ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ ଦୁଇ ପରିବାର ମଧ୍ୟରେ ଉଗ୍ର ଗୋଷ୍ଠୀ ସଂଘର୍ଷ ଘଟିଛି। ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିବା ଏହି ଘଟଣାରେ ପୋଲିସ ୨ ମହିଳାଙ୍କ ସମେତ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗ୍ରାମର ମଥୁରା ଗୌଡ଼ ଏବଂ ବିକ୍ରମ ଚୌଧୁରୀଙ୍କ ପରିବାର ଦୀର୍ଘବର୍ଷ ଧରି କିଛି ସରକାରୀ ଜମି ଦଖଲ କରି ଚାଷ କରିଆସୁଥିଲେ। ଉକ୍ତ ଜମିକୁ ନେଇ ଉଭୟ ପରିବାର ମଧ୍ୟରେ ପୂର୍ବରୁ ମଧ୍ୟ ବିବାଦ ଲାଗିରହିଥିବାରୁ ପ୍ରତିବର୍ଷ ଫସଲ ଅମଳ ସମୟରେ ଗଣ୍ଡଗୋଳ ଦେଖାଦେଇଥାଏ। ବୁଧବାର ଏହି ବିବାଦ ଚରମ ସୀମାରେ ପହଞ୍ଚିବାରୁ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇ ମାର୍ଟପିଟ୍ ହୋଇଥିଲା। ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଖବର ପାଇ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ପରେ ଉଭୟ ପକ୍ଷରୁ ହୋଇଥିବା ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ମଥୁରା ଗୌଡ଼, ଅଜିତ ଗୌଡ଼, ରୋଷନ ଗୌଡ଼, ରିତାଞ୍ଜଳି ଗୌଡ଼, ତ୍ରିପତି ଗୌଡ଼ ଏବଂ ବିପକ୍ଷ ଗୋଷ୍ଠୀର ବିକ୍ରମ ଚୌଧୁରୀ, ମନ୍ମଥ ଚୌଧୁରୀ, ମିହିର ଚୌଧୁରୀ ଓ ସୌଦାମିନୀ ଚୌଧୁରୀଙ୍କୁ ଗିରଫ କରିଥିଲା। କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗ୍ରାମରେ ପୁନର୍ବାର ସଂଘର୍ଷ ଆଶଙ୍କାକୁ ଦୃଷ୍ଟିରେ ରଖି ସେଠାରେ ୧ ସେକ୍ସନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା, ଉକ୍ତ ବିବାଦୀୟ ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ୧୬୩ ଧାରା ଲାଗୁ କରାଯିବା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲାପାଳଙ୍କ ନିକଟକୁ ସୁପାରିଶ କରାଯାଇଛି।