ଦେୱାନୀ ଅଦାଲତ କର୍ମଚାରୀଙ୍କୁ ବର୍ଷେ ଜେଲ

ଆନନ୍ଦପୁର,୨୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିଜେଏମ କୋର୍ଟରେ ଏକ ମାମଲାର ବିଚାର ହୋଇ ରାୟ ପ୍ରକାଶ ପାଇଛି। ମାତ୍ର ଦୁଇ ମାସ ମଧ୍ୟରେ ବିଚାର ହୋଇ ରାୟ ପ୍ରକାଶ ପାଇବା ଘଟଣାକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଆନନ୍ଦପୁର ଏସ୍‌ଡିଜେଏମ ରଶ୍ମୀରେଖା ପାତ୍ର ଜିଆର କେସ୍‌ (ନଂ .୪୯/୨୨)ର ବିଚାର କରି ଦେୱାନୀ ଅଦାଲତର କର୍ମଚାରୀଙ୍କୁ ୧ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଜଣେ କର୍ତ୍ତବ୍ୟରତ ଦେୱାନୀ ଅଦାଲତ ଅଧିକାରୀଙ୍କୁ କାର୍ଯ୍ୟ ଅବଧି ସମୟରେ ଗାଳିଗୁଲଜ କରିବା ଘଟଣାରେ ଦେୱାନୀ ଅଦାଲତର କର୍ମଚାରୀ ରତିକାନ୍ତ ଶତପଥିଙ୍କ ବିରୋଧରେ ଗତ ମାର୍ଚ୍ଚ ୩ ତାରିଖରେ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କର ବିଳମ୍ବିତ କାର୍ଯ୍ୟ ଓ ଅସଙ୍ଗତ ବ୍ୟବହାର ପାଇଁ ତାଙ୍କୁ କାରଣ ଦର୍ଶାଇବାକୁ କୁହାଯାଇଥିଲା। ହେଲେ କର୍ମଚାରୀ ଜଣଙ୍କ ଉତକ୍ଷିପ୍ତ ହୋଇ ଗାଲିଗୁଲଜ କରିବା ସହିତ ଅଦାଲତି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିଲେ। ଆନନ୍ଦପୁର ସବ୍‌ ଜଜ୍‌ ମହେଶ୍ୱତା ପରିଜାଙ୍କ ଅଭିଯୋଗ ଆଧାରରେ ଆନନ୍ଦପୁର ଥାନାରେ ଏକ ମାମଲା (ନଂ.୫୦/୨୦୨୨) ରୁଜୁ କରାଯାଇ କର୍ମଚାରୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ସହକାରୀ ସରକାରୀ ଆଇନଜୀବୀ ପ୍ରଦୀପ କୁମାର ଜେନା ଏହି ମାମଲାକୁ ପରିଚାଳନା କରୁଥିଲେ।