ଶିଶୁକନ୍ୟା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କଟକ ଅଫିସ,୭ା୨: ଦେଢ଼ବର୍ଷର ଶିଶୁକନ୍ୟା ବଳାତ୍କାର ମାମଲାରେ କଟକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଭିଯୁକ୍ତଙ୍କୁ ଅଧିକ ୧ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ୯ ଜଣ ସାକ୍ଷୀ ଓ ୩୮ଟି ତଥ୍ୟ ପ୍ରମାଣ ଆଧାରରେ ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ଅଗଷ୍ଟ ୧୫ରେ କଟକ ଜିଲା ବାଙ୍କୀ ଥାନା ଅଞ୍ଚଳର ଅଭିଯୁକ୍ତ ସୁଶାନ୍ତ ବେହେରା ତାଙ୍କ ନବବିବାହିତା ସ୍ତ୍ରୀଙ୍କୁ ଦେଖିବା ନିମନ୍ତେ ସମ୍ପୃକ୍ତା ଶିଶୁକନ୍ୟାଙ୍କୁ ଘରକୁ ଡାକି ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ମା’ ଏନେଇ ବାଙ୍କୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।