Categories: ରାଜ୍ୟ

ଜାନୁୟାରୀ ୮ରୁ ଚିଲିକା ପକ୍ଷୀ ମହୋତ୍ସବ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୮ରୁ ମଙ୍ଗଳାଯୋଡିରେ ଆରମ୍ଭ ହେବ ତୃତୀୟ ଚିଲିକା ଜାତୀୟ ପକ୍ଷୀ ମହୋତ୍ସବ ବା ନ୍ୟାଶନାଲ ଚିଲିକା ବାର୍ଡସ ଫେଷ୍ଟିଭାଲ-୨୦୨୧। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଜଙ୍ଗଲ ଓ ପରିବେଶ ବିଭାଗର ସହଯୋଗରେ ଏହା ୩ଦିନ ଧରି ଚାଲିବ। କେବଳ ଏହି ସମୟରେ ପର୍ଯ୍ୟଟକମାନେ ପ୍ରଥମଥର ପାଇଁ ନଳବଣ ପକ୍ଷୀ ଅଭୟାରଣ୍ୟ ଓ ସେମାନଙ୍କ ବାସସ୍ଥାନକୁ ଦେଖିବାର ସୁଯୋଗ ପାଇପାରିବେ।

ଶୀତଦିନେ ଚିଲିକାରେ ଶତାଧିକ ପ୍ରଜାତିର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ। ସେହିଭଳି ଚିଲିକାର ଉତ୍ତର ପୂର୍ବ ଭାଗରେ ଥିବା ମଙ୍ଗଳାଯୋଡ଼ିକୁ ଏସିଆର ପକ୍ଷୀ ଭୂସ୍ବର୍ଗ ବୋଲି କୁହାଯାଏ। ଶୀତ ପଡ଼ିଲେ ଏଠାରେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଥାଏ। ଏହି ସମୟରେ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜନ ଦ୍ୱାରା ପର୍ଯ୍ୟଟକଙ୍କ ସହ ଓ୍ବାଇଲ୍ଡଲାଇଫ୍‌ ଏବଂ ନେଚର ଫଟୋଗ୍ରାଫର, ପକ୍ଷୀ ଗବେଷକ, ବିଶେଷଜ୍ଞ ତଥା ଅର୍ନିଥୋଲୋଜିଷ୍ଟମାନେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ ବୋଲି ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଫେଷ୍ଟିଭାଲରେ ବାର୍ଡ ଓ୍ବାଚିଂ, ଅଭୟାରଣ୍ୟ ପରିଦର୍ଶନ, ନେଚର ଓ୍ବାକ୍‌ସ, ବୋଟିଂ, ଟେକ୍ନିକାଲ ସେସନ ଏବଂ ଫଟୋଗ୍ରାଫିକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ର ବ୍ୟବସ୍ଥା ହୋଇଛି। ଇଟିରେନାରିରେ ରାତ୍ରିରହଣି, ଖାଦ୍ୟପେୟ ଏବଂ ପରିବହନ ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଗି ପଞ୍ଜୀକରଣ ଶୁକ୍ଳ ୬ ହଜାରରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ରହିଛି। ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ପଞ୍ଜୀକରଣ ସହ ଆବଶ୍ୟକ ତଥ୍ୟ ପାଇପାରିବେ। ପଞ୍ଜୀକୃତ ପର୍ଯ୍ୟଟକଙ୍କୁ ମଙ୍ଗଳାଯୋଡ଼ି ଗ୍ରୁପ୍‌, ବରକୁଳ ଗ୍ରୁପ୍‌ ଏବଂ ରମ୍ଭା ଗ୍ରୁପ୍‌ରେ ବିଭକ୍ତ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଅଂଶଗ୍ରହଣକାରୀମାନେ ଚନ୍ଦକା ଡମପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ ବୁଲିବାର ମଧ୍ୟ ସୁଯୋଗ ପାଇପାରିବେ। ଏହାସହ ପର୍ଯ୍ୟଟକ ମଙ୍ଗଳାଯୋଡିରେ ପକ୍ଷୀ ଶିକାରୀରୁ ପକ୍ଷୀ ସଂରକ୍ଷକ ପାଲଟିଥିବା ସ୍ଥାନୀୟ ଲୋକଙ୍କ ରୁଚିକର କାହାଣୀ ଶୁଣିବାର ଅବସର ପାଇବେ। ମହୋତ୍ସବ ସମୟରେ ଚିଲିକା ଜୈବ ବିବିଧତାର ସଂରକ୍ଷଣ ଏବଂ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ଏଥିଲାଗି ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।