‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି। ସରକାରୀ ସଂସ୍ଥାଗୁଡ଼ିକ ଉପରେ ଜନସାଧାରଣଙ୍କ ଆସ୍ଥା ହ୍ରାସ, ଇଥାନଲ ମିଶ୍ରିତ ଇନ୍ଧନ ଏବଂ ବେରୋଜଗାରି ଆଦି ପ୍ରସଙ୍ଗ ଉପରେ ଆଲୋଚନା ନିମନ୍ତେ ସଂଗଠନର ମୁଖ୍ୟ ଟିମ୍‌ର ବୈଠକ ମହାରାଷ୍ଟ୍ରର ସମ୍ଭାଜୀନଗରଠାରେ ବସିଥିଲା। ବୈଠକ ପୂର୍ବରୁ ଖବରଦାତାମାନଙ୍କୁ ସମ୍ବୋଧନ କରି ଦୀପ୍‌କେ କହିଥିଲେ, ଭାରତ ଏବେ ରାଜନୈତିକ ଦଳ ଅପେକ୍ଷା ଚାପ ଗୋଷ୍ଠୀ ଚାହେଁ। ତେଣୁ ସିଜେପି ବର୍ତ୍ତମାନ ପାଇଁ ଚାପଗୋଷ୍ଠୀ ଭାବେ କାର୍ଯ୍ୟ କରିବ।
ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ ଆନ୍ଦୋଳନର ଗୁରୁ ଭାବେ କାର୍ଯ୍ୟ କରିବେ ଏବଂ ପ୍ରମୁଖ ପ୍ରସଙ୍ଗରେ ସଂଗଠନ ତାଙ୍କ ପରାମର୍ଶ ନେବ ବୋଲି ସିଜେପି ମୁଖ୍ୟ ମୁଖପାତ୍ର ସୌରଭ ଦାସ୍‌ କହିଛନ୍ତି। ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ଅନିୟମିତତା ବିରୋଧରେ ସିଜେପି ନେତୃତ୍ୱରେ ବିକ୍ଷୋଭରେ ଭାଗ ନେଇଥିବା ଛାତ୍ରୀଛାତ୍ରଙ୍କ ବିରୋଧରେ ଦାଏର ଏତଲାଗୁଡ଼ିକୁ ପ୍ରତ୍ୟାହାର କରିଦେବା ପାଇଁ ସଂଗଠନ ଦାବି କରିବ। ଏହା ଉପରେ ସରକାରୀ ପ୍ରତିନିଧିମାନଙ୍କ ସହ ଆଲୋଚନା ଜାରି ରହିଥିବା ସୌରଭ କହିଛନ୍ତି। ଦେଶର ବିଭିନ୍ନ ଭାଗରେ ଛାତ୍ର ଆନ୍ଦୋଳନବେଳେ ଆହତ ହୋଇଥିବା ବିକ୍ଷୋଭକାରୀମାନଙ୍କୁ ସିଜେପି ଆଇନଗତ ଓ ଚିକିତ୍ସା ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily