ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା ସାରା ବିଶ୍ୱକୁ ଚକିତ କରିଛି। ଏହି ବିପର୍ଯ୍ୟୟ ପରେ ଭାରତର ଅରୁଣାଚଳ ପ୍ରଦେଶ ନିକଟରେ ଚାଇନା ନିର୍ମାଣ କରୁଥିବା ୬୦,୦୦୦ ମେଗାୱାଟ କ୍ଷମତାସମ୍ପନ୍ନ ବିଶାଳ ‘ମେଡୋଗ ଜଳବିଦ୍ୟୁତ୍ ପ୍ରକଳ୍ପ’କୁ ନେଇ ବଡ଼ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଅତ୍ୟନ୍ତ ଭୂକମ୍ପପ୍ରବଣ ହିମାଳୟ ଅଞ୍ଚଳରେ ଚାଇନା ନିର୍ମାଣ କରୁଥିବା ଏହି ଡ୍ୟାମ୍କୁ ବିଶେଷଜ୍ଞମାନେ ଏକ ‘ଟାଇମ ବମ’ କିମ୍ବା ‘ୱାଟର ବମ୍’ ବୋଲି ଆଖ୍ୟା ଦେଇଛନ୍ତି। ତିବ୍ବତର ୟାରଲୁଙ୍ଗ ଜାଙ୍ଗବୋ (ଯାହା ଭାରତରେ ବ୍ରହ୍ମପୁତ୍ର ନାମରେ ପରିଚିତ) ନଦୀରେ ପ୍ରାୟ ୧୬୭ ବିଲିୟନ ଡଲାର ବ୍ୟୟରେ କରାଯାଉଥିବା ଏହି ମେଗା ଡ୍ୟାମ୍ ଚାଇନାର ପ୍ରସିଦ୍ଧ ‘ଥ୍ରୀ ଗୋର୍ଜେସ ଡ୍ୟାମ୍’ଠାରୁ ତିନିଗୁଣ ଅଧିକ ବିତ୍ୟୁତ୍ ଉତ୍ପାଦନ କରିବ। ଗତ ଜୁଲାଇରେ ଚାଇନା ସରକାରୀ ଭୂବିଜ୍ଞାନୀମାନଙ୍କ ଏକ ରିପୋର୍ଟରୁ ପ୍ରକାଶ ପାଇଥିଲା ଯେ ଏହି ନିର୍ମାଣାଧୀନ ଡ୍ୟାମ୍ଟି ସକ୍ରିୟ ‘ପାଇଝେନ ଫଲ୍ଟ ଲାଇନ୍’ ଉପରେ ଅବସ୍ଥିତ। ଏହି ଅଞ୍ଚଳର ପରିବେଶ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏଠାରେ ସାମାନ୍ୟ ଭୂକମ୍ପ କିମ୍ବା ହିମସ୍ଖଳନ ଘଟିଲେ ଡ୍ୟାମ ଭାଙ୍ଗି ଭାରତର ଉତ୍ତର-ପୂର୍ବାଞ୍ଚଳ (ବିଶେଷକରି ଅରୁଣାଚଳ ପ୍ରଦେଶ ଓ ଆସାମ) ସମେତ ସମଗ୍ର ବାଂଲାଦେଶ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ପ୍ରଳୟ ସୃଷ୍ଟି ହେବା ଭୟ ରହିଛି।
କୋଲକାତା ଓ ଦିଲ୍ଲୀର ଭୂବିଜ୍ଞାନୀ ତଥା ପ୍ରତିରକ୍ଷା ବିଶେଷଜ୍ଞ ବ୍ରହ୍ମା ଚେଲାନି ଏବଂ ପ୍ରାକ୍ତନ କୂଟନୀତିଜ୍ଞ ରାଜୀବ ଡୋଗ୍ରା ସୋସିଆଲ ମିଡିଆରେ ଚେତାବନୀ ଦେଇଛନ୍ତି, ନେପାଳରେ ଘଟିଥିବା ପ୍ରକୃତିର ପ୍ରକୋପ ହେଉଛି ଏକ ବଡ଼ ସଙ୍କଟର ସୂଚନା। ଚାଇନା ନିଜର ଆଧିପତ୍ୟ ପାଇଁ ହିମାଳୟର ସମ୍ବେଦନଶୀଳ ପରିବେଶକୁ ବାଜି ଲଗାଇ ଏହି ‘ୱାଟର ବମ୍’ ପ୍ରସ୍ତୁତ କରୁଛି, ଯାହା ତଳିଆ ଦେଶଗୁଡ଼ିକ ପାଇଁ ସାଂଘାତିକ ପ୍ରମାଣିତ ହେବ। ଅନ୍ୟପଟେ ନେପାଳରେ ବନ୍ୟା ଆସିବା ପୂର୍ବରୁ ଚାଇନା ସରକାର ନେପାଳକୁ କୌଣସି ଅଗ୍ରୀମ ସୂଚନା ନ ଦେବା ଘଟଣାକୁ ନେଇ କାଠମାଣ୍ଡୁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।