ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଆନ୍ଦୋଳନ ଜୋର୍ଦାର କରାଯାଇଛି। ଶନିବାର ପୋଲିସର ବ୍ୟାପକ ଦମନଲୀଳା ଏବଂ ନେତାମାନଙ୍କୁ ଅଟକ ରଖିବା ସତ୍ତ୍ୱେ ସିଜେପି ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ କରିଛି। ରବିବାର (୧୧ ଅକ୍ଟୋବର) ପୂର୍ୱାହ୍ନ ୧୦ଟାରେ ପୁଣିଥରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଶନିବାର ବିକ୍ଷୋଭ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସିଜେପିର ଜାତୀୟ ସଂଗଠନ ଦାୟିତ୍ୱରେ ଥିବା ଅଜିଙ୍କ୍ୟ ଶିନ୍ଦେ କହିଛନ୍ତି, ସରକାର ଭାବିଥିଲେ ଯେ ନେତାମାନଙ୍କୁ ଅଟକ ରଖିବା ପରେ ଆନ୍ଦୋଳନକାରୀମାନେ ଭୟଭୀତ ହୋଇ ଘରକୁ ଚାଲିଯିବେ। ମୋଦି ଏବଂ ଶାହାଙ୍କ ମନରେ ଥିବା ଏହି ଭୟ ହିଁ ପ୍ରମାଣ କରୁଛି ଯେ ଆମେ ଆମର ଅଧା ଲଢ଼େଇ ଜିତିସାରିଛୁ। ପୋଲିସ ଯେତେ ଲୋକଙ୍କୁ ଚାହିଁବ ଅଟକ ରଖୁ, କିନ୍ତୁ ଜ୍ଞାନେଶ କୁମାର ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆମେ ପଛକୁ ହଟିବୁ ନାହିଁ ବୋଲି ସେ କହିଛନ୍ତି। ସେ ଦେଶର ଯୁବପିଢ଼ି, ଛାତ୍ର ଏବଂ ସାଧାରଣ ଜନତାଙ୍କୁ ବହୁସଂଖ୍ୟାରେ ଏହି ବିକ୍ଷୋଭରେ ଯୋଗଦେବାକୁ ଆହ୍ୱାନ ଦେଇଛନ୍ତି। ପୋଲିସ ଯେଉଁଠାରେ ଅଟକାଇବ, ସେହିଠାରେ ହିଁ ପ୍ରତିବାଦ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି।