ସରକାରଙ୍କ ନିଦ ଉଡାଇଲା CJPର ୩ ଦାବି: ମୃତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ମିଳୁ…

ନୂଆଦିଲ୍ଲୀ, ୨୦।୭:‘କକରୋଚ ଜନତା ପାର୍ଟି’ର ପ୍ରଦର୍ଶନ ମଧ୍ୟରେ ସୋମବାର ସିଜେପିର ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ସାକ୍ଷାତ ପରେ ପ୍ରତିନିଧି ଦଳ କହିଛନ୍ତି ଯେ, ଜେପି ନଡ୍ଡାଙ୍କ ସହ ବୈଠକ ବେଶ୍‌ ଭଲ ରହିଲା ଏବଂ ସେ ଆମର ସମସ୍ତ କଥା ଶୁଣିଛନ୍ତି। ସିଜେପି ପ୍ରତିନିଧି ଦଳ ଜେପି ନଡ୍ଡାଙ୍କୁ ସେମାନଙ୍କ ୩ ବଡ଼ ଦାବି ବିଷୟରେ କହିଛନ୍ତି। ଯେଉଁଥିରେ ମୁଖ୍ୟ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା।

ସେହିପରି ଆଉ ଦୁଇଟି ହେଲା – ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବା, ଏବଂ ଆତ୍ମହତ୍ୟା କରିଥିବା ସମସ୍ତ ପୀଡ଼ିତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ୧-୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହି ଦାବିଗୁଡ଼ିକ ଉପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିବା ପାଇଁ କିଛି ସମୟ ମାଗିଛନ୍ତି।

ଏହି ସାକ୍ଷାତ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି ଯେ, “ଆଜି ସକାଳେ ପ୍ରଥମ ଥର ପାଇଁ ପ୍ରଦର୍ଶନକାରୀଙ୍କ ତରଫରୁ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଆସିଥିଲା ଏବଂ ସକାଳ ୧୧:୫୦ରୁ ଆମର ଆଲୋଚନା ଜାରି ରହିଛି। ବୈଠକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଛି। ସେମାନଙ୍କ ପ୍ରତିନିଧି ଦଳ ସହ ପ୍ରଥମେ ବିସ୍ତୃତ ମୌଖିକ ଆଲୋଚନା ହୋଇଥିଲା ଏବଂ ସନ୍ଧ୍ୟା ପ୍ରାୟ ୪ଟା ବେଳେ ସେମାନଙ୍କ ଦ୍ୱାରା ମତେ ଏକ ଲିଖିତ ଜ୍ଞାପନ ପତ୍ର ପ୍ରଦାନ କରାଯାଇଛି।”

Odisha’s No.1 Odia Daily

 

Share