ଚାଇଲ୍ଡ ଲାଇନ୍‌ର ତଦନ୍ତ, ବାପାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର,୯।୭(ବ୍ୟୁରୋ):୭ ବର୍ଷର ଝିଅ ପ୍ରତି ବାପା ଓ ସାବତ ମା’ର ଅକଥନୀୟ ନିର୍ଯାତନା ଘଟଣାରେ ଚାଇଲ୍ଡ ଲାଇନ୍‌ ହସ୍ତକ୍ଷେପ କରିଛି। ଗୁରୁବାର ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଥିବା ପୀଡିତା ଶିଶୁ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବାରୁ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର ଡିସିପି, ଓଏସ୍‌ସିପିସିଆର, ଖୋର୍ଦ୍ଧା ସିଡବ୍ଲ୍ୟୁସି ଓ ଡିସିପିଓଙ୍କୁ ଲେଖାଯାଇଛି। ସେପଟେ ଚିକିତ୍ସିତ ହେଉଥିବା ଶିଶୁଟିର ଆବଶ୍ୟକ ଯତ୍ନ ନିଆଯାଉଛି ବୋଲି ଚାଇଲ୍ଡ ଲାଇନ୍‌ ଲେଖିଥିବା ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି। ଅନ୍ୟପକ୍ଷରେ ନିର୍ଯାତନା ଦେଇଥିବା ବାପା ବାଲିପାଟଣା ବାରହଳର ବିଲାଲ ଖାନ୍‌ଙ୍କ ବିରୋଧରେ ପୀଡିତା ଶିଶୁଙ୍କ ଅଜା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ, ୨୦୧୩ରେ ବିଲାଲ ପିପିଲି ଅଞ୍ଚଳର ରିଜୱାନା ପରଓ୍ବିନ୍‌ଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ ମନୋମାଳିନ୍ୟ ହେବାରୁ ୨୦୨୦ରେ ସେମାନଙ୍କ ବିଚ୍ଛେଦ ହୋଇଥିଲା। ରାଜଓ୍ବାନା ଜନ୍ମଦେଇଥିବା ଝିଅଟିକୁ ବିଲାଲ ନିଜ ପାଖରେ ରଖିଥିଲେ। ଏହାର କିଛିଦିନ ପରେ ବିଲାଲ ଅନ୍ୟଜଣଙ୍କୁ ବିବାହ କରିଥିଲେ। ତେବେ ସାବତ ମା’ ଆସିବା ପରେ ଶିଶୁଟି ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ପ୍ରତିଦିନ ଶିଶୁଟିକୁ ଉଭୟ ବାପା ଓ ସାବତ ମା’ ମାଡ଼ ମାରୁଥିଲେ। ଦିନରାତି ବାରଣ୍ଡାରେ ଏକ ଚେନ୍‌ରେ ବାନ୍ଧି ରଖୁଥିଲେ। କେତେବେଳେ ଶିଶୁଟିର କଅଁଳ ହାତ ଆଙ୍ଗୁଠିକୁ ଗରମ ପାଣିରେ ବୁଡ଼ାଉଥିଲେ ତ କେତେବେଳ ତାଙ୍କ ପେଟ ଉପରେ ଛିଡା ହୋଇଯାଉଥିଲେ। ଦୀର୍ଘ ବର୍ଷେରୁ ଅଧିକ ଦିନ ଧରି ତାଙ୍କୁ କେବଳ ଭାତ ଓ ଲୁଣ ଖାଇବାକୁ ଦେଉଥିଲେ। ଫଳରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଶିଶୁକନ୍ୟାଟି ରୋଗଣା ହୋଇପଡିବା ସହ ବଞ୍ଚତ୍ବା ପାଇଁ ସଂଘର୍ଷ କରୁଛନ୍ତି।