ଆମେରିକାର ଟାରିଫ୍‌ ଉପରେ ଚାଇନାର କଡ଼ା ପ୍ରତିକ୍ରିୟା, ଭୁଲ ପଦକ୍ଷେପ ପ୍ରତ୍ୟାହାର କର, ନଚେତ୍‌…

ବେଜିଂ,୨୬ା୧୧: ନୂଆ ଟାରିଫ୍‌ ବା ଶୁଳ୍କ ଲାଗୁ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ଚାଇନା ଦୃଢ଼ ବିରୋଧ କରିଛି। ଗୁରୁବାର ଚାଇନା ଆମେରିକାକୁ ତା’ର ଭୁଲ୍‌ ଅଭ୍ୟାସ ଓ ନୀତି ସଂଶୋଧନ କରି ଆଲୋଚନା ଓ ପାରସ୍ପରିକ ପରାମର୍ଶ ମାଧ୍ୟମରେ ବିବାଦ ସମାଧାନର ପଥକୁ ଫେରିବାକୁ ଅନୁରୋଧ କରିଛି। ଚାଇନା ସତର୍କ କରାଇ ଦେଇଛି ଯେ, ଏହା ପରିସ୍ଥିତି ଉପରେ କଡ଼ା ନଜର ରଖିବ ଏବଂ ଆବଶ୍ୟକ ହେଲେ ନିଜର ବୈଧ ଅଧିକାର ଓ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଅଧିକାର ସଂରକ୍ଷଣ କରେ।

ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହେ ୟାଡୋଙ୍ଗ କହିଛନ୍ତି ଯେ , ଅତିରିକ୍ତ ଉତ୍ପାଦନ କ୍ଷମତା ଆଳରେ ଆମେରିକାର ଧାରା ୩୦୧ ତଦନ୍ତ ଏକ ଏକପାଖିଆ କାର୍ଯ୍ୟାନୁଷ୍ଠାନ, ଯାହା ବିଶ୍ୱ ବାଣିଜ୍ୟ ସଂଗଠନ (WTO) ନିୟମ ଓ ଅନ୍ତର୍ଜାତୀୟ ଅର୍ଥନୈତିକ ବ୍ୟବସ୍ଥାକୁ ଦୁର୍ବଳ କରୁଛି। ତାଙ୍କ ମତରେ, ଏହା ସୁରକ୍ଷାବାଦକୁ ପ୍ରୋତ୍ସାହିତ କରିବାର ଏକ ବାହାନା ଏବଂ ଏଭଳି ପଦକ୍ଷେପ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଅସ୍ଥିର କରିବା ସହ ମୁଦ୍ରାସ୍ଫୀତି ବଢ଼ାଇପାରେ। ଚାଇନା ପକ୍ଷରୁ ଆମେରିକାକୁ ୬୦ ବିଲିଅନ ଡଲାରର ଶୁଳ୍କ ହ୍ରାସ ବ୍ୟବସ୍ଥାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆଭ୍ୟନ୍ତରୀଣ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ମଧ୍ୟ କୁହାଯାଇଛି।

ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଚାଇନା ସମେତ ୧୪ଟି ବାଣିଜି୍ୟକ ଅଂଶୀଦାରଙ୍କ ଉପରେ ନୂଆ ଶୁଳ୍କ ପ୍ରସ୍ତାବ ରଖିଛି, ଯେଉଁଥିରେ ଚାଇନା ପାଇଁ ୨୦% ପର୍ଯ୍ୟନ୍ତ ଶୁଳ୍କ ହାର ରହିଛି। ଅନ୍ୟପକ୍ଷରେ ଆମେରିକା ବାଣିଜ୍ୟ ପ୍ରତିନିଧି ଜାମିସନ ଗ୍ରୀଅର୍‌ କହିଛନ୍ତି ଯେ, ପ୍ରସ୍ତାବିତ ଶୁଳ୍କଗୁଡ଼ିକ ବେଜିଂ ସହିତ ଚାଲିଥିବା ବାଣିଜ୍ୟ ଆଲୋଚନାର ପରିସର ମଧ୍ୟରେ ଅଛି।

ଏହି ପ୍ରସ୍ତାବଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏଗୁଡ଼ିକ ସାର୍ବଜନୀନ ମତାମତ ଓ ଶୁଣାଣି ପ୍ରକ୍ରିୟା ଦେଇ ଗତି କରିବ। ତେଣୁ ଆମେରିକାର ପରବର୍ତ୍ତୀ ପଦକ୍ଷେପ ଏବଂ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Share