାଈ ମନ୍ଦିରରେ ପକ୍ଷୀ ଶିକାର ତ୍ୟାଗ କରି ସେମାନଙ୍କର ସୁରକ୍ଷା କରିବାକୁ ଶପଥ ନେଇଥିଲେ। ସଂରକ୍ଷଣ ଅଭିଯାନକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ସ୍ଥାନୀୟ ଲୋକଙ୍କ ଜୀବିକା ସୁରକ୍ଷା ଜରୁରୀ ବୋଲି ଭୁଜବଳ ହୃଦୟଙ୍ଗମ କରିଥିଲେ। ତେଣୁ ସେ ପୂର୍ବତନ ଶିକାରୀମାନଙ୍କୁ ପକ୍ଷୀ, ଆର୍ଦ୍ରଭୂମି ଏବଂ ପକ୍ଷୀଙ୍କ ଗତିପଥ ସମ୍ପର୍କରେ ଥିବା ସେମାନଙ୍କର ପାରମ୍ପରିକ ଜ୍ଞାନକୁ ଉପଯୋଗ କରି ‘ନେଚର ଗାଇଡ୍’ ଏବଂ ନାଉରିଆ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଏହି ପଦକ୍ଷେପ ଇକୋ-ଟୁରିଜିମ ମାଧ୍ୟମରେ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି କରିବା ସହ ମଙ୍ଗଳାଯୋଡ଼ିର ସମୃଦ୍ଧ ଜୈବବିବିଧତା ସୁରକ୍ଷାରେ ସ୍ଥାନୀୟ ସମ୍ପ୍ରଦାୟର ଭାଗୀଦାରୀକୁ ସୁଦୃଢ଼ କରିଥିଲା। ଯେଉଁ ମଙ୍ଗଳାଯୋଡ଼ି ଦିନେ ବିଦେଶାଗତ ପକ୍ଷୀ ଶିକାର ପାଇଁ କୁଖ୍ୟାତ ଥିଲା, ତାହା ଆଜି ତୃଣମୂଳ ସ୍ତରର ସଂରକ୍ଷଣର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଛି। ପ୍ରତି ଶୀତଋତୁରେ ଚିଲିକାକୁ ଆସୁଥିବା ବହୁ ହଜାର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ସ୍ଥାନୀୟ ବାସିନ୍ଦାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।
ନନ୍ଦକିଶୋର ଭୁଜବଳ
ପକ୍ଷୀ ଶିକାରୀରୁ ଚିଲିକା ବିହଙ୍ଗଙ୍କ ସୁରକ୍ଷା କବଚ