ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ସୋମବାର ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ପଦ୍ମପୁର ଉପଜିଲାପାଳ ଅରୁଗୁଳା ସ୍ନେହା, ବରଗଡ଼ ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ ଏବଂ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଉପସ୍ଥିତ ଥିଲେ। ଉକ୍ତ ପରିଦର୍ଶନ ସମୟରେ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ଉଦ୍ୟମରେ ଶିକ୍ଷା ପାଇଁ କରାଯାଇଥିବା ଉଦ୍ୟମଗୁଡ଼ିକୁ ଜିଲାପାଳ ଉଚ୍ଚ ପ୍ରଶଂସା କରିଥିଲେ। ଜିଲାପାଳ ଗୋୟଲ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରା ଏବଂ ୱାଇଫାଇ ଇଣ୍ଟରନେଟ ମାଧ୍ୟମରେ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଅଭିଭାବକମାନେ ସ୍କୁଲର ପାଠପଢ଼ା ଦେଖିପାରୁଥିବା ଜାଣି ଅତ୍ୟନ୍ତ ଖୁସି ଅନୁଭବ କରିବା ସହିତ ସିଆରସିସିଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହାପରେ ସ୍ବଚ୍ଛତା ଏବଂ ସାବୁନରେ ହାତଧୁଆ ପ୍ରତିଦିନ ସୁନିଶ୍ଚିତ କରିବା ପାଇଁ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ସାବୁନ ବ୍ୟାଙ୍କକୁ କାର୍ଯ୍ୟକ୍ଷମ କରାଯାଇଥିବା ଜାଣି ଖୁସି ଅନୁଭବ କରିବା ସହ ଏହି ପଦକ୍ଷେପକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ଏହାଛଡ଼ା ପ୍ରତ୍ୟେକ ବିଦ୍ୟାଳୟରେ ବିଗତ ତିନିବର୍ଷ ହେଲା ଶିଶୁ ଖବରଦାତା ସୃଷ୍ଟି ତଥା ସେମାନଙ୍କ ବ୍ୟକ୍ତିଗତ ବିକାଶ ପାଇଁ ସିଆରସିସି ନେଇଥିବା ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ ସ୍କୁଲର ଶିଶୁ ଖବରଦାତା ସାକ୍ଷୀ ସାହୁ ବରଗଡ଼ ଜିଲାପାଳଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ, ଯାହାକି ଅତ୍ୟନ୍ତ ପ୍ରଶଂସନୀୟ ହୋଇଥିଲ। ଜିଲାପାଳ ଶିଶୁ ଖବରଦାତାଙ୍କୁ ଭବିଷ୍ୟତରେ କ’ଣ ହେବାକୁ ଚାହୁଁଛ ବୋଲି ପ୍ରଶ୍ନ କରିଥିଲେ , ସାକ୍ଷୀ ଏହାର ଉତ୍ତର ଦେଇ ବଡ଼ ହେଲେ ସେ ଖବରଦାତା ହେବି ବୋଲି ଜିଲାପାଳଙ୍କୁ କହିଥିଲେ। ଉକ୍ତ ଉତ୍ତର ଶୁଣି ଆଶୀର୍ବାଦ ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲା । ଉକ୍ତ ପୁରସ୍କାର ରାଶିକୁ ବ୍ୟବହାର କରି ବିଦ୍ୟାଳୟରେ ସିଆରସିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ପ୍ରଧାନ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ସହଯୋଗରେ ସିସିଟିଭି, ୱାଇଫାଇ ଇଣ୍ଟରନେଟ, ପିଲାମାନଙ୍କ ବସିବା ପାଇଁ ଆସବାବପତ୍ର କିଣା ଯାଇଥିଲା।ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭା ତଥା ଶିକ୍ଷକ ଅଭାବ ସତ୍ତ୍ୱେ ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଜାତା ସାହୁ, ଶିକ୍ଷକ ରିଙ୍କୁ ମାହାମଲ୍ଲିକ ଏବଂ ଶିକ୍ଷୟିତ୍ରୀ ସବିତା ଧାରୁଆଙ୍କ ସକ୍ରିୟ ସହଯୋଗ ରହିଛି।

