ଧାରଣାରେ ବସିଲେ ସଫେଇ କର୍ମଚାରୀ

ଭଦ୍ରକ ଅଫିସ,୧୯।୮: ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀମାନେ ୧୦ ମାସର ଇପିଏଫ୍‌ ଓ ଇଏସ୍‌ଆଇ ଟଙ୍କା ଦାବିରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏପରିକି ଶତାଧିକ କର୍ମଚାରୀ ପୌରପାଳିକା ଅଫିସ୍‌ରେ ପାଟିତୁଣ୍ଡ କରିଥିବା ଜଣାପଡ଼ିଛି। ଶୁକ୍ରବାର ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ସମସ୍ତ କର୍ମଚାରୀ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ପୌରପାଳିକା କାର୍ଯ୍ୟାଳୟ ନିକଟରେ ପହଞ୍ଚି ଧାରଣା ଦେଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ଟାଉନ ଥାନା ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମଧ୍ୟାହ୍ନରେ ଆଲୋଚନା ପରେ ପୌରପାଳିକା ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଇପିଏଫ୍‌ ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ ବୋଲି କହିଛନ୍ତି। ପରେ ଆନ୍ଦୋଳନ ହଟିଛି।