ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସ୍ବଚ୍ଛତାର ଗୁରୁତ୍ୱ ଏବଂ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ମେଡିକାଲ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ, ଶୁଳପାଣି ଶତପଥୀ, କର୍ମଚାରୀ ଶିବଶଙ୍କର ପ୍ରଧାନ, ରୋଟାରୀ କ୍ଲବର ସଭାପତି ଏବଂ ‘ବିପଦର ବନ୍ଧୁ’ର କର୍ମକର୍ତ୍ତାମାନେ ଯୋଗଦେଇ ସୱଚ୍ଛତା ଓ ସୁସ୍ଥ ପରିବେଶ ଗଠନ ଉପରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀ ସ୍ବଚ୍ଛତା ଶପଥ ଗ୍ରହଣ କରିବା ସହ ହସ୍ପିଟାଲ ତଥା ଏହାର ପରିବେଶକୁ ପରିଷ୍କାର ଓ ସ୍ବଚ୍ଛ ରଖିବା ପାଇଁ ସଂକଳ୍ପ ନେଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ବାବୁଲା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ, ହସ୍ପିଟାଲ କର୍ମଚାରୀ ଓ ଅନ୍ୟ ଅଂଶଗ୍ରହଣକାରୀମାନେ ମିଳିତ ଭାବେ ହସ୍ପିଟାଲ ପରିସରରେ ସଫେଇ କାର୍ଯ୍ୟ କରିଥିଲେ।

ସୂଚନାଯୋଗ୍ୟ ଯେ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ଗଗନ ବିହାରୀ ପୁରୋହିତଙ୍କ ନିର୍ଦ୍ଦେଶରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର ସ୍ବେଚ୍ଛାସେବୀମାନେ ମଧ୍ୟ ଏହି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ଏଥିସହ ମହାବିଦ୍ୟାଳୟ ପରିସରରେ ଏନ୍‌ଏସି ଆର୍ମି ୱିଙ୍ଗ ଓ ନାଭାଲ ୟୁନିଟ ପକ୍ଷରୁ ମଧ୍ୟ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ସିଟିଓ ଅର୍ପଣ ପ୍ରଧାନ, ବିଦେଶୀ ରାଉତ ଓ ଆଇକ୍ୟୁଏସି ସଂଯୋଜକ ଦେବାଶିଷ ସ୍ବାଇଁ ପରିଚାଳନା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ପ୍ରତିବର୍ଷ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସ୍ବଚ୍ଛତା ହିଁ ସେବା’ ପକ୍ଷ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଭିନ୍ନ ଅନୁଷ୍ଠାନରେ ସଫେଇ ସହ ଚାରାରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ମଧ୍ୟ ଏହି ଅବସରରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ଯୋଗଦେଇ ଗାନ୍ଧୀ ଜୟନ୍ତୀର ମହତ୍ତ୍ୱ ଓ ମହାତ୍ମା ଗାନ୍ଧୀଙ୍କ ସ୍ବଚ୍ଛତା ବାର୍ତ୍ତା ସମ୍ପର୍କରେ ଆଲୋକପାତ କରିଥିଲେ।

 

Dharitri – Odisha’s No.1 Odia Daily

 

Share