ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ

ନୂଆଗାଁ,୪।୧୦(ଧନେଶ୍ୱର ସାହୁ)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ଗଠନ କରିବାର ସଂକଳ୍ପ ନେଇଛନ୍ତି ସରକାର । ସେଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବା ସହ କର୍ମଚାରୀ ନିୟୋଜିତ କରି ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି ।
ଏତେସବୁ ପରେ ବି କେତେଜଣ ଅପାରଗ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସୁଫଳ ମିଳୁନାହିଁ।
ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏପରି ଅଭିଯୋଗ ସାମ୍‌ନାକୁ ଆସିଛି । ଗାଆଁଠୁ ସହର ଯାଏ ସବୁ ସ୍ଥାନକୁ ସଫା ରଖି ସ୍ବଚ୍ଛ ଭାରତ ଗଠନ କରିବା ସରକାରଙ୍କ ସଂକଳ୍ପ । ଏହି ଦାୟିତ୍ୱ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଗ୍ରାମ୍ୟ ପରିମଳ ବିଭାଗ ଓ ପଞ୍ଚାୟତିରାଜ ବିଭାଗକୁ ଦିଆଯାଇଛି । ସ୍ବଚ୍ଛତା ପାଇଁ ବ୍ଲକ ପ୍ରଶାସନ ଓ ଗ୍ରାମ ପରିମଳ ବିଭାଗର ମିଳିତ ଉଦ୍ୟମରେ ବହୁ ଅର୍ଥ ବ୍ୟୟ କରି ପ୍ରତି ଘରେ ପାଇଖାନା ନିର୍ମାଣ କରିବା ବ୍ୟବସ୍ଥା କରାଗଲା। ହେଲେ ସେଥିରେ ସ୍ବଚ୍ଛତା ଆସିବା ବଦଳରେ ଅଧିକାରୀ ଓ କର୍ମଚାରୀ ଲାଭବାନ ହେଲେ । ଅନେକେ ପାଇଖାନା ନିର୍ମାଣ ନ କରି କାଗଜପତ୍ରରେ ପାଇଖାନା ଦେଖାଇ ଅନୁଦାନକୁ ଲୁଟିନେଲେ । ବର୍ତ୍ତମାନ ସ୍ବଚ୍ଛତା ଦିବସ ନାଁରେ ହରିଲୁଟ୍‌ ଚାଲିଛି । ବହୁ ଆଦିବାସୀ ଗ୍ରାମରେ ପଙ୍କକାଦୁଅ, ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧ ଯାଏ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଓ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀକୁ ସ୍ବଚ୍ଛ ଭାରତ ଦିବସ ରୂପେ ପାଳନ କରାଯାଉଛି ।
ଏହି ଅବସରରେ ବିଭିନ୍ନ ସ୍ଥାନ ସଫେଇ କରିବାର ନିର୍ଦ୍ଦେଶ ରହିଥିବା ବେଳେ ପଞ୍ଚାୟତସ୍ତରରେ କେବଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ ନାମକୁମାତ୍ର ସଫା କରି ଫଟୋ ଉଠାଯାଉଛି । ପ୍ରତି ପଞ୍ଚାୟତକୁ ଅଳିଆବୁହା ରିକ୍ସା, ଅଳିଆ ପକାଇବା ନିମନ୍ତେ ଦେଢ ଲକ୍ଷ ଟଙ୍କା ବ୍ୟୟରେ କଠିନ ବର୍ଜ୍ୟବସ୍ତୁ ଗୃହ ନିର୍ମାଣ ସହ ସଫେଇ ପାଇଁ ଅନୁଦାନ ଦିଆଯାଇଥିଲେ ମଧ୍ୟ ସେସବୁ କାମରେ ଲାଗୁନି । ବ୍ଲକ କାର୍ଯ୍ୟାଳୟକୁ ମୂଲିଆ ଦ୍ୱାରା ସଫେଇ କରି ନିଜର ଦାୟିତ୍ୱ ସାରି ଦେଉଛନ୍ତି ଅଧିକାରୀ । ଗାଁ ସଫେଇ ପାଇଁ ଆସୁଥିବା ଗାଁ କଲ୍ୟାଣ ସମିତି ଅନୁଦାନକୁ କାମରେ ନ ଲଗାଇ ହଡପ କରାଯାଉଥିବା ଅଭିଯୋଗ ହେଉଛି ।
ସ୍ବଚ୍ଛ ଭାରତ ଗଠନ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ନଗ୍ନଚିତ୍ର ଦେଖିବାକୁ ମିଳିଛି ଜାକେଡା ପଞ୍ଚାୟତ କେନ୍ଦୁବଣିଆ ଗ୍ରାମରେ ।
ସ୍ବାସ୍ଥ୍ୟ କାନ୍ଥ ନିକଟରେ ଅସ୍ବାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି ।
ସ୍ବଚ୍ଛତା ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ମୁଁ ଏଠାରେ ଅଳ୍ପଦିନ ହେଲା ଯୋଗ ଦେଇଛି ।
କେଉଁଠି କ’ଣ ସମସ୍ୟା ଅଛି ମୋତେ ଜଣାଇଲେ ସମାଧାନ କରିବାକୁ ଚେଷ୍ଟା କରିବି। ସ୍ବଚ୍ଛତା ପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।