ନୂଆଦିଲ୍ଲୀ, ୧୬ା୯ (ପି.ଟି.): କ୍ୟାନ୍ସର, ହୃଦ୍ରୋଗ ପରି କ୍ରୋନିକ୍ ଡିଜିଜ୍ (ଦୀର୍ଘକାଳୀନ ରୋଗ)ରେ ମୃତ୍ୟୁ ସମ୍ଭାବନା ବଢ଼ିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ରହିଛି। ଲାନ୍ସେଣ୍ଟ ପତ୍ରିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନ ସୋମବାର ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ୨୦୧୦ରୁ ୨୦୧୯ ମଧ୍ୟରେ ଭାରତରେ କ୍ରୋନିକ୍ ଡିଜିଜ୍ରେ ପୀଡ଼ିତ ଥିବା ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ତେବେ ଗତ ଦଶନ୍ଧିରେ ବୈଶ୍ୱିକ ସ୍ତରରେ ୫ରୁ ୪ ଦେଶରେ କ୍ରୋନିକ୍ ଡିଜିଜ୍ ମୃତ୍ୟୁ ହ୍ରାସ ପାଇଥିବାରୁ ଏହି ଅଧ୍ୟୟନ ଭାରତର ଚିନ୍ତା ବଢ଼ାଇଛି।
ଇମ୍ପେରିଆଲ କଲେଜ ଲଣ୍ଡନର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ଭାରତରେ ପୁରୁଷଙ୍କ ତୁଳନାରେ କ୍ରୋନିକ୍ ଡିଜିଜରେ ପୀଡ଼ିତ ହୋଇ ଅଧିକ ମହିଳାଙ୍କର ମୃତ୍ୟୁ ଘଟିଛି। ଦେଶରେ ହୃଦ୍ରୋଗ ଏବଂ ମଧୁମେହରେ ପୀଡ଼ିତ ହୋଇ ସର୍ବାଧିକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ଅଧ୍ୟୟନରେ ଗବେଷକମାନେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ସହଯୋଗରେ ଭାରତ ସମେତ ୧୮୫ ଦେଶରେ କ୍ରୋନିକ୍ ଡିଜିଜ୍ରୁ ହେଉଥିବା ମୃତ୍ୟୁକୁ ନେଇ ଗବେଷଣା କରିଥିଲେ। ଅଧ୍ୟୟନ ଅନୁଯାୟୀ, ମହିଳାଙ୍କ କ୍ଷେତ୍ରରେ ଜନ୍ମରୁ ୮୦ ବର୍ଷ ମଧ୍ୟରେ ଅଣ ସଂକ୍ରମିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହେବାର ସମ୍ଭାବନା ୧୮୫ ଦେଶ ମଧ୍ୟରୁ ୧୫୨ ଦେଶରେ (୮୨%) ହ୍ରାସ ପାଇଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ୧୪୭ ଦେଶରେ (୭୯%) ଏହା ହ୍ରାସ ପାଇଛି। ସେହିପରି ମହିଳାଙ୍କ କ୍ଷେତ୍ରରେ ୩୩ ଦେଶରେ (୧୮%) ଏବଂ ପୁରୁଷଙ୍କ କ୍ଷେତ୍ରରେ ୩୮ ଦେଶରେ (୨୧%) ଅଣ ସଂକ୍ରମିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହେବାର ସମ୍ଭାବନା ବଢ଼ିଥିବା ଏହି ଅଧ୍ୟୟନ କହିଛି।


