ସ୍ବତନ୍ତ୍ର ପ୍ୟାକେଜ ଦାବିକଲେ କ୍ଷତିଗ୍ରସ୍ତ

ପୁରୀ ଅଫିସ,୨୬।୯: ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଚାଲିଛି। ମାତ୍ର ଏହି ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ ହେବାକୁ ଥିବା ଜନସାଧାରଣ ଓ ବ୍ୟବସାୟୀ ଶୁକ୍ରବାର ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତି। କରୋନାକୁ ନଜରରେ ରଖି ବର୍ତ୍ତମାନ କାମ ବନ୍ଦ କରାଯାଉ। କରୋନା ପ୍ରକୋପ କମିବା ପରେ ଆର୍‌ଓବି କ୍ଷତିଗ୍ରସ୍ତ କମିଟି ସହ ଆଲୋଚନା କରି କାମ ଆରମ୍ଭ କରାଯିବା ସହ କ୍ଷତିଗ୍ରସ୍ତଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଦିଆଯିବାକୁ କମିଟି ଦାବି ରଖିଛି।
ଗତ ଜାନୁୟାରୀ ମାସରେ ଜମି ଅଧିଗ୍ରହଣ ପାଇଁ ମାପଚୁପ ଓ ସର୍ଭେ ଆରମ୍ଭ ହୋଇଥିଲା। ମାତ୍ର ଅଳ୍ପ କିଛିଦିନ ପରେ କାମ ବନ୍ଦ ରହିଥିଲା। ଏବେ ପୁଣି ଜମି ଅଧିଗ୍ରହଣ ପାଇଁ ମାପଚୁପ କରାଯାଉଛି। ସମ୍ପ୍ରତି କରୋନା ଭୟାବହତାକୁ ଦେଖି ଆର୍‌ଓବି କ୍ଷତିଗ୍ରସ୍ତ କମିଟି ଶୁକ୍ରବାର ଅତିରିକ୍ତ ଜିଲାପାଳ ବିନୟ ଦାସଙ୍କୁ ଭେଟି ଆଲୋଚନା କରିଛି। କମିଟି ସମ୍ପାଦକ ଶତ୍ର୍ରୁଘନ ବଳିୟାରସିଂ କହିଛନ୍ତି, ପ୍ରଶାସନକୁ ଆମେ କେତେକ ଦାବି ଜଣାଇଛୁ। ବର୍ତ୍ତମାନ କରୋନା ପାଇଁ ଆର୍‌ଓବି କାମ ବନ୍ଦ ରଖାଯାଉ। କରୋନା ପ୍ରକୋପ କମିଯିବା ପରେ ପୁନଶ୍ଚ ଆଲୋଚନା କରାଯାଇ କାମ ଆରମ୍ଭ ହେଉ। ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପିତମାନଙ୍କୁ ଯେଉଁଭଳି ସ୍ବତନ୍ତ୍ର ପ୍ୟାକେଜ ଦିଆଯାଇଛି ଏହି ପ୍ରକଳ୍ପ ନିମନ୍ତେ କ୍ଷତିଗ୍ରସ୍ତଙ୍କୁ ମଧ୍ୟ ସେଭଳି ପ୍ୟାକେଜ୍‌ ଦେବା ପାଇଁ ଘୋଷଣା କରାଯାଉ। ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀଙ୍କୁ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଦିଆଯାଉ। ଉକ୍ତ ପ୍ରକଳ୍ପ ଲାଗି ବାଲୁଖଣ୍ଡ, କୁମୁଟିପାଟଣା, ମାଟିଆପଡ଼ା ଏବଂ ସିଦ୍ଧମହାବୀର ମୌଜାର ଲୋକେ କ୍ଷତିଗ୍ରସ୍ତ ହେବେ ବୋଲି ବଳିୟାରସିଂ କହିଛନ୍ତି। ଏହି ଆଲୋଚନାରେ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ନାୟକ, ବିବେକାନନ୍ଦ ପଣ୍ଡା, ବିରଞ୍ଚତ୍ନାରାୟଣ ରାଉତ, ବିଭୂତି ଭୂଷଣ ସେଠୀ ପ୍ରମୁଖ ସାମିଲ ଥିଲେ।
ଆର୍‌ଓବି ପାଇଁ ୨.୬୬ ଏକର ଜମି ଅଧିଗ୍ରହଣ କରାଯିବ। ଏଥିନିମନ୍ତେ ଘର ସହ ରାସ୍ତା ଉଭୟ ପାର୍ଶ୍ୱରେ ୨୫୦ରୁ ଅଧିକ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ବୋଲି ଜଣାପଡ଼ିଛି।