ନୂଆଦିଲ୍ଲୀ, ୨୦।୧୦: କୋକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଦୀପାବଳି ପର୍ଯ୍ୟନ୍ତ କୌଣସି ପ୍ରକାର ଆନ୍ଦୋଳନ କିମ୍ବା ପ୍ରଦର୍ଶନ କରିବ ନାହିଁ। ଏହି ପର୍ବପର୍ବାଣି ସମୟରେ ନିଜ ନିଜ ପରିବାର ଏବଂ ଆତ୍ମୀୟସ୍ବଜନଙ୍କ ସହ ସମୟ ବିତାଇବାକୁ ସେ ସମର୍ଥକମାନଙ୍କୁ ନିବେଦନ କରିଛନ୍ତି। ଏହାପୂର୍ବରୁ ସେ ରାବଣ ସହିତ କୋକ୍ରୋଚର ପୁତ୍ତଳିକା ଦାହ କରାଯିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
CJP ର ସମର୍ଥକମାନଙ୍କୁ (ଯାହାଙ୍କୁ ସେ କୋକ୍ରୋଚ ବୋଲି ସମ୍ବୋଧନ କରନ୍ତି) ଅଭିଜିତ ଦିପକେ କହିଛନ୍ତି ଯେ, ସମସ୍ତେ କିଛି ଦିନ ପାଇଁ ପ୍ରଦର୍ଶନରୁ ବିରତି ନେଇ ନିଜ ପରିବାର ସହ ସମୟ ବିତାଇବା ଉଚିତ୍। ଗତ କିଛି ଦିନ ହେବ ଘଟିଥିବା ଘଟଣାବଳୀ ପରେ ସମର୍ଥକଙ୍କ ପରିବାରବର୍ଗ ଚିନ୍ତିତ ଥିବା ସେ ସ୍ବୀକାର କରିଛନ୍ତି। ତାଙ୍କର ଏହି ଇଶାରା ଦିଲ୍ଲୀରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଆଡ଼କୁ ଥିଲା।
ସୂଚନାଯୋଗ୍ୟ ଯେ, SIRକୁ ନେଇ CJP ଏବଂ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ଆହୱାନ ଦେଇଥିଲେ। ଏହାପରେ ଦିଲ୍ଲୀରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଏକ ଭିଡିଓ ସନ୍ଦେଶରେ ଦିପକେ କହିଛନ୍ତି, “ବର୍ତ୍ତମାନ ପାଇଁ ମୁଁ ମୋର ସମସ୍ତ ’କୋକ୍ରୋଚ’ଙ୍କୁ କେବଳ ଏତିକି ଅନୁରୋଧ କରିବାକୁ ଚାହୁଁଛି ଯେ, କିଛି ଦିନ ପାଇଁ ନିଜ ପରିବାର ସହ ସମୟ ବିତାନ୍ତୁ। ପର୍ବପର୍ବାଣି ଆସୁଛି ଏବଂ ଗତ କିଛି ଦିନ ମଧ୍ୟରେ ଯାହା ସବୁ ଘଟିଯାଇଛି, ତାହା ପରେ ଆପଣଙ୍କ ପରିବାର ବହୁତ ଚିନ୍ତାରେ ଥିବେ। ତେଣୁ କିଛି ଦିନ ପାଇଁ ପରିବାର ଓ ପ୍ରିୟଜନଙ୍କ ସହ ରୁହନ୍ତୁ।”
ଦିପକେ ଆହୁରି କହିଛନ୍ତି ଯେ, ତାଙ୍କ ନିଜ ବାପା-ମା’ଙ୍କ ବ୍ୟତୀତ CJP ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ପରିବାରବର୍ଗ ମଧ୍ୟ ବେଶ ଚିନ୍ତିତ ଅଛନ୍ତି। ଏଥିସହିତ CJP ପ୍ରତିଷ୍ଠାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, CJP କର୍ମକର୍ତ୍ତାଙ୍କୁ ଜେଲରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ “ସମ୍ପୂର୍ଣ୍ଣ ସରକାରୀ କଳ”ର ଦୁରୁପଯୋଗ କରୁଛନ୍ତି।