ପିଲାଖେଳରୁ ଗଣ୍ଡଗୋଳ: ଆକ୍ରମଣରେ ଶିଶୁକନ୍ୟାର ଜୀବନ ଗଲା

ସମ୍ବଲପୁର,୯ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଖେଳକୁ ନେଇ ଗଣ୍ଡଗୋଳ ଘଟିବାରୁ ଏଥିରେ ୬ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏହି ଘଟଣା ଘଟିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଘଟଣାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ରାତିରେ ଶିଶୁକନ୍ୟାର ବାପାଙ୍କ ଅଭିଯୋଗ କ୍ରମେ ପୁଣି ବୁର୍ଲା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଯାହାଙ୍କ ନାମରେ ଅଭିଯୋଗ ଆସିଛି ସେ ମଧ୍ୟ ନାବାଳକ । ହେଲେ ପୋଲିସ ଆଇନ ପରିଧି ଭିତରେ ରହି ତଦନ୍ତ ଜାରି ରଖିଛି ବୋଲି ବୁର୍ଲା ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଶିଶୁକନ୍ୟା ଓ ୧୦ବର୍ଷର ତାଙ୍କ ବଡଭାଇ ସାଙ୍ଗହୋଇ ଗାଁଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ପଡୋଶୀ ପରିବାରର ଜଣେ ନାବାଳକ ଆସି ତାଙ୍କ ସହ ଖେଳିବାକୁ କହିଥିଲେ। ଶିଶୁକନ୍ୟା ମନା କରିଦେବାରୁ ଏହାକୁ ନେଇ ପିଲାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ନାବାଳକ ଜଣକ ଏକ ବାଉଁଶ ବାଡିରେ ଶିଶୁକନ୍ୟାକୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଅଚେତ ହୋଇ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୁର୍ଲା ଭିମସାରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପରେ ପଡୋଶୀ ନାବାଳକଙ୍କ ପରିବାର କୁଆଡେ ଚାଲିଯାଇଥିବା ଜଣାପଡିଛି।