ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମର ସୁନ୍ଦରସିଂ ମେହେରଙ୍କ ଝିଅ ଗିରିଜା ଗତ ମଙ୍ଗଳବାର ନିଜ ଜମିରେ କାମ ସାରି ସନ୍ଧ୍ୟାରେ ଘରକୁ ଫେରିବା ପରେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଇ ଶୋଇବାକୁ ଯାଇଥିଲେ।
ବୁଧବାର ଭୋର୍ ସମୟରୁ ତାଙ୍କ ମା’ ଅମିତା ମେହେର ଘର ନିକଟରେ ଥିବା ଆମ୍ବ ଗଛରେ ଝିଅ ଗିରିଜାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କିଛି ଅଧିକ ତଦନ୍ତ ପାଇଁ ଝିଅ ରାତିରେ ପାଠ ପଢ଼ୁଥିବା ସମୟରେ ବ୍ୟବହୃତ ଖାତା ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ତେବେ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ଝରିଗାଁ ଅଣାଯାଇଛି।
ସୂଚନା ପ୍ରକାରେ ମୃତ ଗିରିଜା ଚଚା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ଏନେଇ ଝରିଗାଁ ଥାନା କେସ୍ ନମ୍ବର ୨୧/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।