ସଫେଇ ସାକ୍ଷୀ

ସାଧାରଣ ମଣିଷ ଜୀବନରେ ଭୁଲ୍‌ ତ୍ରୁଟିି ଦେଖାଯିବାରେ କିଛି ବିଚିତ୍ରତା ନ ଥାଏ। ଏହା ଏକ ସ୍ବାଭାବିକ କଥା। ସଂସାରରେ ତ୍ରୁଟିଶୂନ୍ୟ ମଣିଷଟେ ମିଳିବା ବିରଳ। ସେହିପରି ଦୋଷ ଦୁର୍ବଳତା ନ ଥିବା ମଣିଷଟେ ବି ଖୋଜିଲେ ମିଳିବନି। ଜାଣତରେ ହେଉ ଅଥବା ଅଜାଣତରେ ଆମେ ସମସ୍ତେ କିଛି ନା କିଛି ତ୍ରୁଟି କରିଥାଉ। ଆମେ କହୁଥିବା କଥା ଅଥବା କରୁଥିବା କାମ ଯେବେ କାହାକୁ ମାନସିକ ଭାବେ ଆଘାତ ଦିଏ କିମ୍ବା କାହାର କିଛି କ୍ଷତି ଘଟାଏ ଆଉ ଏହାକୁ ନେଇ ଆମ ଉପରକୁ ଅଙ୍ଗୁଳି ଉଠେ ତ ସେତେବେଳେ ଆମେ ସଫେଇ ଦେବାକୁ ତୟାର ହୋଇଯାଉ। ଏହି କ୍ରମରେ ପ୍ରିୟ ପରିଜନଙ୍କଠାରୁ ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କ ସହ କୌଣସି ଘଟଣାକୁ ନେଇ ଆମର ଭୁଲ୍‌ବୁଝାମଣା ସୃଷ୍ଟି ହୋଇ କଥା ତିକ୍ତତା ଆଡ଼କୁ ଗତିକରେ ସେତେବେଳେ ଆମେ ଏହାକୁ ନେଇ କିଛି ନା କିଛି ସଫେଇ ଦେବାକୁ ଚେଷ୍ଟା କରିଥାଆନ୍ତି। ଏହା ହୁଏତ ମିଛ କିମ୍ବା ସତ ଉପରେ ଆଧାରିତ ହୋଇପାରେ। ସେହିପରି ଆମ ସଫେଇକୁ ସେ ବିଶ୍ୱାସ ନେଇପାରନ୍ତି, ନ ନେଇ ବି ପାରନ୍ତି। ଏସବୁ ତାଙ୍କ ଉପରେ ନିର୍ଭର କରିଥାଏ।
ସବୁଠାରୁ ବଡ କଥା ହେଉଛି ଆମ ଦ୍ୱାରା ପ୍ରକୃତରେ ଯଦି କିଛି ତ୍ରୁଟି ହୋଇଥାଏ ତେବେ ଏହାକୁ ସ୍ବୀକାର କରିନେବା ଉଚିତ। ଅଯଥାରେ କେବେ କାହା ଆଗରେ ସଫେଇ ଦେବା ଅନାବଶ୍ୟକ। କାରଣ ଆପଣଙ୍କ ଉପରେ ଯାହାର ବିଶ୍ୱାସ ଅଛି ତାକୁ ଏହା ଜରୁରୀ ନୁହେଁ ଆଉ ଯାହାର ତୁମ ଉପରେ ଭରସା ନାହିଁ ସେ ଏହାକୁ ଆଦୌ ମାନିବ ନାହିଁ। ଅନେକ ସମୟରେ କଥା କହୁ କହୁ ଲୋକେ କ’ଣ ନାହିଁ କ’ଣ କହିପକାନ୍ତି। ହିତାହିତ ଜ୍ଞାନ ଭୁଲିଯାଇ କ’ଣ କହିବା ବା କରିବା ଉଚିତ କିମ୍ବା ଅନୁଚିତ ସେ କଥାକୁ ଜମା ଚିନ୍ତା କରନ୍ତି ନାହିଁ। ପରେ ଯେବେ ସେହି କଥାକୁ ନେଇ ତୁମ୍ବିତୋଫାନ ହୁଏ, ବାଦବିବାଦ ଦେଖା ଦିଏ, କଥା ଥାନା କୋର୍ଟ କଚେରି ଯାଏ ପ୍ରଲମ୍ବିତ ହୁଏ ସେତେବେଳେ କହିଥିବା ଲୋକଟିର ଚେତନା ଜାଗ୍ରତ ହୁଏ ଆଉ ସେ କିଛି ନା କିଛି ନିଜ ପକ୍ଷରୁ ସଫେଇ ଦେବାକୁ ବାହାରି ପଡ଼େ।
ଆଜିକାଲି ସଫେଇ ଦେବା ଏକ ବଦଭ୍ୟାସରେ ପରିଣତ ହୋଇଗଲାଣି। ତ୍ରୁଟିଯୁକ୍ତ ଓ ତ୍ରୁଟିମୁକ୍ତ ଉଭୟଙ୍କ ସଫେଇରେ ତଫାତ ରହିଛି। ତ୍ରୁଟିଯୁକ୍ତ ଲୋକଟି ନିଜ ଦୋଷ ଦୁର୍ବଳତାକୁ ଲୁଚେଇବାକୁ ମିଛ ଓ ସ୍ବକଳ୍ପିତ କିଛି ସଫେଇ ଦେବାକୁ ଚେଷ୍ଟା କରୁଥିବା ବେଳେ ତ୍ରୁଟିମୁକ୍ତ ଲୋକଟି ବେଶ୍‌ ନିର୍ଭୀକ ଭାବେ ଓ ସାହସର ସହିତ ନିଜର ପକ୍ଷ ରଖିଥାଏ। କୋର୍ଟକଚେରିରେ ମାଲିମକଦ୍ଦମାରେ ଛନ୍ଦି ହୋଇଥିବା ଲୋକଟି ନିଜେ ଉପସ୍ଥିତ ରହିଥିବା ଓକିଲଙ୍କ ମାଧ୍ୟମରେ ସଫେଇ ସାକ୍ଷୀ ଦେଇଥାଏ। ଯେତେ ଯେତେ ଆପରାଧିକ କାର୍ଯ୍ୟ ସେ ଚୋରି ହେଉ କି ଡକାୟତି, ମାରପିଟ ହେଉ କି ହତ୍ୟା ଅବା ବଳାତ୍କାର ଅଭିଯୁକ୍ତ କ’ଣ ନିଜ କୃତକର୍ମକୁ ସ୍ବୀକାର କରିଥାଏ। ବରଂ ସେ ସର୍ବଦା କିଛି ନା କିଛି ମିଛ ସଫେଇ ପୋଲିସଙ୍କଠାରୁ ପୁଣି କୋର୍ଟ କଚେରିର ହାକିମ ହୁକୁମାଙ୍କ ଯାଏ ଦେଇ ନିଜକୁ ଦୋଷମୁକ୍ତ କରିବାକୁ ଚେଷ୍ଟା କରିଥାଏ।
ଆଜିକାଲି ଛୋଟଠାରୁ ପୁଣି ବଡ଼ଙ୍କ ଯାଏ କଥାକଥାକେ ସଫେଇ ଦେବା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଦୋଷ କରି ଖସି ଗଲେ ତ ଭଲ ନ ହେଲେ କିଛି ନା କିଛି ସଫେଇ ଦେଇ ନିଜକୁ ଖସେଇବାକୁ ଉଦ୍ୟମ କରିବାରେ ବେଶ୍‌ ଧୂରନ୍ଧର ଏମାନେ। ଘରେ ବାପା-ମା’ହୁଅନ୍ତୁ କି ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପିଲାଏ ସେମାନଙ୍କ ଦୋଷତ୍ରୁଟିକୁ ନେଇ ସେମାନଙ୍କ ଉପରେ ଆଗତ ଅଭିଯୋଗକୁ ସର୍ବଦା ଖଣ୍ଡନ କରିଥାନ୍ତି। ବରଂ କିଛି ଗୋଟେ ବାହାନାବାଜିର ପ୍ରହେଳିକା ସୃଷ୍ଟି କରି ନିଜକୁ ଦୋଷମୁକ୍ତ କରିବାକୁ ପ୍ରୟାସ କରିଥାନ୍ତି। ସତକୁ ସତ କିଛି ବି ଭୁଲ୍‌ ତ୍ରୁଟି କରିଥିବା ଲୋକଟି ଯେବେ ନିଜ ସପକ୍ଷରେ ବିଶ୍ୱାସ ଓ ଭରସାଯୋଗ୍ୟ କିଛି କଥା ଉପସ୍ଥାପନ କରିପାରିଲା ତେବେ ସେ କେତେକାଂଶରେ ଦୋଷମୁକ୍ତ ହୋଇପାରେ ଅନ୍ୟଥା ଏହା ଡାହା ମିଛ ଓ ସମ୍ପୂର୍ଣ୍ଣ କଳ୍ପନା ପ୍ରସୂତ ବୋଲି ପ୍ରମାଣିତ ହୋଇଯିବ। ଅନେକ ସମୟରେ ବିଦ୍ୟାଳୟର ଶିକ୍ଷକ ନିୟମିତ ବିଦ୍ୟାଳୟକୁ ନ ଆସିବା, ବିଳମ୍ବରେ ଆସିବା, ପାଠପଢ଼ାରେ ଅବହେଳା କରିବା ଓ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଆଗତ ହୋଇଥାଏ। ଅଭିଯୋଗ ଯେବେ ତଦନ୍ତ ପରିସରକୁ ଆସେ ସେତେବେଳେ ସମ୍ପୃକ୍ତ ଶିକ୍ଷକ ଏହାକୁ ଦୃଢ଼ ଖଣ୍ଡନ କରିବା ସହିତ ନିଜ ପକ୍ଷରୁ କିଛି ନା କିଛି ସଫେଇ ଦେଇଥାଏ। ଏହି କ୍ରମରେ ଥାନାର ପୋଲିସ ହୁଅନ୍ତୁ କି ଡାକ୍ତରଖାନାର ଡାକ୍ତର ହୁଅନ୍ତୁ କିମ୍ବା କୌଣସି ସରକାରୀ ଦପ୍ତରର କର୍ମଚାରୀ/ଅଧିକାରୀ ହୁଅନ୍ତୁ ସେମାନଙ୍କ କାର୍ଯ୍ୟଶୈଳୀ ତଥା ତ୍ରୁଟିବିଚ୍ୟୁତିକୁ ନେଇ ଯେବେ ସାଧାରଣ ଲୋକେ ପ୍ରଶ୍ନ ଉଠାଇଥାନ୍ତି, ସେତେବେଳେ ଏମାନେ କିଛି ନା କିଛି ବାହାନାବାଜି ଓ ବିଶ୍ୱାସ ହେଲା ଭଳି କିଛି ସଫେଇ ଦେଇ ଅଭିଯୋଗରୁ ମୁକୁଳିି ଯିବାକୁ ବସିଥାନ୍ତି। ରାସ୍ତାରେ ଦୁର୍ଘଟଣା ଘଟାଇଥିବା ଗାଡିଚାଳକ ସାଙ୍ଗେ ସାଙ୍ଗେ ସଫେଇ ଦେବା ଆରମ୍ଭ କରିଦିଏ। ତା’ର କିଛି ଦୋଷ ନାହିଁ ବରଂ ଅପରପକ୍ଷ ଭୁଲ୍‌ ରାସ୍ତାରେ କାରଣରୁ ଏଭଳି ଦୁର୍ଘଟଣା ଘଟିଲା। ଥାନା ହାଜତରେ ହେଉ କି ଡାକ୍ତରଖାନାର ଚିକିତ୍ସାରେ ତ୍ରୁଟି ଯୋଗୁ ହେଉ ଯେବେ କେହି ମୃତ୍ୟୁବରଣ କରେ ତେବେ ସେମାନଙ୍କ ପରିବାର ପକ୍ଷରୁ ଅନେକ ସମୟରେ ଅଭିଯୋଗ ଆଗତ ହୋଇଥାଏ। ମାତ୍ର କିଛି ନା କିଛି ସଫେଇ ଦେଇ ଥାନାବାବୁ କିମ୍ବା ଡାକ୍ତରବାବୁ ଦୋଷମୁକ୍ତ ହେବାକୁ ପ୍ରୟାସ କରିଥାନ୍ତି।
ନେତା ଓ ଜନପ୍ରତିନିଧିଙ୍କର ସଫେଇ ଦେବା ଏକ ନିତିଦିନିଆ ଘଟଣା। କେତେବେଳେ ପ୍ରତିପକ୍ଷ ଦଳ ବା ନେତାଙ୍କୁ ତ କେତେବେଳେ ସାଧାରଣ ଜନତାଙ୍କୁ ସଫେଇ ଦେବାରେ ଏମାନେ ପୂରାପୂରି ମାହିର। ସେମାନଙ୍କ କୃତକର୍ମ ତଥା ଦୋଷତ୍ରୁଟିକୁ ଢଙ୍କେଇ ଦେବାକୁ ଯାଇ ମିଛ ସଫେଇର ଆଶ୍ରୟ ନେଇଥାନ୍ତି। ଆଜି କହିଥିବା କଥାର ମର୍ମ ପୁଣି କାଲିକୁ ବଦଳାଇ ଦେଇ କହନ୍ତି। ସମୟେ ସମୟେ କହିଥିବା କଥା ପାଇଁ କୁଆଡ଼େ ସେମାନେ ଲଜ୍ଜିତ ଓ ଅନୁତପ୍ତ ବୋଲି ସଫେଇ ଦେଇଥାନ୍ତି। ସତ କହିବାକୁ ଗଲେ ଯେତେ ସଫେଇ ସାକ୍ଷୀ ଦେଲେ ବି ସତ କେବେ ମିଛ ହେବନି କି ମିଛ କେବେ ସତ ହୋଇ ଯିବନି। କେବଳ ନିଜ ଉପରୁ ଦୋଷ ହଟାଇବାକୁ ଅନ୍ୟକୁ ବିଭ୍ରାନ୍ତ କରିବା କଥା।

– ଯଦୁମଣି ପାଣିଗ୍ରାହୀ
ଶଙ୍ଖିଡ଼ା, ତିହିଡି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri