ଚିଲିକାକୁ ଉଜାଡ଼ୁଛି ଚିଙ୍ଗୁଡ଼ି ଲୋଭ

ଖୋର୍ଦ୍ଧା ଅଫିସ୍‌,୯।୫(ପ୍ରଭାତ ପାଣିଗ୍ରାହୀ): ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ସମାଗମ ସାଙ୍ଗକୁ ଚିଲିକାର ନୈସର୍ଗିକ ପରିବେଶ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ହେଲେ ଜବରଦଖଲ ଏବଂ ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁ ଏଠାକାର ଜୈବବିବିଧତା ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ୨୦୨୨ ଅକ୍ଟୋବରରେ ଚିଲିକା ଓ ଭିତରକନିକା ଆର୍ଦ୍ରଭୂମିର ପରିବେଶ ସଂରକ୍ଷଣ ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରି ମୁକ୍ତ ଲାଗି ଆକାଶମାର୍ଗରୁ ଯାଞ୍ଚ ଓ ତଦାରଖ ପାଇଁ ଡ୍ରୋନ୍‌ ଟେକ୍ନୋଲୋଜିକୁ ଆପଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ୍ରୋନ୍‌ ସର୍ଭେଲାନ୍ସ ଦ୍ୱାରା ଚିଙ୍ଗୁଡ଼ି ଘେରି ସହ ଜଡ଼ିତ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖାଯିବ ବୋଲି ଆମିକସ୍‌କ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ଡ୍ରୋନ୍‌ ନିରୀକ୍ଷଣ ପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବାରୁ ଏଥିନିମନ୍ତେ ଅଧିକ ପାଣ୍ଠି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇବେ ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସେତେବେଳେ କହିଥିଲେ।

ମତ୍ସ୍ୟଜୀବୀଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ସୁକାନ୍ତ ଦଳେଇ ଚିଲିକାରେ ଚାଲିଥିବା ବେଆଇନ ଚିଙ୍ଗୁଡି ଘେରି ଉପରେ ଏକ ଭିଡିଓ କ୍ଲିପ୍‌ ହାଇକୋର୍ଟଙ୍କୁ ଦେଖାଇଥିଲେ। କୃଷ୍ଣପ୍ରସାଦ ତହସିଲ ଅଧୀନରେ ଥିବା ୨ ହଜାର ଏକରରୁ ଅଧିକ ଅଞ୍ଚଳରେ କିପରି ଭାବେ ବେଆଇନ ଘେରି ପୁନର୍ବାର ଗଢ଼ିଉଠିଛି ଏବଂ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ନେଇ ଅବଗତ କରାଇଥିଲେ। ଏପରି କି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଭର୍ଚୁଆଲ୍‌ ଶୁଣାଣିରେ ଭାଗ ନେଇ ସିଡିଏ ଟିମ୍‌ କ୍ରମାଗତ ଭାବେ ଏହା ଉପରେ ନଜର ରଖିବ। ଏପରି କି ପୁନଃ ଯେପରି ବେଆଇନ ଘେରି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଏହାର ଶୁଣାଣି କରି ବେଆଇନ ଭାବେ ଚାଲିଥିବା ଘେରି ଉଚ୍ଛେଦ ଏବଂ ଆର୍ଦ୍ରଭୂମିର ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ ଲାଗି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ରାଜ୍ୟ ଆରକ୍ଷୀ ଅଧୀକ୍ଷକ(ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଦ୍ୟାବଧି ସେପରି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନ ଥିବାରୁ ପରିବେଶବିତ୍‌ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଚିଲିକା ହ୍ରଦକୁ ରାମ୍‌ସାର୍‌ ସାଇଟ୍‌ ମାନ୍ୟତା ମିଳିବା ପରେ ତାହାକୁ ଘେରିମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇକୋର୍ଟ ମଧ୍ୟ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ସକାଶେ ଆଦେଶ ଦେଇଥିଲେ। ତେବେ ଜିଲା ଓ ସ୍ଥାନୀୟ ପ୍ରଶାସନ ଏହି ଆଦେଶକୁ ଠିକ୍‌ଭାବେ କାର୍ଯ୍ୟକାରୀ କରୁ ନ ଥିବା ଅଭିଯୋଗ ହେଉଛି। ଏବେ ବି ଚିଲିକାରେ ଶହ ଶହ ଏକର ବେଆଇନ ଚିଙ୍ଗୁଡ଼ିଘେରି ରହିଛି। ଚଳିତ ବର୍ଷ ଜାନୁୟାରୀରେ ଚିଲିକାରେ ପକ୍ଷୀ ଗଣନା ଚାଲିଥିବାବେଳେ ସାତପଡ଼ା ରେଞ୍ଜ୍‌ ଅଞ୍ଚଳରେ ଗଣନାକାରୀ ଟିମ୍‌ ଏକ ଚିଙ୍ଗୁଡିଘେରି ଦେଖିବାକୁ ପାଇଥିଲେ। ଘେରି ଜାଲରେ ପାଣିକୁଆ ସମେତ ଅନ୍ୟାନ୍ୟ ପକ୍ଷୀ ଫସି ରହିଥିଲେ। ସେହିପରି ଅନ୍ୟ ଏକ ଟିମ୍‌ ପକ୍ଷୀ ଗଣନା କରୁଥିବା ବେଳେ ମାଣିକପାଟଣା ନିକଟରେ ଏକ ଚିଙ୍ଗୁଡିଘେରି ଭିତରେ ପାଣିକୁଆ ମାଛ ଖାଇବା ଆଶାରେ ପଶିଯିବା ପରେ ଆଉ ବାହାରି ନ ପାରି ଜାଲରେ ଛନ୍ଦି ହୋଇଯାଇଥିଲା। ପରେ ଟିମ୍‌ ସଦସ୍ୟ ପାଣିକୁଆକୁ ଉଦ୍ଧାର କରିଥିଲେ। ତେବେ ଚିଲିକାରେ ଏହା ନୂଆ କଥା ନୁହଁ। ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ପକ୍ଷୀ ବର୍ଷସାରା ରହୁଛନ୍ତି। ଖାଦ୍ୟ ଅନ୍ବେଷଣ ବେଳେ ଜାଲରେ ଫସି ପ୍ରାଣ ହରାଉଥିବା ଜଣାପଡ଼ିଛି। ଚିଲିକା ହ୍ରଦର ସାତପଡ଼ା ଅଞ୍ଚଳ ଇରାୱାଡ଼ି ଡଲ୍‌ଫିନ ପାଇଁ ଜଣାଶୁଣା। ଯଦିଓ ଚିଲିକାରେ ଡଲ୍‌ଫିନ ରହିବା ପାଇଁ ସ୍ଥାନାଭାବ ନାହିଁ, ତେବେ ସିଡିଏ, ବନ ବିଭାଗର ଉଦାସୀନତା, ଦ୍ରୁତଗତିରେ ମାତ୍ରାଧିକ ଡଙ୍ଗା ଚଳପ୍ରଚଳ ଏବଂ ଘେରି ପାଇଁ ଡଲ୍‌ଫିନ୍‌ର ବାସସ୍ଥାନ ବିଶେଷ ଭାବେ ପ୍ରଭାବିତ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲାର ଟାଙ୍ଗୀ, ଚିଲିକା, ପୁରୀ ଜିଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ହେଲେ ବେଆଇନ ଘେରି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଯେତିକି ଉଚ୍ଛେଦ ହେଉଛି ପୁଣି ସେତିକି ଧୀରେ ଧୀରେ ବଢ଼ିଚାଲିଥିବା ଦେଖିବାକୁ ମିଳୁଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଏଥିଯୋଗୁ ଚିଲିକା ଧୀରେ ଧୀରେ ଅସ୍ତିତ୍ୱ ହରାଇବା ଆଶଙ୍କା ପ୍ରକାଶ ପାଉଛି।
ସେମାନେ ଯାହା କହନ୍ତି…
– ତିନିଦଶନ୍ଧି ଧରି ଚିଲିକା ଘେରିମୁକ୍ତ ଲାଗି ଚାଲିଥିବା ପ୍ରକ୍ରିୟା ଏବେ ବି ଜାରି ରହିଛି। ତେବେ ସବୁ ଚେଷ୍ଟା ସତ୍ତ୍ୱେ ଚିଲିକା ଘେରିମୁକ୍ତ ହୋଇପାରୁନାହିଁ। କାହା ଇଙ୍ଗିତ, ଛତ୍ରଛାୟା ତଳେ ଏସବୁ ଚାଲିଛି ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହେଉଛି। ବେଆଇନ ଚିଙ୍ଗୁଡ଼ି ଘେରି, ନଳଘାସ, ରାଜଦଳ ଚିଲିକାର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଯେଉଁମାନେ ଚିଲିକାରେ ବିପଦ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।
– ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ
– ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ କରାଯାଇଛି। ଚିଲିକାରେ କେହି ଘେରି କଲେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଚିଲିକା ତହସିଲଦାର କେତେଜଣ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଏଥିସହିତ ଚିଲିକାରେ ପାଟ୍ରୋଲିଂ କରାଯାଉଛି। ଚିଲିକାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରି ରହିଛି। ଏଥିଲାଗି ଜନସାଧାରଣ ସହଯୋଗର ହାତ ବଢାଇବା ଉଚିତ।
– ଦୀପ୍ତିରଞ୍ଜନ ସେଠୀ, ଖୋର୍ଦ୍ଧା ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?