ଚାଇନାର ବିସ୍ତାରବାଦ

ବ୍ରହ୍ମ ଚେଲାନି

 

ଭାରତ-ପ୍ରଶାନ୍ତ ମହାସାଗରରେ ଆଞ୍ଚଳିକ ତଥା ସାମୁଦ୍ରିକ ସ୍ଥିତିକୁ ବଦଳାଇବା ପାଇଁ ଚାଇନା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୁପ୍ତ ଭାବରେ କାର୍ଯ୍ୟ କରିଆସିଛି। ଚାଇନାର ଏଭଳି ପଦକ୍ଷେପ ଅଷ୍ଟ୍ରେଲିଆ, ଭାରତ, ଜାପାନ, ତାଇୱାନ ଏବଂ ଦକ୍ଷିଣ-ପୂର୍ବ ଏସୀୟ ପଡ଼ୋଶୀ ଦେଶଗୁଡ଼ିକ ସମେତ ଆମେରିକା ସହ ଉତ୍ତେଜନା ବୃଦ୍ଧି କରିଛି। ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧରେ ଆମେରିକାର ଧ୍ୟାନ ଏବଂ ସମ୍ବଳ କେନ୍ଦ୍ରିତ ହୋଇଥିବାରୁ ଚାଇନା ଏବେ ଏହାର ବିସ୍ତାରବାଦରେ ଅଧିକ ଆକ୍ରମଣାତ୍ମକ ହୋଇଯାଇଛି। ପୂର୍ବାପେକ୍ଷା ଚାଇନାର ଆଞ୍ଚଳିକ ପ୍ରଭୁତ୍ୱ ବଢ଼ିଯାଇଛି। ପ୍ରାୟ ଦୈନିକ ତାଇଓ୍ବାନକୁ ଅସୁବିଧାରେ ପକାଇବା ଲାଗି ନୂଆ ଉପାୟ ଖୋଜୁଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ତାଙ୍କ ଦେଶ ସହ ତାଇଓ୍ବାନକୁ ମିଶାଇବା ଲାଗି ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି (ଯଦିଓ ଅନ୍ତର୍ଜାତୀୟ ଆଇନ କିମ୍ବା ଇତିହାସରେ ଏହି ଲକ୍ଷ୍ୟର କୌଣସି ଆଧାର ନାହିଁ)। ତାଇୱାନର ବାୟୁ ପ୍ରତିରକ୍ଷା କ୍ଷେତ୍ରକୁ ଦଖଲ କରିବା ଏବଂ ଦ୍ୱୀପକୁ ଚାରି ପାଖରୁ ଯୁଦ୍ଧ ଜାହାଜ ଘେରି ରହିଥିବାରୁ ଯୁଦ୍ଧ ଆଶଙ୍କା ବୃଦ୍ଧିପାଉଛି, ଯାହା ବିଶ୍ୱର ଭୂରାଜନୈତିକ ସ୍ଥିତିକୁ ପରିବର୍ତ୍ତନ କରିଦେବ।
ହିମାଳୟ ଅଞ୍ଚଳରେ ମଧ୍ୟ ଯୁଦ୍ଧର କଳା ବାଦଲ ଘୋଟିଆସୁଛି। ସେଠାରେ ପାଖାପାଖି ଚାରି ବର୍ଷ ଧରି ଭାରତର ସୀମାନ୍ତ ଅଞ୍ଚଳକୁ ଚାଇନା ବାରମ୍ବାର ଜବରଦଖଲ ହେତୁ ସାମରିକ ଉତ୍ତେଜନା ଜାରି ରହିଛି। ପୂର୍ବ ଚାଇନା ସାଗରରେ ଜାପାନ ନିୟନ୍ତ୍ରିତ ସେନ୍‌କାକୁ ଦ୍ୱୀପପୁଞ୍ଜର ଆଞ୍ଚଳିକ ଜଳ ଏବଂ ବାୟୁ କ୍ଷେତ୍ରରେ ଚାଇନା ଅନୁପ୍ରବେଶ କରି ତାହାକୁ ନିଜର ବୋଲି ଦାବି କରୁଛି। ଏହା ଜାପାନକୁ ପୁନର୍ବାର ସାମରିକ ଶକ୍ତି ବୃଦ୍ଧି କରିବାକୁ ପ୍ରେରିତ କରିଛି। ତେବେ ଦକ୍ଷିଣ ଚାଇନା ସାଗରରେ ସବୁଠୁ ବଡ଼ ବିପଦ ଆସିପାରେ। ସେଠାରେ ଚାଇନା ତା’ର ପ୍ରଭାବ ଜାହିର କରିବାର ପ୍ରୟାସ ହେତୁ ଆମେରିକାର ଯୁଦ୍ଧ ଜାହାଜ ଏବଂ ବିମାନ ସହିତ ବିପଜ୍ଜନକ ମୁକାବିଲାର ନିକଟତର ହୋଇଛି। ଅନେକ ବର୍ଷ ଧରି ଦକ୍ଷିଣ ଚାଇନା ସାଗର ଉପରେ ଚାଇନା ନିଜର ପ୍ରାଧାନ୍ୟକୁ ଦୃଢ଼ କରିବାକୁ ନିରନ୍ତର କାର୍ଯ୍ୟ କରିଆସୁଛି । ସେହି ଅଞ୍ଚଳର ବିପୁଳ ସମ୍ବଳକୁ ଶୋଷଣ କରିବାରେ ଲାଗିଛିି। ଏହାସହ ରଣନୀତିକ ସ୍ଥିତିକୁ ଏକ ଗୁରୁତ୍ୱପୂର୍ଣ୍ଣ କରିଡର ଭାବରେ ବ୍ୟବହାର କରୁଛି, ଯେଉଁ ବାଟ ଦେଇ ବିଶ୍ୱର ଏକ ତୃତୀୟାଂଶ ନୌପରିବହନ ହେଉଛି। ଏଥିପାଇଁ ଚାଇନା ପୁରୁଣା କୋରାଲ ରିଫ୍‌ (ପ୍ରବାଳ ପାଚେରି) ଉପରେ କୃତ୍ରିମ ଦ୍ୱୀପ ନିର୍ମାଣ କରିଛି ଏବଂ ଏହି ପ୍ରବାଳଦ୍ୱୀପକୁ ସାମରିକ ଘାଟିରେ ପରିଣତ କରିଛି। ଏହି ପଦକ୍ଷେପ ଅନ୍ତର୍ଜାତୀୟ ଆଇନ ସମେତ ଦି ହେଗ୍‌ରେ ଥିବା ଏକ ଅର୍ବିଟାଲ ଟ୍ରିବ୍ୟୁନାଲର ୨୦୧୬ ରାୟର ଖୋଲା ଉଲ୍ଲଂଘନ କରୁଛି। ଏହି ରାୟ ଦକ୍ଷିଣ ଚାଇନା ସାଗରରେ ଚାଇନାର ଦାବିକୁ ଅଗ୍ରାହ୍ୟ କରେ। ଏହା ହୋଇଥିଲେ ମଧ୍ୟ ଶାସନରେ ରହିଆସିିଥିବା ଆମେରିକାର ୩ଟି ପ୍ରଶାସନ ପକ୍ଷରୁ କମ୍‌ ପ୍ରତିରୋଧ କରାଯାଇଛି। ଫଳସ୍ବରୂପ ଚାଇନା ବିନା ସଂଘର୍ଷରେ ଏକପାଖିଆ ଭାବେ ଏହାର ସାମୁଦ୍ରିକ ସୀମା ବିସ୍ତାର କରିବାରେ ସଫଳ ହୋଇଛି।
ବର୍ତ୍ତମାନ ଚାଇନା ନୌସେନା ଏବଂ ବାୟୁସେନା ପଡ଼ୋଶୀ ଦେଶଗୁଡିକର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌(ଇଇଜେଡ୍‌)ରେ ପଇଁତରା ମାରୁଛି। ଏହାର ତଟରକ୍ଷୀ ବାହିନୀ ତଥା ସୈନ୍ୟବାହିନୀ ଅନ୍ୟ ଦେଶର ସମୁଦ୍ରରେ ଥିବା ତୈଳ ଉତ୍ତୋଳନ ଏବଂ ଗ୍ୟାସ କ୍ଷେତ୍ରରେ ଅନୁପ୍ରବେଶକରି ପାଟ୍ରୋଲିଂ କରୁଛି। ଆମେରିକା ସହିତ ଫିଲିପାଇନ୍ସ ଓ ଭିଏଟ୍‌ନାମ ଭଳି କ୍ଷୁଦ୍ର ପଡ଼ୋଶୀ ଦେଶଗୁଡ଼ିକର ଜାହାଜକୁ ନିରୀକ୍ଷଣ କରିବା, ପିଛା କରିବା ଏବଂ ହଇରାଣ କରିବା ପାଇଁ ଚାଇନା ତାହାର ନୌସେନାକୁ ବ୍ୟବହାର କରିଆସୁଛି। ସେହିସବୁ ଅଞ୍ଚଳକୁ ତାହାର ବୋଲି ଚାଇନା ଦାବି କରିଆସୁଛି। ଏପରିକି ମାଛଧରା ଡଙ୍ଗାଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରାଯାଉଛି। ଚାଇନାର ଜାହାଜଗୁଡ଼ିକ ବର୍ତ୍ତମାନ ସୁଚିନ୍ତିତ ଭାବରେ ଅନ୍ୟ ଜାହାଜକୁ ବୁଡାଇଦେଉଛି କିମ୍ବା ଧକ୍କା ଦେଉଛି। ଚାଇନା ତାହାର ଆଞ୍ଚଳିକ ଦାବି ହାସଲ କରିବାରେ ଏବଂ ଦକ୍ଷିଣ ଚାଇନା ସାଗରରେ ମାଛଧରା ଓ ଶକ୍ତି ଉତ୍ତୋଳନ ଅଧିକାରକୁ ଦୃଢ଼ କରିବାରେ ଅଧିକ ଆକ୍ରମଣାତ୍ମକ ହେବ ବୋଲି ଏଥିରୁ ସ୍ପଷ୍ଟ ମନେହେଉଛି।
ଦକ୍ଷିଣ ଚାଇନା ସାଗରରେ ସାମରିକ ଶକ୍ତି ବୃଦ୍ଧି କରିବା ଫିଲିପାଇନ୍ସ ଏବଂ ଭିଏଟ୍‌ନାମ ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିବ। କିନ୍ତୁ ଭିଏଟ୍‌ନାମ ଏକ ସ୍ବାଧୀନ ବୈଦେଶିକ ନୀତି ଆପଣାଉଥିବାବେଳେ ଏହା ଅପରିହାର୍ଯ୍ୟ ବୋଲି ତା’ର ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଆମେରିକାର ଦୀର୍ଘ ଦିନର ସହଯୋଗୀ ଫିଲିପାଇନ୍ସର ୧୯୫୧ ପରଠାରୁ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ବଳବତ୍ତର ରହିଛି। ତଥାପି ଦକ୍ଷିଣ ଚାଇନା ସାଗରରେ ଚାଇନାର ବିସ୍ତାରବାଦକୁ ଦେଖିଲେ ଏବେ ଫିଲିପାଇନ୍ସ ଉପରେ ନିଜ ସୁରକ୍ଷା ଦାୟିତ୍ୱ ଛାଡ଼ି ଦେଇ ତା’ଠାରୁ ଆମେରିକା ଦୂରେଇଯାଇଛି। ୨୦୧୨ରେ ଚାଇନା ଯେତେବେଳେ ଫିଲିପାଇନ୍ସର ଇଇଜେଡ୍‌ ମଧ୍ୟରେ ଅବସ୍ଥିତ ଏକ ପାରମ୍ପରିକ ମାଛଧରା ଅଞ୍ଚଳ ସ୍କାର୍ବୋରୋଫ୍‌ ଶୋଆଲକୁ ଦଖଲ କଲା, ସେତେବେଳେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନ ଚୁପ ରହିଲା। ସେବେଠାରୁ ଚାଇନା ଫିଲିପାଇନ୍ସର ଇଇଜେଡ୍‌ ମଧ୍ୟରେ ଥିବା ଅନ୍ୟ ଅଞ୍ଚଳକୁ ନିୟନ୍ତ୍ରଣ କରିବାରେ ଲାଗିଛି। ସହଯୋଗର ଚୁକ୍ତି ପରେ ମଧ୍ୟ ଆମେରିକା ତା’ସହଯୋଗୀକୁ ସାମାନ୍ୟ ସହଯୋଗ କରିନାହିଁ ।
ଏଥିରେ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ନାହିଁ । ୟୁକ୍ରେନ୍‌ ଏବଂ ଗାଜା ଯୁଦ୍ଧରେ ଆମେରିକା ସାହାଯ୍ୟ କରୁଛି। ଫଳରେ ତା’ସାମରିକ ସମ୍ବଳ ହ୍ରାସ ପାଉଥିବାରୁ ଶେଷରେ ଚାଇନା ସହିତ ଆମେରିକା ସିଧାସଳଖ ମୁକାବିଲା କରିବା ଦରକାର। କିନ୍ତୁ ଚାଇନା ସହିତ ସିଧାସଳଖ ମୁକାବିଲା କରିବାକୁ ଆମେରିକା ମନା କରୁଛି। ତଥାପି ଏକ ସଂଘର୍ଷର ସମ୍ଭାବନା ରହିଛି, ଯାହା ଅଧିକ ବିନାଶକାରୀ ହେବ। ପ୍ରକୃତରେ ଦକ୍ଷିଣ ଚାଇନା ସାଗରରେ ଦୃଢ଼ତା ହାସଲ କରିବା ପାଇଁ ଆମେରିକା ଏକଦଶନ୍ଧି ପୂର୍ବେ ହିଁ ଚାଇନାକୁ ଅନୁମତି ଦେଇଛି ଓ ସେବକାର ସ୍ଥିତିକୁ ପୁନଃ ସଂରକ୍ଷଣ କରିବା ଏବେ ସମ୍ପୂର୍ଣ୍ଣ ଯୁଦ୍ଧ ବିନା ସମ୍ଭବ ହେବ ନାହିଁ। ଦକ୍ଷିଣ ଚାଇନା ସାଗରରେ ସମ୍ପ୍ରତି ଉତ୍ତେଜନା ବୃଦ୍ଧି ସୂଚାଏ ଯେ, ବିପଦ ଓ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଜିନ୍‌ପିଙ୍ଗ ପୂର୍ବାପେକ୍ଷା ଅଧିକ ନିର୍ଭୀକ ହୋଇଯାଇଛନ୍ତି। ଏହି ସମୟରେ ଚାଇନାର ଆକ୍ରମଣାତ୍ମକ ବିସ୍ତାରବାଦକୁ ରୋକିବାରେ ଆମେରିକାର ବିଫଳତା ନିଜର ସୁରକ୍ଷା ଏବଂ ବାଣିଜି୍ୟକ ସ୍ବାର୍ଥକୁ କ୍ଷୁଣ୍ଣ କରୁଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୂଚାଇ ଦେଇଛନ୍ତି ଯେ, ଚାଇନା ସହିତ ଆମେରିକା ପ୍ରତିଦ୍ୱନ୍ଦ୍ୱିତା ଚାହେଁ, ଯୁଦ୍ଧ ନୁହେଁ। କିନ୍ତୁ ଚାଇନା ରଣନୀତିକ ପ୍ରାଧାନ୍ୟ ଚାହୁଁଛି। ଦକ୍ଷିଣ ଚାଇନା ସାଗରକୁ ପାଇବା ପାଇଁ ଯୁଦ୍ଧ ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହୁଛି। ଦକ୍ଷିଣ ଚାଇନା ସାଗର ଆମେରିକାର ସଂକଳ୍ପର ଏକ ପରୀକ୍ଷା ପାଲଟିଛି, ଯେଉଁଠି ବାଇଡେନ୍‌ ବିଫଳ ହୁଅନ୍ତୁ ବୋଲି ଜିନ୍‌ପିଙ୍ଗ ଚାହୁଁଛନ୍ତି। ବିଶ୍ୱ, ବିଶେଷକରି ଚାଇନାର ବିସ୍ତାରବାଦକୁ ବିରୋଧ କରୁଥିବା ଆଗ ଧାଡ଼ିର ଦେଶଗୁଡ଼ିକ କେବଳ ଭାବିପାରନ୍ତି ଯେ ଜିନ୍‌ପିଙ୍ଗ ଭୁଲ ରାସ୍ତାରେ ଅଛନ୍ତି। ତେବେ ସେମାନେ ଏହା ମଧ୍ୟ ଚାହାନ୍ତି ଯେ, ଆମେରିକା ବିନା ଯୁଦ୍ଧରେ ଚାଇନାକୁ ମୁକାବିଲା କରିବାର ଉପାୟ ଖୋଜୁ।
ପ୍ରଫେସର , ଏମେରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌, ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri