ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର , ସ୍ବଚ୍ଛ ଓ ଆଦର୍ଶ ଜିଲା ରେ ପରିଣତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଠାରୁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ବ୍ଳକ ଏବଂ ପଞ୍ଚାୟତ ମାନଙ୍କରେ ଆମ ଗଞ୍ଜାମ ସ୍ବଚ୍ଛ ଗଞ୍ଜାମ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ମଙ୍ଗଳବାର ସକାଳୁ ଦିଗପହଣ୍ଡି ବ୍ଳକର ୨୫ ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ ଗଣେଶ୍ୱରପୁର ଗଣିଆନାଳ ଛକ ରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନେତୃତ୍ୱରେ ବିଡ଼ିଓ ଅନାମିକା ପାଣ୍ଡେ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଇଂ . ଭୀମା ରାଓ , ସ୍ଥାନୀୟ ସରପଞ୍ଚ ବିଜୟ କୁମାର ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଦାସ, ବିଆରସି ନାଗେଶ୍ଵର ମହାନାୟକ, ଯୋଗାଣ ସହାୟକ ରାକେଶ ସାହୁ, ୱାର୍ଡ ମେମ୍ବର ସୁଶାନ୍ତ ସ୍ବାଇଁ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାସ୍ତାଘାଟ ସଫେଇ କରିଥିଲେ । ପ୍ଲାଷ୍ଟିକ ସାମଗ୍ରୀ ବ୍ଯବହାର କମାଇବା , ଆବର୍ଜନା ଏଣେତେଣେ ଫୋପାଡିବା ନାହିଁ, ଜଳସ୍ରୋତ ଓ ପରିବେଶକୁ ସୁରକ୍ଷା , ସ୍ବଚ୍ଛତାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ପ୍ରତ୍ୟେକ ମଙ୍ଗଳବାର ଗାଁ ପରିବେଶକୁ ସୁରକ୍ଷିତ କରିବା ସକାଶେ ସାହି , ରାସ୍ତା , ପୋଖରୀ , ବିଦ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନକୁ ସ୍ବଚ୍ଛ ରଖିବା ନେଇ ଉପସ୍ଥିତ ଗ୍ରାମବାସୀ ,କର୍ମଚାରୀ ବୃନ୍ଦ ଙ୍କୁ ଡେପୁଟି କମିଶନର ସାମୁହିକ ଶପଥ ପାଠ କରାଇବା ପରେ ବିଭିନ୍ନ ସ୍ଥାନ କୁ ସଫେଇ କରାଯାଇଥିଲା। ଏହି ଅଭିଯାନରେ ପଞ୍ଚାୟତର ଅଙ୍ଗନୱାଡ଼ି , ଆଶାକର୍ମୀ , ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ , ସଫେଇ କର୍ମଚାରୀ , ସିଆରପି , ଏମବିକେ ସଭ୍ୟା ସଭ୍ୟ ସାମିଲ ହୋଇଥିଲେ।