ଚାଇନା ଆଗାମୀ କିଛିବର୍ଷ ମଧ୍ୟରେ, ସମ୍ଭବତଃ ୨୦୩୫ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ। ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି) ସେତେବେଳକୁ ଆମେରିକାଠାରୁ ଅଧିକ ହୋଇଯିବ। ଏହା ଆମେରିକା ପାଇଁ ଗ୍ରହଣୀୟ ହେଉନାହିଁ, କାରଣ ବିଗତ ଶତାବ୍ଦୀରେ ଏହା ବିଶ୍ୱ ଶକ୍ତି ଭାବେ ପ୍ରାଧାନ୍ୟ ବିସ୍ତାର କରିଆସିଛି ଏବଂ ଏହା ମୁଖ୍ୟତଃ ତାହାର ଅର୍ଥ ବ୍ୟବସ୍ଥା ଯୋଗୁ ହୋଇଛି। ଏହା ଏବେ ୧ ନମ୍ବରରୁ ୨ ନମ୍ବର ଆଡ଼କୁ ଯାଉଥିବା ଆମେ ସ୍ପଷ୍ଟଭାବେ ଦେଖିପାରୁଛୁ। ତାହା ଚାଇନାର ପ୍ରତିରୋଧ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ ଯୁଦ୍ଧରୁ ଘଟିବାକୁ ଯାଉଛି। ପାଶ୍ଚାତ୍ୟ ଅନ୍ତର୍ଜାତୀୟ ନିୟମ ଆଧାରିତ ବ୍ୟବସ୍ଥାରେ ଉପନିବେଶବାଦ ମାଧ୍ୟମରେ ସିଧାସଳଖ ଶାସନ କରୁଥିଲେ। ଏବେ କିନ୍ତୁ ସେହି ସ୍ଥାନ ନେଇଛି ଜାତିସଂଘ ସୁରକ୍ଷା ପରିଷଦ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ। ଜି୭ ଭଳି ଗୋଷ୍ଠୀଗୁଡ଼ିକୁ ମଧ୍ୟ କାର୍ଯ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ବ୍ୟବହାର କରାଯାଉଛି। ଅଷ୍ଟାଦଶ ଶତାବ୍ଦୀରେ ଭାରତ ଓ ଚାଇନା ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଥିଲେ। ସେତେବେଳେ ଜାତୀୟ ଉତ୍ପାଦକତା ଓ ଜିଡିପି ଲୋକଙ୍କ ଉପରେ ନିର୍ଭର କରୁଥିଲା ଏବଂ ଅଧିକାଂଶ ଲୋକ କୃଷିକ୍ଷେତ୍ରରେ ଥିଲେ। କିନ୍ତୁ ଶିଳ୍ପ ବିପ୍ଳବ ତାହାକୁ ପରିବର୍ତ୍ତନ କରିଦେଲା ଏବଂ ଉତ୍ପାଦକତା ମାନବ ଶ୍ରମ ଉପଯୋଗରୁ ଦୂରେଇଯିବା ଆରମ୍ଭକଲା। ତେବେ ୧୮୦୦ ଦଶନ୍ଧିରୁ ଏଯାବତ୍ ପାଶ୍ଚାତ୍ୟ ସବୁବେଳେ ପ୍ରଯୁକ୍ତିଗତ ପରିବର୍ତ୍ତନରେ ଆଗରେ ରହିଆସିଥିଲା। କିନ୍ତୁ ଚାଇନା ଏବେ ସେଥିରେ ସାମିଲ ହୋଇଯାଇଛି। ଚାଇନା ଖୁବ୍ଶୀଘ୍ର ତାକୁ ଟପିଯିବ। ଜାନୁଆରୀ ୨୦୨୩ରେ ସିଟିଗ୍ରୁପ୍ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯାହାର ଶୀର୍ଷ ଥିଲା ‘ଚାଇନାର ଜିଡିପି କେବେ ଆମେରିକାକୁ ଟପିବ? ଶେଷରେ ଦର୍ଶାଇଥିଲା ଯେ, ୨୦୩୦ ଦଶକ ମଧ୍ୟରେ ଯେକୌଣସି ସମୟରେ ସମ୍ଭବତଃ ଏହି ଦଶନ୍ଧିର ମଧ୍ୟଭାଗରେ ଏହା ହୋଇପାରେ। ଅଧିକାଂଶ କ୍ଷେତ୍ରରେ ଏହା ଘଟିସାରିଲାଣି। ଚାଇନା ଆଗକୁ ବଢ଼ିବାରେ ଲାଗିଛି। ଚାଇନାର ନେଭି ପାଖରେ ଆମେରିକା ନେଭିଠାରୁ ଅଧିକ ଯୁଦ୍ଧଜାହଜ ଅଛି। ଚାଇନା ପୃଥକ୍ ତଥା ସ୍ବାଧୀନ ଭାବେ ଏକ ମହାକାଶ କେନ୍ଦ୍ର ଚଳାଉଛି। ଏହା ଆମେରିକା, ରୁଷିଆ ନେତୃତ୍ୱରେ ଚାଲୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି। ଗତବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ହଂକଂ ସମେତ ଚାଇନା ୪୨ଟି ସ୍ବର୍ଣ୍ଣ ପଦକ ଜିତିଥିଲା। ଏଥିରେ ଆମେରିକା ୪୦ଟି ସ୍ବର୍ଣ୍ଣ ଜିତିଥିଲା। ଏପରିକି ବୃହତ୍ତମ ଅର୍ଥ ବ୍ୟବସ୍ଥା ଭାବେ ଉଭାହେବା ପୂର୍ବରୁ ଚାଇନା ଗତ ଦଶନ୍ଧିରେ ବିଶ୍ୱରେ ବୃହତ୍ତମ ଭିତ୍ତିଭୂମି ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍(ବିଆର୍ଆଇ)କୁ ଦୃଢ଼ କରିଛି। ଚାଇନା ଏବେ ୧୨୦ଟି ଦେଶ ପାଇଁ ସବୁଠୁ ବଡ଼ ବାଣିଜି୍ୟକ ଭାଗୀଦାରି ହୋଇପାରିଛି, ଅପରପଟେ ଆମେରିକା ୭୦ଟି ଦେଶ ସହ ବାଣିଜି୍ୟକ ସମ୍ପର୍କ ସ୍ଥାପନ କରିଛି।
ସିଟିଗ୍ରୁପ୍ ଭଳି ଅନେକ ଆଭ୍ୟନ୍ତରୀଣ ରିପୋର୍ଟ ରାଷ୍ଟ୍ରପତି ଓବାମା, ଟ୍ରମ୍ପ୍ଙ୍କ ପ୍ରଥମ ପାଳି ଓ ପରେ ବାଇଡେନ୍ଙ୍କ ପ୍ରଶାସନ ଉପରେ ସମୀକ୍ଷା କରିଛନ୍ତି। ଏସବୁରେ ଦର୍ଶାଯାଇଛି ଯେ, ସେମାନେ ସମସ୍ତେ ଚାଇନାକୁ ପଙ୍ଗୁ କରିଦେବାକୁ ଚେଷ୍ଟା କରିଛନ୍ତି। ପ୍ରଥମେ ଆମେରିକାରେ ଡିଜାଇନ୍ କରାଯାଇଥିବା ତାଇଓ୍ବାନ୍ ନିର୍ମିତ ସେମିକଣ୍ଡକ୍ଟର ଚିପ୍ସ ଯୋଗାଣ ଉପରେ କଟକଣା ଲଗାଇ ଏହା କରିବାକୁ ପ୍ରୟାସ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କ୍ଷେତ୍ରରେ ଆମେରିକାର ପ୍ରାଧାନ୍ୟ ସୁରକ୍ଷିତ ରଖିବା। ଏହା କାମ ଦେଲାନାହିଁ। ଚାଇନାର କମ୍ପାନୀ ଡିପ୍ସିକ୍ ଆକର୍ଷକ ଏଆଇ ପ୍ରସ୍ତୁତକରି ବିଶ୍ୱକୁ ଦେଖାଇଦେଲା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମେରିକାର ଏକଚାଟିଆ ପଦକ୍ଷେପରେ ଏହା ବାଧକ ସାଜିଛି। ଚାଇନାର ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ହୁଓ୍ବିକୁ ୨୦୧୯ରେ ପାଶ୍ଚାତ୍ୟ ନିଷିଦ୍ଧ କରି ଏହାର ଉତ୍ପାଦ ଉପରେ କଟକଣା ଲାଗୁ କରିଥିଲା। କିନ୍ତୁ ଏହା ଉତ୍ପାଦନ ଜାରି ରଖିଥିଲା। କେତେକ ଆକଳନରୁ ଜଣାପଡ଼ିଛି ଯେ, କିଛିବର୍ଷ ପୂର୍ବରୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଗ୍ରଣୀ ତାଇଓ୍ବାନ୍ର ଟିଏସ୍ଏମ୍ସି ଏବଂ ଡଚ୍ କମ୍ପାନୀ ଏଏସ୍ଏମ୍ଏଲ୍ ଅତ୍ୟାଧୁନିକ ଚିପ୍ସ ନିର୍ମାଣ କରୁଛନ୍ତି। କିନ୍ତୁ ଏ କ୍ଷେତ୍ରରେ ଆବଶ୍ୟକତା ହେଉଛି ଶିଳ୍ପଭିତ୍ତିକ ଡିଜାଇନ୍ ଓ ମାନୁଫାକ୍ଚରିଂ ଏବଂ ଏହି ଦୁଇଟି ବିଷୟରେ ଚାଇନାର କମ୍ପାନୀଗୁଡ଼ିକ ସେମାନଙ୍କ ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି। ଟ୍ରମ୍ପ୍ଙ୍କ ଟାରିଫ ଯୁଦ୍ଧ ପାଶ୍ଚାତ୍ୟ ଓ ତାହାର ଅର୍ଥ ବ୍ୟବସ୍ଥାଗୁଡ଼ିକୁ ଚାଇନାଠାରୁ ଅଲଗା କରିବାକୁ ଚେଷ୍ଟା କରୁଛି। ସମ୍ଭବତଃ ଏସିଆ ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଅଲଗା କରିବାର ଏହା ହେଉଛି ସଦ୍ୟ ତଥା ଶେଷ ପ୍ରଚେଷ୍ଟା। ଏହା ଯଦି ବିଫଳ ହୁଏ, ତେବେ ଏକମାତ୍ର ବିକଳ୍ପ ହେବ ସାମରିକ ଶକ୍ତି ପ୍ରୟୋଗ ଏବଂ ଏହା ଉପରେ ଓ୍ବାଶିଂଟନ୍ରେ ଅନୌପଚାରିକ ଭାବେ ଆଲୋଚନା ହେଉଛି।
ଅସଙ୍ଗତ ଭାବେ ୧୪୫ ପ୍ରତିଶତ ଟାରିଫ ବୃଦ୍ଧି କରାଯିବା ପରେ ଚାଇନାର ଜାହାଜଗୁଡ଼ିକ ଆମେରିକାର ବନ୍ଦରଗୁଡ଼ିକରୁ ଫେରି ଆସିବାକୁ ଆରମ୍ଭ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ମେ ୨ରେ, ଚାଇନାରୁ ଯାଉଥିବା ୮୦୦ ଡଲାର ତଳେ ଥିବା ପ୍ୟାକେଜ୍ଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଛାଡ଼ ବ୍ୟବସ୍ଥା ଶେଷ ହୋଇଯିବ। ସେ ସମୟରେ ବାଣିଜ୍ୟ ବନ୍ଦ ହେବା ସହିତ ଆମେରିକା ଅର୍ଥ ବ୍ୟବସ୍ଥାରେ ପ୍ରଭାବ ଅନୁଭୂତ ହେବ। ହଁ, ଏହା ସତ୍ୟ ଯେ, ଏଥିରେ ଚାଇନାର କ୍ଷତି ହେବ, କିନ୍ତୁ ବେଶି ନୁହେଁ। ତା’ ଜିଡିପିର ମାତ୍ର ୨ ପ୍ରତିଶତ ଆମେରିକାକୁ ରପ୍ତାନି ହୁଏ। ଅପରପଟେ ଆମେରିକା ଅଧିକ କ୍ଷତି ସହିବ। ମାର୍କେଟ ନିୟମ ଦର୍ଶାଏ ଯେ, ଯୋଗାଣ ଏହାର ନିଜସ୍ବ ଚାହିଦା ସୃଷ୍ଟିକରେ। ଅର୍ଥାତ୍ ସାମଗ୍ରୀ ଉତ୍ପାଦନ ଉପରେ ଧ୍ୟାନ ଦେଉଥିବା ଗୋଟିଏ ଅର୍ଥ ବ୍ୟବସ୍ଥା ଶେଷରେ ତାହାର ଜିନିଷ ବିକ୍ରି କରିବାକୁ ବଜାର ପାଇବ। ଦେଶ ଭିତରେ ମଧ୍ୟ ଏଭଳି ବଜାର ପାଇପାରିବ କାରଣ ଉତ୍ପାଦ ପ୍ରସ୍ତୁତ କରୁଥିବା କର୍ମଚାରୀମାନେ ତାହାକୁ କିଣିପାରିବେ। ଏ ହେଉଛି ଚାଇନା, ଯିଏ ବିଶ୍ୱରେ ସବୁଠୁ ଅଧିକ ସାମଗ୍ରୀ ଉତ୍ପାଦନ କରୁଛି ଏବଂ ଏହା ଏକମାତ୍ର ମାନୁଫାକ୍ଚରିଂ ସୁପରପାଓ୍ବାର। ଆମେରିକା ହେଉଛି ଉପଭୋକ୍ତା। ଯେଉଁ ସାମଗ୍ରୀ ବ୍ୟବହାର କରିବାକୁ ଚାହିଁବ, ତାହାକୁ ଏବେ ଆମେରିକା ଉତ୍ପାଦନ କରିବା ଆରମ୍ଭ କରିବ, ଯାହା ବାସ୍ତବରେ କଠିନ କାର୍ଯ୍ୟ। ଏଥିରେ ସନ୍ଦେହ ରହିଛି ଏବଂ ଏଥିପାଇଁ ଆର୍ଥିକ କ୍ଷତି ସହିବ।


