ନୂଆଦିଲ୍ଲୀ,୨୧।୭: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧରେ ସୋମବାର କକ୍ରୋଚ ଜନତା ପାର୍ଟି (CJP)ର ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯିବା ପ୍ରତିବାଦରେ ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ କଂଗ୍ରେସ ନେତାମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଏକ ପ୍ରତିବାଦ ମାର୍ଚ୍ଚ ବାହାର କରିଛନ୍ତି। ଏହି ସମୟରେ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛି।
କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣାରେ ବସି ଜୋରସୋରରେ ‘ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅ’, ‘ନରେନ୍ଦ୍ର ମୋଦି ଡାଉନ-ଡାଉନ’ ନାରା ଦେଉଛନ୍ତି। ସେପଟେ, କଂଗ୍ରେସର ସଂଗଠନ ମହାସଚିବ କେ.ସି. ଭେଣୁଗୋପାଳ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେଜମିରେ ଶୋଇ ପ୍ରତିବାଦ ଜଣାଉଛନ୍ତି।
ଧାରଣା ଦେଇଥିବା କଂଗ୍ରେସ ନେତାମାନଙ୍କ ମଧ୍ୟରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ଜାତୀୟ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ, ସାଂସଦ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସର ସଂଗଠନ ମହାସଚିବ କେ.ସି. ଭେଣୁଗୋପାଳ, କର୍ନାଟକର ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ପଞ୍ଜାବ କଂଗ୍ରେସ କ୍ୟାମ୍ପେନ କମିଟିର ଚେୟାରପର୍ସନ ଚରଣଜୀତ ସିଂହ ଚନ୍ନୀ, ରଣଦୀପ ସୁରଜେୱାଲା, ପୱନ ଖେଡ଼ା ସମେତ ଅନେକ ଅନ୍ୟାନ୍ୟ କଂଗ୍ରେସ ସାଂସଦ ଏବଂ ବହୁସଂଖ୍ୟାରେ କର୍ମକର୍ତ୍ତା ସାମିଲ ଅଛନ୍ତି।