ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ କୃତୀ ଛାତ୍ରୀଛାତ୍ରଙ୍କୁ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା। ତେବେ ୨୦୨୫/୨୬ଶିକ୍ଷାବର୍ଷରେ ଦଶମଶ୍ରେଣୀରେ ବ୍ଲକ ଟପ୍ପର ହୋଇଥିବା ଜଣେ ଛାତ୍ରୀଙ୍କୁ ମାନପତ୍ର ଦିଆଯାଇଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଏଥିରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତର ବିଜୟ ସାହୁ ଏବଂ ମା’ ବନ୍ଦିତା ପ୍ରଧାନଙ୍କ ପୁଅ ଏସ୍. ବ୍ରଜେଶ କୁମାର ଗତ ଦଶମ ପରୀକ୍ଷାରେ ସର୍ବାଧିକ ୫୦୦ ମାର୍କରୁ ୪୭୬ ମାର୍କ ତଥା ୯୫.୨ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଜିଲାରେ ୧୦ ଜଣ ଟପ୍ପରଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ କନ୍ଧମାଳ ଜିଲାପାଳ ବେଦଭୂଷଣ ତାଙ୍କୁ ଏଥିପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ।
ସେହିପରି ତାଙ୍କ ବିଦ୍ୟାଳୟରେ ମଧ୍ୟ ଏସ୍. ବ୍ରଜେଶ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କିନ୍ତୁ ଯେଉଁ ଆଶା ରହିଥିଲା ଯେ, ବ୍ଲକସ୍ତରୀୟ ଜାତୀୟ ଦିବସରେ ତାଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ତାହା କରାଗଲାନାହିଁ। ଫଳରେ ଛାତ୍ର ଦୁଃଖରେ ଭାଙ୍ଗିପଡ଼ିଛନ୍ତି।
ଏନେଇ ବ୍ଲକସ୍ତରୀୟ ଜାତୀୟ ଦିବସ ପାଳନ କମିଟିର ଚୟନ କମିଟିର ସଦସ୍ୟ ତଥା ବିଇଓ କାର୍ଯ୍ୟାଳୟର ଏବିଇଓ କୌଶିକ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କେବଳ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡରେ ବ୍ଲକ ଟପ୍ପର ବା ସର୍ବାଧିକ ମାର୍କ ରଖି ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଉଛି। ସେହି ଆଧାରରେ ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୀତିକା ପ୍ରଧାନ ସର୍ବାଧିକ ୪୮୦ମାର୍କ ରଖି ବ୍ଲକ ଟପ୍ପର ହୋଇଥିଲେ ତାଙ୍କୁ ଉତ୍ସାହିତ କରାଯାଇଛି। ଏହା କରିବା ଦ୍ୱାରା ଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସିବିଏସ୍ଇରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ ବ୍ୟବସ୍ଥା କରାଯାଇ ନ ଥିବା ସେ କହିଛନ୍ତି। ତେବେ ଆଗକୁ ସମସ୍ତ ଓଡ଼ିଶା ବୋର୍ଡ ସମେତ ଓ କେନ୍ଦ୍ରୀୟ ବୋର୍ଡକୁ ମଧ୍ୟ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।