ଅନ୍ତରୀକ୍ଷରେ ସଭ୍ୟତା

ଡ. ନରେନ୍ଦ୍ର ସେଠୀ

ବିଶ୍ୱର ସବୁଠୁ ଶକ୍ତିଶାଳୀ ଜେମ୍ସୱେବ୍‌ ଟେଲିସ୍କୋପ୍‌ ୨୦୨୧ରେ କାର୍ଯ୍ୟକ୍ଷମ ହେଲା ପରେ ବୈଜ୍ଞାନିକମାନେ ପ୍ରଥମକରି ସୌରମଣ୍ଡଳ ବାହାରେ ପୃଥିବୀ ପରି ଗ୍ରହର ଚାରିପଟେ ଘନୀଭୂତ ଗ୍ୟାସ୍‌ ଥିବାର ଦେଖିବାକୁ ପାଇଲେ। ଭବିଷ୍ୟତରେ ଯଦି କୌଣସି ମହାକାଶ ଯାନ ଜେମ୍ସୱେବ୍‌ ଟେଲିସ୍କୋପ୍‌ ପରି ଶକ୍ତିଶାଳୀ ଯନ୍ତ୍ରକୁ ସାଙ୍ଗରେ ନେଇ ମହାକାଶକୁ ଯାଏ ତା’ହେଲେ ଠିକ୍‌ ଆମ ପୃଥିବୀ ପରି ଅମ୍ଳଜାନ, ଅଙ୍ଗାରକାମ୍ଲ ଓ ମିଥେନ୍‌ ଥିବା ଭଳି ଅନ୍ୟ ଗ୍ରହର ଆବିଷ୍କାର କରିବା ଅସମ୍ଭବ ହୋଇ ନ ପାରେ। ଭବିଷ୍ୟତର ଅତ୍ୟାଧୁନିକ ଟେଲିସ୍କୋପ୍‌ ମହାକାଶର ଅନ୍ୟ କୋଉ ଅଜଣା ଗ୍ରହରେ ଆଲୋକଶ୍ଳେଷଣ ହେଉଥିଲେ ତାହା ଠାବ କରିପାରିବ; ଯାହାଦ୍ୱାରା ଆଲୋକକୁ ରାସାୟନିକ ଶକ୍ତିରେ ପରିଣତ କରାଯାଇଥାଏ ଓ ଏହା ପର ଗ୍ରହରେ ଜୀବନ ଥିବାର ପ୍ରମାଣ ଦେବ। ଜୀବନ୍ତ ସଭ୍ୟତା ଥିବାର ଠାବ କରିହେବ। ଯଦି ଆମ ସୌରମଣ୍ଡଳ ବାହାରେ କୌଣସି ଗ୍ରହରେ ଜୀବନ ମିଳିଯାଏ ତା’ହେଲେ ତାହା ହେବ ଏକ ଯୁଗାନ୍ତକାରୀ ଘଟଣା।
ତେବେ ପର ଗ୍ରହରେ ଜୀବନର ସନ୍ଧାନ କୋଉଠି କୋଉଠି ଥିବାର ସମ୍ଭାବନା ଅଛି? ଏଥି ମଧ୍ୟରେ ମଙ୍ଗଳ ଗ୍ରହର ଆଭ୍ୟନ୍ତରରେ, ବୃହସ୍ପତି ଗ୍ରହର ଏକ ଉପଗ୍ରହ ୟୁରୋପାର ଅପାର ଉଦ୍‌ଜାନ ସମୁଦ୍ରର ତଳ ଭାଗରେ ଜୀବନ ଥିବାର ବୈଜ୍ଞାନିକମାନେ ସମ୍ଭାବନା ବ୍ୟକ୍ତ କରିଛନ୍ତି। ଯଦିଓ ଏହାର ଠିକ୍‌ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ ମଙ୍ଗଳ ଗ୍ରହର ଆଭ୍ୟନ୍ତର ଇଲାକାର ପରିବେଶ ଜୀବନ ପାଇଁ ଅନୁକୂଳ ହୋଇପାରେ ଯେହେତୁ ସେଥିରେ ପାଣିର ସନ୍ଧାନ ମିଳିଛି। ଏହା ସହ ମହାକାଶୀୟ ଶକ୍ତିଶାଳୀ ରଶ୍ମି ସେଠାରେ ଲଗାତର ପହଞ୍ଚତ୍ ଜୀବନ ସଞ୍ଚାର ପାଇଁ ଆବଶ୍ୟକ ଶକ୍ତି ଯୋଗାଇ ଦେଇଥାଇପାରେ ବୋଲି ବିଶ୍ୱାସ କରାଯାଏ। ସେହିପରି ବୃହସ୍ପତି ଗ୍ରହର ଏକ ଉପଗ୍ରହ ୟୁରୋପାରେ ଜୀବନ ସଞ୍ଚାର ପାଇଁ ଅନେକ ଉପାଦାନ ଉପଲବ୍ଧ ଥିବାର ପ୍ରମାଣ ମିଳିଛି। ଏଠାରେ ବରଫ ଆଚ୍ଛନ୍ନ ଶୃଙ୍ଗଗୁଡ଼ିକ ତଳେ ପୃଥିବୀଠାରୁ ୨ଗୁଣ ପାଣି ଅଛି ବୋଲି ବିଶ୍ୱାସ କରାଯାଏ। ତେବେ ଆମ ଆକାଶ ଗଙ୍ଗା ବାହାରେ ୪୯୦୦ରୁ ଅଧିକ ଗ୍ରହ ଥିବା ଅନୁମାନ କରାଯାଏ, ଯାହା ପ୍ରକୃତରେ ଲକ୍ଷ ଲକ୍ଷ ସଂଖ୍ୟାରେ ହୋଇପାରେ। ତେବେ ଏତେ ସବୁ ଗ୍ରହ ମଧ୍ୟରେ ଜୀବନ ଥିବାର ସନ୍ଧାନ କରିବା ପାଇଁ ବୈଜ୍ଞାନିକମାନେ ଏକ ସହଜ ଉପାୟ ଅବଲମ୍ବନକରି କେବଳ ସେହି ଗ୍ରହ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ଯେଉଁଠି ତାପମାତ୍ରା ଜଳ ତିଆରି ପାଇଁ ଅନୁକୂଳ ହୋଇଥିବ। ଯଦି ସତରେ ଆଗାମୀ ଦଶନ୍ଧିରେ କୌଣସି ଉନ୍ନତ ସଭ୍ୟତାର ସନ୍ଧାନ ମିଳେ ତା’ହେଲେ ସେଠି ବାସ କରୁଥିବା ପ୍ରାଣୀମାନେ କେତେ ଉନ୍ନତ ହୋଇଥିବେ?
୧୯୬୪ ମସିହାରେ ସୋଭିଏଟ୍‌ ଜ୍ୟୋତିର୍ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏକ ସେମିନାର ସନ୍ଦର୍ଭରେ ରୁଷୀୟ ଜ୍ୟୋତିର୍ବିଜ୍ଞାନୀ ନିକୋଲାଇ କରଦାଶେଭ ବର୍ଣ୍ଣନା କରିଥିଲେ, ଭବିଷ୍ୟତରେ ଅନ୍ୟ ଗ୍ରହର ଉନ୍ନତ ସଭ୍ୟତାଗୁଡ଼ିକୁ ସେମାନଙ୍କର ଦୈନିକ ଶକ୍ତିର ବ୍ୟବହାର ଆଧାରରେ ତିନୋଟି ପ୍ରକାର ଅନୁଯାୟୀ ଶ୍ରେଣୀଭୁକ୍ତ କରାଯାଇପାରେ। ଆବିଷ୍କୃତ ହେବାକୁ ଥିବା ସଭ୍ୟତା ହୁଏତ ଏତେ ଆଧୁନିକ ହୋଇ ନ ପାରେ, ଯାହା ଆମେ ଭାବୁଛେ। ହୁଏତ ଏହା ଅତ୍ୟନ୍ତ ଉନ୍ନତ ଓ ଆଧୁନିକ ଜ୍ଞାନକୌଶଳରେ ଆମଠୁ ଅଧିକ ଆଗୁଆ ହୋଇପାରେ। ମନେ ରଖିବାକୁ ହେବ ଯେ ଆଜିର ମଣିଷର ବିଜ୍ଞାନ ଜ୍ଞାନ କୌଶଳ ମାତ୍ର ୩ ଶହ ବର୍ଷ ପୁରୁଣା ଓ ତା’ ପୂର୍ବରୁ ଆମେ ଅନ୍ଧବିଶ୍ୱାସ ଓ ଜଡ଼ ପୂର୍ଣ୍ଣ ସାମାଜିକ ପ୍ରାଣୀ ଥିଲେ। ଅର୍ଥାତ୍‌ ଏହି ୩ ଶହ ବର୍ଷ ଭିତରେ ଆମେ ଉନ୍ନତିକରି ଏହି ଅବସ୍ଥାରେ ପହଞ୍ଚିପାରିଛୁ । ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟର ପ୍ରାୟ ୧ଶହ କୋଟି ଭାଗରୁ ପୃଥିବୀ ମାତ୍ର ୧ଭାଗ ଶକ୍ତି ଗ୍ରହଣକରେ ଏବଂ ମଣିଷ ତା’ର ୧୦ଲକ୍ଷ ଭାଗରୁ ୧ ଭାଗ ବ୍ୟବହାର କରେ। ତେଣୁ ଆମେ ସୂର୍ଯ୍ୟଙ୍କ ସମୁଦାୟ ଶକ୍ତିର ପ୍ରାୟ ଅଣୁ ମାତ୍ର ବ୍ୟବହାର କରୁ। ବର୍ତ୍ତମାନ, ସମଗ୍ର ପୃଥିବୀରେ ମାନବ ସଭ୍ୟତାର ଶକ୍ତି ଉତ୍ପାଦନ ହେଉଛି ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ କୋଟି ଏର୍ଗସ। କିନ୍ତୁ ମଣିଷର ଶକ୍ତି ଉତ୍ପାଦନ କ୍ଷମତା ବଢ଼ିବାରେ ଲାଗିଛି ଓ ଆଗାମୀ ୨୦୦ ବର୍ଷ ଭିତରେ ମଣିଷ ଏତେ ଶକ୍ତିଶାଳୀ ହୋଇଯିବ ଯେ ଜ୍ଞାନକୌଶଳ ବ୍ୟବହାରକରି ଆରାମରେ ଅନ୍ୟ ଗ୍ରହ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଯିବ ଏବଂ ନିଜ ଇଚ୍ଛାରେ ପାଣିପାଗ ପରିବର୍ତ୍ତନ କରିପାରିବ। ଅର୍ଥାତ୍‌ ସେତେବେଳକୁ ମଣିଷ ଆଗୁଆ ସନ୍ଧାନକରି ଭୂମିକମ୍ପ, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକକୁ ଅଟକେଇପାରିବ। ଖାଲି ସେତିକି ନୁହେ, ଆଗାମୀ ୬୦୦୦ ବର୍ଷ ପରେ ମଣିଷ ଏତେ ଉନ୍ନତ କରି ସାରିଥିବ ଯେ ପୃଥିବୀ ଚାରିପାଖରେ ଏକ ଆବରଣ ନିର୍ମାଣ କରି ସୌର ଶକ୍ତିକୁ ଅପଚୟ ହେବାକୁ ଦେବନାହିଁ। ବୋଧହୁଏ ୬୦୦୦ ବର୍ଷ ପରେ ଜ୍ଞାନକୌଶଳରେ ସମ୍ପନ୍ନ ସଭ୍ୟତା ପାଇଁ ଏକମାତ୍ର ଗୁରୁତର ବିପଦ ହେଉଛି ନିକଟସ୍ଥ ଆକାଶଗଙ୍ଗାରେ ସୁପରନୋଭା ବିସ୍ଫୋରଣ। ଯଦି ଏପରି କିଛି ହୁଏ ବିସ୍ଫୋରଣ ପରେ ହଠାତ୍‌ ଉଦ୍‌ଗିରଣ ହେବାକୁ ଥିବା ଶକ୍ତିଶାଳୀ ଏକ୍ସ-ରେ ସମସ୍ତ ଜୀବଜନ୍ତୁଙ୍କୁ ହତ୍ୟା କରିପାରେ। କିନ୍ତୁ ହୁଏତ ମଣିଷ ସେତେବେଳକୁ ଏପରି ବିପଦରୁ ନିଜ ସଭ୍ୟତାକୁ ଏଡ଼େଇବା ପାଇଁ ଅନ୍ୟ ଏକ ଗ୍ରହ ଖୋଜି ବିକଳ୍ପ ସନ୍ଧାନ କରିସାରିଥିବ। ତେବେ
ଏସବୁ ବୈଜ୍ଞାନିକ ଆକଳନ ମଣିଷର ଆଜିଠୁ ୬ ହଜାର ବର୍ଷ ପରେ ହେବାକୁ ଥିବା ବିଜ୍ଞାନର ଚରମସୀମାରେ ପହଞ୍ଚିବାର ସମ୍ଭାବନା ମାତ୍ର। କିନ୍ତୁ ଯଦି ଆମେ ଏ ବ୍ରହ୍ମାଣ୍ଡରେ ଏକୁଟିଆ ନାହୁଁ ଓ ଆଉ କିଛି ସଭ୍ୟତା ଅଛନ୍ତି ବୋଲି ପ୍ରମାଣ ମିଳେ ତା’ହେଲେ ପରିସ୍ଥିତି ରୋଚକପୂର୍ଣ୍ଣ ହୋଇଯିବ। ୟୁରୋପରେ ଅନେକ ଦେଶର ଲୋକ ଅଜ୍ଞାତ ଉଡୁଥିବା ବସ୍ତୁକୁ ଦେଖିଥିବା ଦାବି କରନ୍ତି। ଏପରିକି ନାସା ଏ ବିଷୟରେ ଅନେକ ଗୋପନୀୟ ଗବେଷଣା ଜାରି ରଖିଛି। ଅନେକ ଦେଶର ବୈଜ୍ଞାନିକମାନେ ଜୀବନର ସନ୍ଧାନ ପାଇଁ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗର ସିଗ୍‌ନାଲ ମହାକାଶକୁ ପଠାଇବାରେ ଲାଗି ପଡ଼ିଛନ୍ତି। ତେବେ ଏହା କରିବା କେତେଦୂର ଉଚିତ? ଯଦି ପ୍ରକୃତରେ ଏଲିଅନ୍‌ ବା ପରଗ୍ରହୀ ଜୀବ ଅଛନ୍ତି ସେମାନେ ନିଶ୍ଚୟ ମଣିଷ ଠାରୁ ଅଧିକ ବୁଦ୍ଧିମାନ ଓ ଜ୍ଞାନକୌଶଳରେ ଲକ୍ଷ ଲକ୍ଷ ବର୍ଷ ଆଗୁଆ ହୋଇଥିବେ।
ଆଗରୁ କୁହାଯାଇଛି ଯେ ଆଜିର ମଣିଷର ବିଜ୍ଞାନ, ଇତିହାସ ମାତ୍ର ୩ଶହ ବର୍ଷ ପୁରୁଣା ଅର୍ଥାତ୍‌ ଯଦି କେହି ପରଗ୍ରହୀ ଜୀବ ଉଡ଼ନ୍ତା ଥାଳିଆରେ ପୃଥିବୀ ଉପରକୁ ଆସୁଥାନ୍ତି ତାହାର କାରଣ କ’ଣ ହୋଇପାରେ ? ସେମାନେ ପୃଥିବୀ ପୃଷ୍ଠକୁ ଉଡ଼ନ୍ତା ଥାଳିଆରେ ମଣିଷକୁ ନିଜର ଦାସ ରୂପେ ବ୍ୟବହାର କରିବାର ସୁଯୋଗ ଖୋଜୁ ନାହାନ୍ତି ତ ? ନ ହେଲେ ହୁଏତ ପୃଥିବୀକୁ ଅଧିକାରକରି ସବୁ ଜୀବଜନ୍ତୁଙ୍କୁ ମାରି ନିଜ ରହିବା ପାଇଁ ବିକଳ୍ପ ବାସସ୍ଥାନର ସନ୍ଧାନ କରୁନାହାନ୍ତି ତ ? କିଛି ବି ହୋଇପାରେ। ଯେହେତୁ ମଣିଷ ଓ ପରଗ୍ରହୀ ଜୀବମାନଙ୍କର ଶରୀର ଜୈବିକ ଗଣ ଭିନ୍ନ ସେମାନେ ମଣିଷକୁ ଖାଇବେ ନାହିଁ। ତେଣୁ ସବୁଠୁ ବଡ଼ ସମ୍ଭାବନା ହେଲା ସେମାନେ ଆମକୁ ଅଦରକାରୀ ଜୀବ ମନେକରି ଆମ ବାଟରେ ଛାଡ଼ିଦେବେ। ବୋଧହୁଏ ସେମାନେ ପୃଥିବୀ ଓ ଏହାର ଅଧିବାସୀମାନଙ୍କୁ ଏ ପର୍ଯ୍ୟନ୍ତ ନିରୀକ୍ଷଣ କରିବା ପରେ କିଛି କାମରେ ଆସିବା ଭଳି ଜିନିଷ ପାଇ ନାହାନ୍ତି।
ମଣିଷ ଯଦି ନିଜେ ନିଜର ବିଜ୍ଞାପନ ଦେଇ ପରଗ୍ରହୀ ଜୀବର ସନ୍ଧାନରେ ଲାଗିପଡ଼େ ଓ ପରଗ୍ରହୀ ଜୀବମାନେ ପୃଥିବୀର କୌଣସି ଏକ ଜିନିଷରେ ନିଜର ଆଗ୍ରହ ଦେଖିବେ ସେଦିନ ହୁଏତ ମଣିଷ ସଭ୍ୟତା ସଙ୍କଟରେ ପଡ଼ିପାରେ। ତେଣୁ ବୋଷ୍ଟନ ବିଶ୍ୱବିଦ୍ୟାଳୟର ବିଖ୍ୟାତ ସୈଦ୍ଧାନ୍ତିକ ପଦାର୍ଥ ବିଜ୍ଞାନୀ ମିଚିଓ କାକୁଙ୍କ ମତରେ ମହାକାଶରେ ଜୀବନ ସନ୍ଧାନ ପାଇଁ ଜାଣିଶୁଣି ବିଦ୍ୟୁତ୍‌ ଚମ୍ବକୀୟ ତରଙ୍ଗ ପ୍ରେରଣ କରିବା ନିଶ୍ଚୟ ଏକ ବୁଦ୍ଧିମାନ୍‌ର କାମ ନୁହେଁ। କିନ୍ତୁ ଦିନ ଆସିବ ମଣିଷ ଲୋକପ୍ରିୟ ହଲିଉଡ୍‌ ଚଳଚ୍ଚିତ୍ର ‘ଷ୍ଟାର୍‌ ୱାର୍‌’ ପରି ଆକାଶଗଙ୍ଗା ବାହାରେ ଶହ ଶହ ପୃଥିବୀ ପରି ଗ୍ରହର ସଂଯୋଜନାକୁ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ଆମଠାରୁ ୧ ଲକ୍ଷ ବର୍ଷ ଆଗରେ ଏକ ସଭ୍ୟତା କିପରି ଦେଖାଯିବ ତା’ର କଳ୍ପନା କରିବ, ଏଥିରେ ସନ୍ଦେହ ନାହିଁ।
ମୋ-୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri