ଚାଇନାର କୂଟନୀତି

ହରେକୃଷ୍ଣ ପଣ୍ଡା

 

ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆଗୁଆ ଦେଶ ବୋଲାଇବା ନିଶା ଚାଇନା ରାଷ୍ଟ୍ରପତିଙ୍କୁ ଛାଡ଼ି ନାହିଁ। ନିଜ ଦେଶ ପାଇଁ ବହୁ ସମସ୍ୟା ମୁଣ୍ଡ ଟେକୁଥିବା ବେଳେ ଦକ୍ଷିଣ ଏସିଆ ପାଇଁ ଚାଇନା ରାଷ୍ଟ୍ରପତି ମୁଣ୍ଡ ଖେଳାଇବା ହାସ୍ୟାସ୍ପଦ କଥା। ପଡ଼ୋଶୀ ରାଷ୍ଟ୍ର ଭାବେ ଭାରତକୁ ଏବେ ବି ଚାଇନା ଭାବୁଛି ପାକିସ୍ତାନ ଭଳି ଦୁର୍ବଳ। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ଚାଇନା ଋଣଜାଲରେ ଫସାଇ ତଳିତଳାନ୍ତ କଲାପରେ ମଧ୍ୟ ନିଜର ଦାମ୍ଭିକତାକୁ ଛାଡ଼ିପାରୁ ନାହିଁ। ବିଲେଇ ଆଖି ବୁଜି କ୍ଷୀର ପିଇଲା ଭଳି ଚାଇନା ନିଜ ମୁଖାକୁ ଲୁଚାଇ ନିଜର ବନ୍ଧୁତ୍ୱକୁ ଏମାନଙ୍କ ପାଖରେ ଜାହିର କରୁଛି। ଗୋଆରେ ସାଂଘାଇ ସହଯୋଗ ସଂଗଠନର ବୈଠକ ସରିଲା ପରେ ଚାଇନାର ବୈଦେଶିକ ମନ୍ତ୍ରୀ ଜିନ୍‌ଗାଙ୍ଗ୍‌ ବିଚଳିତ ହୋଇ ଦୁଇଦିନିଆ ପାକିସ୍ତାନ ଗସ୍ତରେ ଯିବା ଅତି ତାତ୍ପର୍ଯ୍ୟପୂର୍ଣ୍ଣ ।
ଭାରତ ପକ୍ଷରୁ ସେହି ସମ୍ମିଳନୀରେ ଯେଉଁ ବୁମେରାଂ ଅସ୍ତ୍ର ଛଡ଼ାଯାଇଥିଲା ତାହା ଚାଇନା ସହ୍ୟ କରିପାରିଲାନାହିଁ। ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବା ମାତ୍ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୃଢ ସ୍ବରରେ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ପିଓକେକୁ ଛାଡ଼ିଦେବା ଉଚିତ ବୋଲି ଦାବି କରିଥିଲେ। ଏହି ଦାବି ଚାଇନା ପାଇଁ ଅସହ୍ୟ ହୋଇଥିଲା। ତେଣୁ ଚାଇନା ପାକିସ୍ତାନକୁ ସମର୍ଥନ ଜଣାଇବାକୁ ଯାଇ କହିଲା ଯେ ଭାରତ-ପାକିସ୍ତାନ ମଧ୍ୟରେ କଶ୍ମୀର ବିବାଦ ହେଉଛି ଐତିହାସିକ ଏବଂ କୌଣସି ପ୍ରକାର ଏକପାଖିଆ କାର୍ଯ୍ୟାନୁଷ୍ଠାନ ବଦଳରେ ଜାତିସଂଘ ନିଷ୍ପତ୍ତି ଆଧାରରେ ଏହାର ସମାଧାନ ହେବା ଉଚିତ। ଏଥିରୁ ଜଣାପଡ଼ିଲା ଯେ ଚାଇନା ଜାତିସଂଘକୁ ଟାଣିଓଟାରି ପୂରାଉଛି। ଏହା ଚାଇନାର ବାଚାଳାମି ବୋଲି ସମସ୍ତେ ଉପନୀତ ହେଲେ। ଅନ୍ୟପକ୍ଷେ ଜଣାପଡ଼ିଲା ଯେ ବର୍ତ୍ତମାନ ସମୟରେ ଚାଇନାର ଏକମାତ୍ର ଆଧାର ହେଉଛି ପାକିସ୍ତାନ। କୁମ୍ଭୀର ଅଧାନଈରେ କଲା ପରେ ବି ଚାଇନା ହେଜିପାରୁ ନାହିଁ। ସବୁ ଦିଗ ଚାଇନା ପାଖରୁ ଦୂରେଇଯିବାକୁ ବସିଲାଣି। ତଥାପି ଚାଇନା ଏକଚାଟିଆ ବାଣିଜ୍ୟ କରିବାର ସ୍ବପ୍ନ ଦେଖୁଛି।
ପାକିସ୍ତାନରେ ଚାଇନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଆର୍‌ଆଇ ପ୍ରକଳ୍ପ ଏବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ଭାରତ ତା’ର ଗତିପଥରେ ବାଧା ସୃଷ୍ଟି କରିଆସିଛି। ଭାରତର କୂଟନୀତି ଆଗରେ ଚାଇନାର କୂଟନୀତି ସବୁବେଳେ ଫିକା ପଡୁଛି। ତାଲିବାନ୍‌ ଆଫଗାନରେ ଶାସନ ଭାର ନେବା ପରେ ଚାଇନା ପ୍ରଥମେ ସହଯୋଗର ହାତ ବଢ଼ାଇଥିଲା ଏହି ଆର୍‌ବିଆଇ ପ୍ରକଳ୍ପକୁ ଆଖି ଆଗରେ ରଖି। କିନ୍ତୁ ତା’ ଆଗରୁ ଭାରତର ସହଯୋଗ ଆଫଗାନ ନିର୍ମାଣରେ କାର୍ଯ୍ୟ କରିଆସିଛି। ଏବେ ଚାଇନା ଆଫଗାନ ସହ ନିଜ ଦେଶର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନେଇ ଏକ ରାଜିନାମା ସ୍ବାକ୍ଷର କରିଛି। ଏହି ଅବସରରେ ଆଫଗାନିସ୍ତାନରେ ଆତଙ୍କବାଦର ମୁକାବିଲା ଏବଂ ତାକୁ ଆନ୍ତର୍ଜାତିକ କଟକଣାରୁ ସୁରକ୍ଷା ପ୍ରଦାନ ନିମନ୍ତେ ଚାଇନା ଓ ପାକିସ୍ତାନ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ପିଓକେକୁ ମୁକ୍ତ ନ କରିବା ପୂର୍ବରୁ ଚାଇନା ନିଜକୁ ପ୍ରମାଦ ପଡ଼ିବା ମନେକଲାଣି। ସେଥିପାଇଁ ତରବରରେ ସେ ପାକିସ୍ତାନ ସହ କଥାବାର୍ତ୍ତା କରି କିପରି ଆଫଗାନ ସହ ହାତ ମିଳାଇ ନିଜର ଇକୋନୋମିକ କରିଡର ବା ସିପିଇସି କୁ ପୁନଃ ନିର୍ମାଣ କରିବାକୁ ଆଗେଇ ଆସିଛି। ଏହି ପ୍ରକଳ୍ପର ଭିତ୍ତିଭୂମି ନିର୍ମାଣ ପାଇଁ ଚାଇନା ୬୦ ବିଲିୟନ ଡଲାର ବିନିଯୋଗ କରୁଛି। ଚାଇନା ଏବେ ଭାରତକୁ ନାଲିଆଖି ଦେଖାଇବା ସହିତ ତାଲିବାନ୍‌କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଚାଲିଛି। ଆଫଗାନିସ୍ତାନରେ ୧୦୦ ବିଲିୟନ ଡଲାର ବିନିଯୋଗ କରିବ ବୋଲି କହିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଲିବାନ୍‌ ସରକାର ଆନ୍ତର୍ଜାତିକ କଟକଣାର ଶିକାର ହୋଇଛି। ବିଭିନ୍ନ ବିଦେଶୀ ବ୍ୟାଙ୍କରେ ତାଲିବାନ୍‌ ସରକାରଙ୍କର ୯୦୦ କୋଟି ଡଲାର ପଡ଼ିରହିଛି। ତାହା ଉଠାଇବା କଷ୍ଟକର। ଏହାକୁ ମୁକୁଳାଇବା ପାଇଁ ଚାଇନା ଓ ପାକିସ୍ତାନ ଉଭୟ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ତାଲିବାନୀ ବିଶେଷଜ୍ଞ ସେମାନଙ୍କ କଥାରେ ଭଳି ଚାଲିଛନ୍ତି। ଏବେ ଚାଇନା,ପାକିସ୍ତାନ,ଇରାନ ଓ ରୁଷିଆ ତାଲିବାନ୍‌ ଶାସକଙ୍କୁ ଆଫଗାନସ୍ତାନର ପୁନଃ ନିର୍ମାଣରେ ସହାୟତା କରିବାକୁ ଆଗେଇ ଆସିଛନ୍ତି। କଥାରେ ଅଛି ‘ଆରେ ଢମଣା ବୁଲି ବୁଲି ଆସି ସେଇ ଅଗଣା’। ଚାଇନା ଯେତେ ଯାହା କଲେ, ପାକିସ୍ତାନ ଅଧିକୃତ ପିଓକେ ପାଖରେ ଆସି ପହଞ୍ଚତ୍ୟାଏ। ସେ ଅଞ୍ଚଳରେ ଚାଇନାର ଆର୍ଥିକ କରିଡରକୁ ଭାରତ କେବେ ବି ବାଟ ଛାଡ଼ିବ ନାହିଁ। ଏହି ଅଞ୍ଚଳକୁ ନିଜର ବୋଲି ଭାରତ କରୁଥିବା ଦାବିକୁ ପାକିସ୍ତାନ,ଚାଇନା ଗୁରୁତ୍ୱ ଦେଉନାହାନ୍ତି ସତ, କିନ୍ତୁ ସବୁବେଳେ ଆଶଙ୍କାଗ୍ରସ୍ତ। ସେଥିପାଇଁ ଚାଇନାର କୂଟନୀତି ଏବେ ଚରମସୀମାରେ ପହଞ୍ଚିଛି। ଏହି ୩ ରାଷ୍ଟ୍ର ମଧ୍ୟରେ ଯେଉଁ ବୁଝାମଣା ହୋଇଛି ତାହା ସ୍ଥାୟୀ ହୋଇ ରହିବା ମନେହୁଏନା। କାରଣ ଚାଇନା ନିଜର ଫାଇଦା ପାଇଁ ଦକ୍ଷିଣ ଏସିଆରେ ଜାଲ ବିଛାଇବା ଆରମ୍ଭ କରିଛି। ଏଣେ ଚାଇନା ଦେଖୁଛି ଦକ୍ଷିଣ ଚୀନ ସାଗର ବିବଦମାନ ଅବସ୍ଥାରେ। ଭାରତ ଏବଂ ଭାରତର ସହଯୋଗୀ ରାଷ୍ଟ୍ର ସବୁବେଳେ ଆଖି ରଖିଛନ୍ତି। ବେଳେ ବେଳେ ଆମେରିକା ନୌଜାହାଜ ଏଠାରେ ପଇଁତରା ମାରୁଛି।
ରୁଷିଆ, ଚାଇନା, ଇରାନ ଏବେ ନିଜ ରକ୍ଷା ପାଇଁ ବାଟ ଖୋଜୁଥିବା ବେଳେ ଆଉ ଗୋଟିଏ ରାଷ୍ଟ୍ରକୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେବା କେବଳ ପ୍ରତାରଣା ବ୍ୟତୀତ ଆଉ କିଛି ନ ହୋଇ ପାରେ। ରୁଷିଆ ୟୁକ୍ରେନ୍‌ ଉପରେ ଲଦିଦେଇଥିବା ଯୁଦ୍ଧ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ରୁଷିଆ ସମ୍ମୁଖୀନ ହୋଇଥିବା କ୍ଷତି ଭରଣା କରିବାକୁ କେତେବର୍ଷ ଯେ ଲାଗିବ ତାହା କହିହେଉ ନାହିଁ। ପାକିସ୍ତାନରେ ହୁଏତ ସାମରିକ ଶାସନ ପୁଣି ଲେଉଟିପାରେ ବୋଲି ଅନୁଭୂତ ହେଉଛି। ଏଇଭଳି ପରିସ୍ଥିତିରେ ଚାଇନା ମଜ୍ଜା ମାରିବାକୁ ବସିଛି। ସମଗ୍ର ବିଶ୍ୱ ଅର୍ଥନୈତିକ ସଙ୍କଟ ଭୋଗ କରୁଥିବା ବେଳେ ଚାଇନା ସେଥିରୁ ବାଦ୍‌ ଯାଇନାହିଁ। ଚାଇନା ତା’ର ପଡ଼ୋଶୀ ରାଷ୍ଟ୍ରର କାନ୍ଧ ଉପରେ ଠିଆହେବାକୁ ପ୍ରୟାସ କରୁଛି। ଚାଇନାର ପାରମ୍ପରିକ ଶତ୍ରୁରାଷ୍ଟ୍ର ଆମେରିକା ପାଖରେ ନାଲିଆଖି ଦେଖାଇବା କଷ୍ଟକର। ଏଭଳି ସ୍ଥିତିରେ ଭାରତ ଯେ ଚୁପ୍‌ ହୋଇ ବସିରହିବ ତାହା ନୁହେଁ। ଆସନ୍ତା ମାସରେ ଭାରତ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଉଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା ହେବ। ମୋଦି ଏବଂ ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଲୋଚନା ହେବ। ମୋଦିଙ୍କ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ ବୋଲି ମନେକରଯାଉଛି। ଆମେରିକା ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଯେଉଁ ଆଲୋଚନା ହେବ ତାହା ଚାଇନା ପାଇଁ କ’ଣ ହୋଇ ପାରେ ତାହା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନେହୁଏ। ଚାଇନାର ବର୍ତ୍ତମାନର କୂଟନୀତି ଏହା ପରେ କେଉଁ ନୀତିକୁ ଗ୍ରହଣ କରିବ ତାହା ଆଉ ମାସକ ପରେ ଜଣାପଡିବ।
ସୟଦପୁର, ଯାଜପୁର,
ମୋ- ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri