ଏବେ ଅଭିଜିତ ଦୀପକେଙ୍କ ମିଶି କ’ଣ କରିବାକୁ ଯାଉଛନ୍ତି ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ସେପ୍ଟେମ୍ବର ୧୯…

ନୂଆଦିଲ୍ଲୀ,୧୨।୯: ଲଦାଖରେ ସେପ୍ଟେମ୍ବର ୧୯ରୁ ହେବାକୁ ଥିବା ସୋନମ ୱାଙ୍ଗଚୁକଙ୍କ ପଦଯାତ୍ରାକୁ ନେଇ ଏବେ ପ୍ରତିକ୍ରିୟା ଆସିଛି। ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭିଡିଓ ପୋଷ୍ଟ କରି ଲଦାଖ ପାଇଁ ସମର୍ଥନ ମାଗିଥିବା ବେଳେ କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ତାଙ୍କ ପଦଯାତ୍ରାକୁ ସମର୍ଥନ ଜଣାଇଛନ୍ତି।
ସୋନମ ୱାଙ୍ଗଚୁକଙ୍କ ଭିଡିଓକୁ ରିପୋଷ୍ଟ କରି ଅଭିଜିତ ଦୀପକେ ଲେଖିଛନ୍ତି, ‘ଲଦାଖ ସହ ଛିଡ଼ା ହୁଅନ୍ତୁ।’ ଏହା ପରେ ଏହି ପଦଯାତ୍ରାକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି।

ସୋନମ ୱାଙ୍ଗଚୁକ ତାଙ୍କ ଭିଡିଓରେ କହିଛନ୍ତି ଯେ ଲଦାଖର ଭବିଷ୍ୟତ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ସରକାର ଓ ଲଦାଖର ପ୍ରତିନିଧିମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ଠୋସ୍‌ ସହମତି ହୋଇନାହିଁ। ପ୍ରତିନିଧିମଣ୍ଡଳର ଦାବି ଅନୁସାରେ, ପ୍ରାୟ ୪ ମାସ ପରେ ବୈଠକ ହୋଇଥିଲେ ମଧ୍ୟ ପ୍ରସ୍ତାବିତ ଗଣତାନ୍ତ୍ରିକ ଢାଞ୍ଚା ନେଇ ସରକାରଙ୍କ ପକ୍ଷରୁ କୌଣସି ଲିଖିତ ଡ୍ରାଫ୍ଟ ଦିଆଯାଇନାହିଁ।

ୱାଙ୍ଗଚୁକ କହିଛନ୍ତି , ବୈଠକରେ ବିଭିନ୍ନ ପ୍ରସଙ୍ଗର ଏକ ତାଲିକା ଦିଆଯାଇଥିଲା ଏବଂ ଏସବୁ ଉପରେ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ତାଙ୍କ ଅନୁସାରେ, ଆସେମ୍ବଲି, ସିଧାସଳଖ ପରିସୀମା ନିର୍ଦ୍ଧାରଣ ଏବଂ ନିର୍ବାଚନ ଭଳି ପ୍ରସଙ୍ଗ ପୂର୍ବରୁ ମଧ୍ୟ ଆଲୋଚନା ହୋଇଛି। କିନ୍ତୁ ଏହି ବୈଠକରେ ଏସବୁ ନେଇ କୌଣସି ନୂଆ ପ୍ରଗତି ହୋଇନଥିବା ସେ ଦାବି କରିଛନ୍ତି।

ୱାଙ୍ଗଚୁକଙ୍କ ମୁଖ୍ୟ ଦାବି ହେଉଛି ଲଦାଖରେ ଶୀଘ୍ର ଏକ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ବିଧାନସଭା ଗଠନ କରାଯାଉ। ଏହି ପ୍ରସ୍ତାବକୁ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବା ଉଚିତ ବୋଲି ସେ କହିଛନ୍ତି। ଏହାଦ୍ୱାରା ପରବର୍ତ୍ତୀ ନିର୍ବାଚନ ଏବଂ ଗଣତାନ୍ତ୍ରିକ ସଂସ୍ଥା ଗଠନ ପ୍ରକ୍ରିୟା ଆରମ୍ଭ ହୋଇପାରିବ ବୋଲି ସେ ଦାବି କରିଛନ୍ତି।
ୱାଙ୍ଗଚୁକଙ୍କ କହିବା ଅନୁସାରେ, ସ୍ଥାନୀୟ ପ୍ରଶାସନ ଓ ଉପରାଜ୍ୟପାଳ ମିଳିତ ଭାବେ ଲଦାଖ ସମ୍ପର୍କରେ ବଡ଼ ବଡ଼ ନିଷ୍ପତ୍ତି ନେଉଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଗଣତନ୍ତ୍ରର ଅର୍ଥ ହିଁ ରହିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଲଦାଖରେ ଗଣତାନ୍ତ୍ରିକ ଢାଞ୍ଚା ଲାଗୁ ନହେବା ପର୍ଯ୍ୟନ୍ତ ଏଭଳି କୌଣସି ନିଷ୍ପତ୍ତି ନିଆନଯାଉ, ଯାହା ଲଦାଖର ଚରିତ୍ରକୁ ବଦଳାଇ ଦେଇପାରେ।

ସୋନମ ୱାଙ୍ଗଚୁକ ଘୋଷଣା କରିଛନ୍ତି ଯେ ସେପ୍ଟେମ୍ବର ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଲଦାଖରେ ଏକ ବଡ଼ ପଦଯାତ୍ରା କରାଯିବ। ଯଦି ଏକ ସପ୍ତାହ ମଧ୍ୟରେ ସରକାରଙ୍କ ପକ୍ଷରୁ ଆଶ୍ୱାସନ ମିଳେ, ତେବେ ଏହି ପଦଯାତ୍ରାକୁ ସହିଦମାନଙ୍କ ସ୍ମୃତିରେ ଉତ୍ସର୍ଗ କରାଯିବ। କିନ୍ତୁ ଆଶ୍ୱାସନ ନମିଳିଲେ ଏହାକୁ ପ୍ରତିବାଦର ରୂପ ଦିଆଯିବ ବୋଲି ସେ କହିଛନ୍ତି।
ଲଦାଖ ପ୍ରତି ନ୍ୟାୟ କରାଯାଉ ବୋଲି ଦାବି କରିବା ସହ ଏହି ଆନ୍ଦୋଳନ ପାଇଁ ସମଗ୍ର ଦେଶରୁ ସମର୍ଥନ ଆବଶ୍ୟକ ବୋଲି ୱାଙ୍ଗଚୁକ କହିଛନ୍ତି। ‘ଲଦାଖକୁ ଆପଣମାନଙ୍କ ଆବଶ୍ୟକତା ରହିଛି’ ବୋଲି ସେ ଦେଶବାସୀଙ୍କୁ ଆହୱାନ ଦେଇଛନ୍ତି।

Dharitri – Odisha’s No.1 Odia Daily

Share