୨୦୦୭ ପୂର୍ବରୁ ଜନ୍ମିତ ପିଲାଙ୍କୁ ମିଳିବ ଟିକା

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ରାଜ୍ୟରେ ଏବେ କିଶୋରଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ୧୫ରୁ ୧୮ ବର୍ଷ ବର୍ଗ ବୟସ ମଧ୍ୟରେ ଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି। ଏ ସମ୍ପର୍କରେ ମଙ୍ଗଳବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ୨୦୦୭ ମସିହା ଜାନୁଆରୀ ୧ ତାରିଖ ପୂର୍ବରୁ ଜନ୍ମିତ ପିଲାମାନେ ଏହି ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଟିକା ପାଇଁ ସେମାନେ ଅନଲାଇନ୍‌ କିମ୍ବା ଅନ୍‌ସାଇଟ ପଞ୍ଜୀକରଣ କରିପାରିବେ। ପରିସ୍ଥିତିକୁ ଦେଖି କିଶୋରଙ୍କ ଟିକାକରଣ ପାଇଁ ସ୍ଥାନ ବଛାଯିବ। ସୁବିଧା ହେଲେ ସେମାନଙ୍କ ଟିକା ଅଲଗା କରାଯିବ ନଚେତ୍‌ ଯେଉଁ ସ୍ଥାନରେ ବର୍ତ୍ତମାନ ଟିକାକରଣ ଚାଲିଛି ସେହିଠାରେ ଅଲଗା ଧାଡ଼ି କରି ଟିକା ଦିଆଯିବ। କିଶୋରଙ୍କ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଟିକା ମଧ୍ୟରେ ୨୮ଦିନର ବ୍ୟବଧାନ ରହିବ। ଅପରପକ୍ଷେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ବରିଷ୍ଠ ନାଗରିକମାନେ ଟିକା ନେବା ପାଇଁ ଆସିବେ। ଡାକ୍ତର ବୁଷ୍ଟର ଡୋଜ୍‌ ପାଇଁ କହିଲେ, ୯ ମାସ ବ୍ୟବଧାନରେ ଟିକା ନେଇପାରିବେ। ଏପ୍ରିଲ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ନେଇଥିଲେ ଜାନୁଆରୀ ୧୦ରେ ତୃତୀୟ ଡୋଜ୍‌ ନେଇପାରିବେ। ତେବେ ତୃତୀୟ ଡୋଜ୍‌ କେଉଁମାନେ ନେଇପାରିବେ ତାହାର ତାଲିକା ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶ କହିଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଚଳିତମାସ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୪ କୋଟି ୯୦ଲକ୍ଷ ୩୧ହଜାର ୪୫୨ ଡୋଜ୍‌ ଟିକା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨କୋଟି ୮୯ଲକ୍ଷ ୯୬ହଜାର ୯୪୪ ପ୍ରଥମ ଡୋଜ୍‌ ଏବଂ ୨କୋଟି ୩୪ ହଜାର ୫୦୮ଜଣ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ରାଜ୍ୟରେ ଦ୍ୱିତୀୟ ଡୋଜ୍‌ ଟିକାକରଣ ୨କୋଟି ପାର୍‌ କରିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରିବା ସହ ଆଗକୁ ମଧ୍ୟ ଟିକାକରଣ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।